ସମ୍ବଲପୁର: ସମ୍ବଲପୁରର ଆଇନ ବ୍ୟବସ୍ଥା ଧର୍ମକୁ ଆଖି ଠାରରେ ରଖି ଚାଲିଥିବା ବେଳେ ପୁଲିସ ନିଜର ବିଫଳତାକୁ ଲୁଚାଇବା ପାଇଁ ବିଭିନ୍ନ ଫନ୍ଦି କରୁଥିବାର ପରିଲକ୍ଷିତ ହେଉଛି। ସାଧାରଣତଃ କୌଣସି ମାମଲାରେ ପୁଲିସ ଠାରୁ ଆଧିକାରିକ ସୂଚନା ମିଳିବା ଅତ୍ୟନ୍ତ କଷ୍ଟକର ଥିବା ବେଳେ କିନ୍ତୁ ସମ୍ବଲପୁର ପୁଲିସ ନିଜର ଦୋଷ ଓ ବିଫଳତାକୁ ଲୁଚାଇବା ସକାଶେ ଅନେକ ପ୍ରକାରର ଫନ୍ଦି କରୁଥିବାର ଦେଖାଯାଉଛି। ଏଭଳି ଏକ ମାମଲାରେ ଗତ ୨୮ ତାରିଖ ବିଳମ୍ବିତ ରାତ୍ରିରେ ଅଇଁଠାପାଲି ଥାନାକୁ ଲାଗିକି ଥିବା ପ୍ରଗତି ବିହାରରୁ ଗିରିଜା ଶଙ୍କର ସାହୁଙ୍କ ଟ୍ରାକ୍ଟର ଓ ଟ୍ରଲି ଘର ସମ୍ମୁଖରେ ରାତ୍ରିରେ ତାଲା ଦେଇ ରଖାଯାଇଥିଲା। ରାତି ଅଧରେ ଅଜଣା ଚୋର ଉକ୍ତ ଟ୍ରାକ୍ଟର ସମେତ ଟ୍ରଲିକୁ ଚୋରି କରି ନେଇଥିବା ପିଡିତ ସକାଳୁ ଜାଣିଥିଲେ। ଏଣୁ ତୁରନ୍ତ ଅଇଁଠାପାଲି ଥାନାରେ ଅଭିଯୋଗ କରିବାରୁ ପୁଲିସ ମାମଲା ସଂଖ୍ୟା ୧୦୬/୨୦୨୩ ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। କିନ୍ତୁ ସମ୍ବଲପୁର ପୁଲିସର ଚିରାଚରିତ ସୁସ୍ଥିଆ ଢ଼ଙ୍ଗର ତଦନ୍ତ ଯୋଗୁଁ ଏହି ଘଟଣା ପରେ ଚୋର ଟ୍ରାକ୍ଟରକୁ ଜିଲା ବାହାରକୁ ନେଇ ଫେରାର ହୋଇ ଯାଇଥିଲା। ତେବେ ଥାନା ସନ୍ନିକଟସ୍ଥ ଅଞ୍ଚଳରୁ ଚୋରି ଯୋଗୁଁ ପୁଲିସର ଭାବମୂର୍ତ୍ତି ଧୁମିଳ ହେଉଥିବାରୁ ତଦନ୍ତକୁ ପରବର୍ତ୍ତୀ ପ୍ରକ୍ରିୟାରେ ଗତି ଦେଇଥିଲା। ଫଳରେ ବିଭିନ୍ନ ସୂତ୍ରରୁ ଖବର ସଂଗ୍ରହ କରି ଟ୍ରାକ୍ଟର ଓ ଟ୍ରଲି ଚୋରି କରିଥିବା ଚୋର ସର୍ମ୍ପକରେ ଜାଣିପାରିଥିଲା।
କିନ୍ତୁ ବିଡମ୍ବନାର ବିଷୟ ଯେ, ଚୋର ସର୍ମ୍ପକରେ ପୁଲିସ ଜାଣିଲା ବେଳକୁ ଉକ୍ତ ଟ୍ରାକ୍ଟରକୁ ଚୋର ଏକ କବାଡି ଦୋକାନକୁ ତାହା ବିକ୍ରି କରି ଦେଇଥିବାରୁ ଉକ୍ତ ଟ୍ରାକ୍ଟରକୁ କାଟି ଖଣ୍ଡ ଖଣ୍ଡ କରି ଅନ୍ୟତ୍ର ବିକ୍ରି କରି ଦିଆଯାଇଛି। ତେବେ ସୌଭାଗ୍ୟବଶତଃ ଚୋରକୁ ପୁଲିସ ଧରି ଉକ୍ତ ଚୋର ଜରିଆରେ ଚୋରି ସାମଗ୍ରୀ କିଣିଥିବା ବ୍ୟକ୍ତି ମାନଙ୍କ ନିକଟରେ ପହଂଚି ଟ୍ରଲିକୁ ଉଦ୍ଧାର କରିଥିଲା। ପୁଲିସର ସୂଚନାନୁଯାୟୀ, ଏହି ଚୋରି ଘଟଣାକୁ ବରଗଡ଼ ଜିଲା ଅତାବିରା ଥାନା ଅର୍ନ୍ତଗତ ବଡପତି ଏରାବାବୁ (୨୪) ଭିଆଇଥିବା ବେଳେ ଚୋରି ଟ୍ରାକ୍ଟର ଓ ଟ୍ରଲିକୁ ବଲାଙ୍ଗୀର ଜିଲା ନିବାସୀ ମହମ୍ମଦ ଇବ୍ରାର ଖାନ (୪୧), ସଲମାନ ଖାନ (୨୮) ଏବଂ ଉତ୍ତର ପ୍ରଦେଶ ରାଜ୍ୟର ମୂଳନିବାସୀ ତଥା ବଲାଙ୍ଗୀର ଡୁଙ୍ଗୁରିପାଲି ଥାନା ଅର୍ନ୍ତଗତ ଚେରୁପାଲି କବାଡିର ମାଲିକ ମହମ୍ମଦ ସାଗିର (୪୨) ଙ୍କୁ ଗିରଫ କରିଛି। ଅଭିଯୁକ୍ତ ମାନଙ୍କ ନିକଟରୁ ଚୋରି ଟ୍ରଲି ଓ ନଗଦ ୧୯ ହଜାର ଟଙ୍କା ଜବତ ପୁଲିସ କରିଛି। ସମସ୍ତ ଅଭିଯୁକ୍ତ ମାନଙ୍କୁ ପୁଲିସ ଗିରଫ କରି ଅଦାଲତକୁ ପ୍ରେରଣ କରିଛି। ଅପରପକ୍ଷରେ ସମ୍ବଲପୁର ପୁଲିସ ସାଧାରଣତଃ ବିଭିନ୍ନ ସଙ୍ଗୀନ ମାମଲା ଗୁଡିକରେ ସୂଚନା ପ୍ରଦାନ କରୁ ନ ଥିବା ବେଳେ କିନ୍ତୁ ଏହି ଘଟଣାରେ ନିଜର ବିଫଳତାକୁ ଲୁଚାଇବା ଏବଂ ପ୍ରଶଂସା ସାଉଁଟିବା ପାଇଁ ନିଜ ତରଫରୁ ସୂଚନା ପ୍ରଦାନ କରିଛି।



