ଦୋବଲ: ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଦୋବଲ ନିକଟ କୋରକଦା ଗଡ଼ାଣିରୁ କରଦା ଭାୟା ଅଙ୍ଗେଇପାଳ ଗେଙ୍ଗୁଟି ନଦୀବନ୍ଧ ରାସ୍ତା ବିପର୍ଯ୍ୟସ୍ତ ହୋଇପଡ଼ିଛି। ନଦୀବନ୍ଧ ସଂପୂର୍ଣ୍ଣ ମାଟି ରାସ୍ତା ହୋଇଥିବାରୁ ଟିକିଏ ବର୍ଷା ହେଲେ ଯିବା ଆସିବା ସମ୍ଭବ ହୋଇପାରୁନି। ଏବେ ବର୍ଷା ଋତୁ ହୋଇଥିବାରୁ ବନ୍ଧ ସାରା ଖାଲଖମାରେ ଭର୍ତ୍ତି। ଯେଉଁଠି ନାହିଁ ସେଠି ରାସ୍ତା ଉପରେ ପାଣି ଜମିଛି। ଯାହା ଫଳରେ ନନ୍ଦିପୁର, ଅଙ୍ଗେଇପାଳ ଓ କରଦା ଲୋକେ ଦୋବଲ ବଜାରକୁ ଯିବା ଆସିବାରେ କଷ୍ଟ ଭୋଗୁଛନ୍ତି।
ଦୋବଲରୁ କରଦା ଯିବାକୁ ମାତ୍ର ୪ କିଲୋମିଟର ଦୂର। ହେଲେ ବର୍ଷା ଦିନେ ଏ ରାସ୍ତାରେ ଯିବା ସମ୍ଭବ ହେଉନଥିବାରୁ ଅଙ୍ଗେଇପାଳ ଓ କରଦା ଲୋକେ ଖଡ଼ିପଦା, ସୁଜାଣସିଂହପୁର ହୋଇ ଯିବା ଆସିବା କରୁଛନ୍ତି। ଏଥିଲାଗି ସେମାନଙ୍କୁ ପ୍ରାୟ ୭ରୁ ୮ କିଲୋମିଟର ଅତିକ୍ରମ କରିବାକୁ ପଡୁଛି। ବେଶୀ ମାତ୍ରାରେ ହଇରାଣ ହେଉଛନ୍ତି ଅଙ୍ଗେଇପାଳ ଲୋକେ। ସେମାନଙ୍କ ପିଲାଛୁଆ ଦୋବଲ କିମ୍ବା ଖଡ଼ିପଦା ସ୍କୁଲରେ ପଢୁଛନ୍ତି। ବର୍ଷାଦିନେ ବନ୍ଧ ବାଟେ ଯିବା ସହଜ ହେଉନାହିଁ। ଏଥିଲାଗି ସେମାନେ ଅଧିକ ବାଟ ବୁଲୁଛନ୍ତି। ଆଉ କେହି କେହି ଚାଲି ଚାଲି ୪ କିଲୋମିଟର ଦୂର ଦୋବଲ ସ୍କୁଲକୁ ଆସୁଛନ୍ତି।
କୋରକଦା ଗଡ଼ାଣିରୁ ଅଙ୍ଗେଇପାଳ ଯାଏ ପିଚୁ କରିବା ଲାଗି ବହୁବାର ଦାବି ହୋଇଛି। ହେଲେ ଜଳ ସଂପଦ ବିଭାଗ ୨୦୧୬ରୁ ୨୦୧୮ ମଧ୍ୟରେ ନଦୀବନ୍ଧ ପ୍ରଶସ୍ତିକରଣ କରିବା ସହ ନାଲି ଗୋଡ଼ି ପକାଇ ଚୁପ୍ ବସିଗଲା। ତିନି ବର୍ଷ ହେଲା ନାଲି ଗୋଡ଼ି ପଡ଼ିଥିଲା। ଏବେ ଟ୍ରାକ୍ଟର ଓ ଗାଡ଼ି ଯିବା ଆସିବା ଫଳରେ ଖାଲଖମା ହୋଇଯାଇଚି। ପୁଣି ବର୍ଷା ପରେ ରାସ୍ତାର ଅବସ୍ଥା ସଂଗୀନ ହୋଇପଡ଼ିଛି। ଏନେଇ ଧାମନଗର ଜଳସଂପଦ ଅଧିକାରୀଙ୍କୁ ପଚାରିବାରୁ ସେ କହିଛନ୍ତି ଯେ, ବନ୍ଧ ରାସ୍ତାକୁ ପିଚୁ କରିବା ଲାଗି ପଦକ୍ଷେପ ନିଆଯାଇଛି।



