ଆଠଗଡ: ଚଳିତ ବର୍ଷା ଋତୁରେ ମହାନଦୀରେ ବନ୍ୟା ଆସନ୍ନ ଥିବାରୁ ସରକାର ଧନଜୀବନ ସୁରକ୍ଷା ପାଇଁ ସତର୍କ କରୁଛନ୍ତି।ସରକାରଙ୍କ ନିର୍ଦ୍ଦେଶ କ୍ରମେ ଆଠଗଡ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ବୈଠକ କରାଯାଇ ବିଭିନ୍ନ ଅଞ୍ଚଳରେ ଅଧିକାରୀ ମାନଙ୍କୁ ସଜାଗ ରହିବା ପାଇଁ ନିର୍ଦ୍ଦେଶନାମା ଜାରି ହୋଇଛି। ମାତ୍ର ଏହି ସମୟରେ ନଦୀ ବନ୍ଧକୁ ସୁରକ୍ଷା ବଦଳରେ ତାକୁ ହାଣି ଦେଇଥିବା ଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। କୌଣସି ସାଧାରଣ ଲୋକ ଏହି କାମ କରି ନାହାନ୍ତି ବରଂ ଖୋଦ ସରକାରୀ ଅଧିକାରୀ ମାନେ ଏଭଳି କାର୍ଯ୍ୟ କରିଥିବା ଜଣାପଡିଛି। ଆଠଗଡରୁ ମୁଣ୍ତଳୀ ଭାୟା କନ୍ଦରପୁର ରାସ୍ତାର ଧୁରୁକୁଡିଆ ଆଖଣ୍ଡଳମଣି ଗଢା ରାସ୍ତାରେ ଯେଉଁଠାରେ ଖୋଳାଯାଇଛି ସେଠାରୁ ସ୍ୱଳ୍ପ ଦୂରତା ମଧ୍ୟରେ ମହାନଦୀ ପ୍ରବାହିତ ହେଉଛି। ତଳମୁଣ୍ଡରେ ବର୍ଷା ସାଙ୍ଗକୁ ହୀରାକୁଦ ବନ୍ଧର ୧୪ଟି ଫାଟକ ଦେଇ ଜଳ ନିଷ୍କାସନ ହେଉଥିବାରୁ ଏବେ ମହାନଦୀର ତଳମୁଣ୍ଡ ଅବବାହିକାରେ ବନ୍ୟା ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ଥିବାରୁ ଏସଆରସି ସତର୍କ କରାଇଛନ୍ତି। ଏହି ସମୟରେ ଧୁରୁକୁଡିଆ ପାଖରେ ବନ୍ଧ ରାସ୍ତାରୁ ମହାନଦୀକୁ ଥିବା ଗଡା ରାସ୍ତାକୁ ୫ମିଟର ଗଭୀର ଓ ପ୍ରାୟ ୮-୯ ମିଟର ଚଉଡାରେ ଖୋଳି ଦିଆଯାଇଛି। ଏପରକି ଏହି ଖୋଳିବା ଦ୍ୱାରା ବନ୍ଧ ରାସ୍ତାର ପଥର ପ୍ୟାକିଂରୁ ପଥର ସବୁ ଖସି ପଡିଥିବାରୁ ବନ୍ଧ ଦୁର୍ବଳ ହୋଇଯାଇଥିବା ଅଭିଯୋଗ ହେଉଛି। ମୁଣ୍ତଳୀ ବ୍ୟାରେଜରେ ବନ୍ୟାଜଳ ବୃଦ୍ଧି ପାଇଲେ ଏହାର ଉପରମୁଣ୍ଡର ତଳି ଅଞ୍ଚଳ ବିଶେଷ କ୍ଷତିଗ୍ରସ୍ତ ହୋଇଥାନ୍ତି। ଏହି ଗଢା ରାସ୍ତାରେ ଅତୀତରେ ମଧ୍ୟ ଘାଇ ସୃଷ୍ଟି ହୋଇଥିବା ନେଇ ସ୍ଥାନୀୟ ସମାଜସେବୀ ତଥା ପରିବେଶବିତ ନିର୍ମିଳ କୁମାର ପ୍ରକାଶ କରିଛନ୍ତି। ଏହି ବନ୍ଧ ନିକଟରେ ଖୋଳାକୁ ନେଇ ଆଠଗଡର ଜଳସେଚନ ବିଭାଗର ସହକାରୀ ଯନ୍ତ୍ରୀଙ୍କୁ ଯୋଗାଯୋଗ କରିବାରେ ସରକାରୀ ରେକର୍ଡରେ ଏହା ବନ୍ଧ ନଥିଲେ ମଧ୍ୟ ଏହା ନଦୀବନ୍ଧ ଭଳି କାର୍ଯ୍ୟ କରୁଛି। ବନ୍ଧ ଠାରୁ ୩୦ ମିଟର ପରିଧି ମଧ୍ୟରେ କୌଣସି ଖୋଳାଯାଇପାରିବ ନାହିଁ। ମାତ୍ର ଏଠାରେ ୨-୩ ମିଟର ପରିଧି ମଧ୍ୟରେ ଖୋଳାଯାଇଛି। ନଦୀ ବାଲି ଚୋରାଚାଲାଣ ରୋକିବା ଲାଗି ଏହାକୁ ଖଣି ବିଭାଗ ଖୋଳିଥିବା ଜଳସେଚନ ବିଭାଗୀୟ ଯନ୍ତ୍ରୀ କହିଛନ୍ତି। ଏହି ଅଞ୍ଚଳରୁ ବାଲି ମାଫିଆ ମାନେ ନିୟମିତ ଶହ ଶହ ଟ୍ରିପ ବାଲି ଚୋରାଚାଲାଣ କରୁଥିବା ଅଭିଯୋଗ ହେଉଥିଲା। ବର୍ତ୍ତମାନ ବାଲି ସମେତ ଲଘୁ ଖଣିଜ ସାମଗ୍ରୀ ସୁରକ୍ଷା ଦାୟୀତ୍ୱ ରାଜସ୍ୱ ବିଭାଗ ହାତରୁ ହଟାଯାଇ ଖଣି ବିଭାଗ ଉପରେ ନ୍ୟସ୍ତ ହୋଇଛି । ତେବେ ବର୍ଷ ତମାମ ବିଶେଷକରି ଖରାଦିନେ ବାଲି ମାଫିଆମାନେ ହାଇୱା ଟ୍ରକ ଓ ଟ୍ରାକ୍ଟର ଯୋଗେ ଶହ ଶହ ଟ୍ରିପ ବାଲି ଚୋରା ଚାଲଣ କରୁଥିବା ବେଳେ ଖଣି ବିଭାଗୀୟ ଅଧିକାରୀ ଚୁପ ବସୁଛନ୍ତି। ବର୍ତ୍ତମାନ ବର୍ଷା ଋତୁରେ ନଦୀରୁ ବାଲି ଉଠାଇବା ସମ୍ଭବ ନଥିବାବେଳେ କେବଳ ଲୋକଦେଖାଣିଆ ଭାବେ ନଦୀ ବନ୍ଧକୁ ଲାଗି ରହିଥିବା ୨-୩ଟି ସ୍ଥାନରେ ଗଡା ରାସ୍ତାକୁ ଖୋଳିଦେବାର ମାନେ କଣ ବୋଲି ପରିବେଶବିତ ଓ ସ୍ଥାନୀୟ ବାସିନ୍ଦା ପ୍ରଶ୍ନ କରୁଛନ୍ତି । ମୁଣ୍ଡଳୀରେ ବନ୍ୟା ଜଳସ୍ତର ବୃଦ୍ଧି ପାଉଥିବା ସମୟରେ କାହିଁକି ଖୋଳା ଗଲା ତାହା ନେଇ ଅଞ୍ଚଳରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଖୋଳା ଯାଇଥିବା ୩ଟି ସ୍ଥାନରେ ଯଦି ଘାଇ ସୃଷ୍ଟି ହୁଏ ସେଥିପାଇଁ ସରକାର, ମୁଖ୍ଯତଃ ଖଣି ଓ ରାଜସ୍ବ ବିଭାଗ ଦାୟୀ ରହିବେ ବୋଲି ସ୍ଥାନୀୟ ଅଞ୍ଚଳବାସୀ ଚେତାଇ ଦେଇଛନ୍ତି।
Popular Categories



