କଲମପୁର/ମୁଖିଗୁଡା: କେବେ ପ୍ରେମ ପାଇଁ ଅପହରଣ ତୋ କେବେ ହତ୍ୟା।ପ୍ରେମ ରେ ଅନ୍ଧ ହୋଇ ମଣିଷ ମଣିଷର ଜୀବନ ନେବାକୁ ପଛାଉ ନାହିଁ। ଏଭଳି ଘଟଣା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ଅଞ୍ଚଳରେ। ସୂଚନା ଅନୁଯାୟୀ ଗତ ୧୮ ତାରିଖରେ ଜୟପାଟଣା ଥାନା ପୋଲୋକାମୁଣ୍ଡା ଗ୍ରାମର ଜଣେ ୧୭ବର୍ଷୀୟ କଲେଜ ଛାତ୍ର ଦିଲୀପ ବାଗ ନିଖୋଜ ଥିବା ଜୟପାଟଣା ଥାନାରେ ଅଭିଯୋଗ ହୋଇଥିଲା। ଏ ନେଇ ପୋଲିସ ତତ୍ପରତା ଦେଖାଇବା ସହ ତୁରନ୍ତ ତଦନ୍ତ ଆରମ୍ଭ କରିଥିବା ବେଳେ ଦୁଇ ଜଣଙ୍କୁ ପ୍ରଥମେ ଅଟକ ରଖିଥିବା ବେଳେ ପରବର୍ତ୍ତୀ ସମୟରେ ଅନ୍ୟ ଦୁଇ ଜଣଙ୍କୁ ତଦନ୍ତ ପରିସରକୁ ଆଣିଥିଲା।
ତଦନ୍ତରେ ଦୁଇ ଅଭିଯୁକ୍ତ ମୋହନ ମାଝୀ ଓ ନାବାଳକ ଡାକ୍ତର ନାଏକ ପ୍ରେମ ତ୍ରିକୋଣୀୟ ସମ୍ପର୍କରୁ ହତ୍ୟା କରିଥିବା ସ୍ୱୀକାର କରିଛନ୍ତି। ଜଣେ ଝିଅକୁ ମୃତକ ଦିଲୀପ ଓ ମୋହନ ଭଲ ପାଉଥିବା ବେଳେ ଏହି ଦୁଇ ଜଣଙ୍କ ମଧ୍ୟରେ ଝଗଡା ହେବା ସହ ହତ୍ୟାର ରୂପ ନେଇଥିଲା। ୧୮ ତାରିଖ ଦିନ ମୋହନ ଓ ଡାକ୍ତର ଦିଲୀପକୁ ଏକ ନାଳକୁ ନେଇ ହତ୍ୟା କରିଥିଲେ। ପୁନଶ୍ଚ ଏକ ବାଦାମ ଚାଷ ଜମିରେ ଦେଇଥିବା ୧୧ କେଭି ବିଦ୍ୟୁତ୍ ତାର ଯୁକ୍ତ ବରାଫାସରେ ଦିଲୀପକୁ ନେଇ ଠେଲି ଚାଲି ଆସିଥିବା ବେଳେ ବରାଫାସ ଦେଇଥିବା ନିକଟସ୍ଥ ଟେମରା ଦରଲୀପଡା ଗାଁର ଦୁଇ ଚାଷୀ ଅବତାର ମାଝୀ ଓ ଚନ୍ଦ୍ର ମାଝୀ ମୃତକ ଦିଲୀପକୁ ଦେଖି ଗୋଟିଏ ଦିନ ଲୁଚାଇବା ସହ ମୃତ ଦେହକୁ ପର ଦିନ ନଦୀରେ ଫୋପାଡ଼ି ଦେଇଥିଲେ। ପୁଲିସ ତଦନ୍ତ କରି ଅପରାଧରେ ବ୍ୟବହୃତ ଓ ବରାଫାସର ବିଦ୍ୟୁତ୍ ତାର ଓ ସମସ୍ତ ଜିନିଷକୁ ଜବତ କରିଛି।ତେବେ ଶନିବାର ମୁଖ୍ୟ ଅଭିଯୁକ୍ତ ସହ ଅନ୍ୟ ଦୁଇ ଜଣକୁ ମିଶାଇ ମୋଟ ଚାରି ଜଣକୁ କୋର୍ଟ ଚାଲାଣ କରିଥିବା ଏକ ସାମ୍ବାଦିକ ସମ୍ମିଳନୀରେ ଥାନା ଅଧିକାରୀ ବାସୁଦେବ ଛତ୍ରୀଆ ସୂଚନା ଦେଇଛିନ୍ତି।



