ଲଡୁଗାଁ: ଘର ଘର ବୁଲୁଛନ୍ତି ଲୋକଙ୍କ ଦୁଃଖସୁଖ ପଚାରି ବୁଝୁଛନ୍ତି। ପଞ୍ଚାୟତ ଯାଇ ପାରୁ ନ ଥିବା ବୃଦ୍ଧବୃଦ୍ଧା ଶାରୀରିକ ଓ ମାନସିକ ଦିବ୍ୟାଙ୍ଗଙ୍କ ଘରକୁ ଯାଇ ଭତ୍ତା ବାଣ୍ଟୁଛନ୍ତି। ଲୋକେ କହୁଥିବା ସମସ୍ୟାକୁ ଖାତାରେ ଟିପି ରଖୁଛନ୍ତି। ଏହାକୁ ଖୁବ୍ ଶୀଘ୍ର ପ୍ରଶାସନଙ୍କ ନଜରକୁ ଆଣି ସମାଧାନ କରିବାକୁ ଚେଷ୍ଟା କରୁଛନ୍ତି ସରପଞ୍ଚ ବାବୁ। ତାଙ୍କର ଏପରି କାର୍ଯ୍ୟରେ ସ୍ଥାନୀୟ ଲୋକଙ୍କ ଖୁସି କହିଲେ ନସରେ। ସୂଚନାଯୋଗ୍ୟ ଯେ କଲାହାଣ୍ଡି ଜିଲ୍ଲା କୋକସରା ବ୍ଲକ କନ୍ଦାବୁଟୁରା ଗ୍ରାମପଞ୍ଚାୟତରେ ଦୀର୍ଘ ଦିନ ହେଲା ଉନ୍ନୟନ କାର୍ଯ୍ୟ ହେଇପାରୁନଥିଲା। ୨୦୧୬ ମସିହାରେ କାଶିବାହାଲ ପଞ୍ଚାୟତ ଠାରୁ ବିଭାଜନ ହୋଇ ସ୍ଵତନ୍ତ୍ର ଭାବେ କନ୍ଦାବୁଟୁରା ପଞ୍ଚାୟତ ହେଲା। ପଞ୍ଚାୟତ କାର୍ଯ୍ୟାଳୟ ଗଠନକୁ ନେଇ ତୁନଗାଁ ଓ କନ୍ଦାବୁଟୁରା ବିବାଦ ଲାଗି ରହିଥିଲା। ଏହି ବିବାଦୀୟ କେଶ୍ ଯାଇ ନ୍ୟାୟାଳୟରେ ବିଚାରାଧୀନ ଅବସ୍ଥାରେ ରହିଛି। ଅନ୍ୟପକ୍ଷେ ତୁନଗାଁ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ କୌଣସି ପ୍ରାର୍ଥୀ ଦେଲେନି। ଯାହାଦ୍ୱାରା ୧୧ଟି ୱାର୍ଡ ବଦଳରେ ୫ଟି ୱାର୍ଡ଼କୁ ନେଇ ନିର୍ବାଚନ ହେଲା। ପାଞ୍ଚ ଜଣ ୱାର୍ଡ ସଭ୍ୟକୁ ନେଇ ପଞ୍ଚାୟତ ଚାଲିବା ସମ୍ଭବ ନ ହେବାରୁ ଜିଲ୍ଲାପାଳ ଙ୍କ ଚିଠି ନଂ ୨୨୫ରେ କୋକସରା ସାମାଜିକ ସୁରକ୍ଷା ଅଧିକାରୀ ନୂତନ ସରପଞ୍ଚ ଭାବେ ଯୋଗ ଦେଇଛନ୍ତି।
ଲୋକେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଥିଲେ, ଏହାକୁ ଦୃଷ୍ଟି ଦେଇ କୋକସରା ବ୍ଲକ ପ୍ରଶାସନ ପକ୍ଷରୁ କୋକସରା ସାମାଜିକ ସୁରକ୍ଷା ଅଧିକାରୀ ଦୀପକ ବେହେରାଙ୍କୁ କନ୍ଦାବୁଟୁରା ସରପଞ୍ଚ ଭାବେ ମନୋନୀତ କରିଛି। ଲୋକଙ୍କ ସମସ୍ୟା ବୁଝିବେ, ସେମାନଙ୍କୁ ଦୁଃଖ ଦୂରେଇବାକୁ ଯଥାସାଧ୍ୟ ଚେଷ୍ଟା କରିବେ ବୋଲି ଶ୍ରୀ ବେହେରା କହିଛନ୍ତି। ଏହାସହ କାହାର ରାସନ କାର୍ଡ ହେବ, କାହାକୁ ଭତ୍ତା ମିଳିବ, ଆଉ କାହାରିକୁ ଯଥାଶୀଘ୍ର ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅଧିନରେ ଘର ଖଣ୍ଡେ ମିଳିବ ତ ଆଉ କେଉଁଠି ରାସ୍ତା ହେବ ସେଥିପାଇଁ ତତ୍ପର । ନିଜ ପଞ୍ଚାୟତ ଲୋକଙ୍କ ସର୍ବାଙ୍ଗୀନ ଉନ୍ନତି ପାଇଁ ଘର ଘର ବୁଲି ଲୋକଙ୍କ ଦୁଃଖସୁଖ ବୁଝିଛନ୍ତି ସରପଞ୍ଚ ଦୀପକ ବେହେରା। ଲୋକଙ୍କ ସବୁ ସମସ୍ୟାକୁ ଖାତା ଟିପି ରଖୁଛନ୍ତି, ଖୁବଶୀଘ୍ର ସମାଧାନ କରିବାକୁ ଅଣ୍ଟା ଭିଡିଛନ୍ତି। ଲୋକଙ୍କ ସମସ୍ୟା ଦୂରେଇ ସେମାନଙ୍କ ମୁହଁରେ ଟିକେ ହସ ଫୁଟାଇବା ତାଙ୍କର ମୂଳ ଲକ୍ଷ୍ୟ। ସରପଞ୍ଚଙ୍କ ଏପରି ପଦକ୍ଷେପରେ ସ୍ଥାନୀୟ ଲୋକେ ବେଶ୍ ଖୁସି। ସମସ୍ତଙ୍କ ମୁର୍ହଁରେ ଗୋଟିଏ କଥା, ସରପଞ୍ଚ ହେବତ ଏମିତି।



