ପରିବହନ ମନ୍ତ୍ରୀଙ୍କ କଥା ଶୁଣିଲାନି ଡ୍ରାଇଭର୍ ମହାସଂଘ
ଡେସ୍କ: ଚାରି ଦିନ ହେଲାଣି ରାଜ୍ୟରେ ପରିବହନ ବ୍ୟବସ୍ଥା ଏକ ପ୍ରକାର ବନ୍ଦ ରହିଥିବା ବେଳେ ସାଧାରଣ ଜନତା କୌଣସି ଉପାୟ ନ ପାଇ ସରକାରଙ୍କ ଘୋଷଣାକୁ ଅପେକ୍ଷା କରିଛନ୍ତି। କେତେବେଳେ ସରକାର କହିବେ ଆନ୍ଦୋଳନ ପ୍ରତ୍ୟାହୃତ, ତାହାକୁ ହିଁ ଅପେକ୍ଷା କରିଛନ୍ତି ଲୋକେ। ହେଲେ ଆଜିକାଲି ହୋଇ ୪ ଦିନ ପୁରିଲା ଓ ଆସନ୍ତାକାଲିକୁ ପାଞ୍ଚ ଦିନରେ ପହଂଚିବ ଓଡିଶା ଡ୍ରାଇଭର ମହାସଂଘର ଷ୍ଟିଅରିଂ ଛାଡ଼ ଆନ୍ଦୋଳନ।
କଟକ ଓ ଭୁବନେଶ୍ୱର ଭଳି ମୁଖ୍ୟ ସହରାଂଚଳଗୁଡିକରେ ଲୋକମାନେ ଯେନତେନ ପ୍ରକାରେ ପରିସ୍ଥିତିକୁ ଆଦରି ଅପେକ୍ଷା କରିଥିବା ବେଳେ, ଅନ୍ୟ ସବୁଆଡେ ଅବସ୍ଥା ଏକ ପ୍ରକାର ଅସମ୍ଭାଳ ସ୍ଥିତିରେ ପହଂଚିଲାଣି। ଗୋଟିଏ ପଟେ ରାଜ୍ୟ ପରିବହନ ମନ୍ତ୍ରୀ ବିଭୁତି ଭୂଷଣ ଜେନାଙ୍କ ସମସ୍ତ ଆବେଦନ, ଅନୁରୋଧ ଓ ଆହ୍ୱାନକୁ ଡ୍ରାଇଭର ମହାସଂଘ ପ୍ରତ୍ୟାଖ୍ୟାନ କରିଥିବା ବେଳେ ସରକାରଙ୍କ ଠାରୁ ପ୍ରତିଶୃତି ପୂରଣ ନେଇ ଲିଖିତ ଭାବେ ଦେବାକୁ ଦାବି କରିଛି। ସରକାରଙ୍କ ପ୍ରତିଶୃତିରେ ବିଶ୍ୱାସ କରିପାରୁନାହିଁ ଡ୍ରାଇଭର ମହାସଂଘ।
କେବଳ ସେତିକି ନୁହେଁ, ଆସନ୍ତାକାଲି ଠାରୁ ଷ୍ଟିଅରିଂ ଛାଡ ଆନ୍ଦୋଳନକୁ ଆହୁରି ଜୋରଦାର କରିବାକୁ ସଙ୍ଘ ନିଷ୍ପତ୍ତି ନେଇଛି ଓ ସମସ୍ତ ଡ୍ରାଇଭରଙ୍କୁ ଆନ୍ଦୋଳନରେ ସାମିଲ ହେବାକୁ ଅନୁରୋଧ କରିଛି। ଯଦିଓ ବର୍ତ୍ତମାନ ପେଟ୍ରୋଲ କି ଡିଜେଲର ଅଭାବ ଏତେଟା ପରିଲକ୍ଷିତ ହୋଇନାହିଁ କିନ୍ତୁ ଆନ୍ଦୋଳନ ଅଧିକ ଦିନ ଜାରି ରହିଲେ ପରିସ୍ଥିତି ଅସମ୍ଭାଳ ହେବା ଅନୁମାନ କରାଯାଉଛି। ଅନ୍ୟ ପକ୍ଷରେ ମାଲ ପରିବହନ କରୁଥିବା ବାହନ ଅଧିକ ସଂଖ୍ୟାରେ ଚଳପ୍ରଚଳ ହେଉନଥିବାରୁ ଦୈନଦିନ ବ୍ୟବହାର୍ଯ୍ୟ ସାମଗ୍ରୀ ଓ ଖାଦ୍ୟ ଶସ୍ୟ ମୂଲ୍ୟ ବୃଦ୍ଧି ଆଶଙ୍କା ଦେଖାଦେବାର ସମ୍ଭାବନା ରହିଛି।



