ମୁମ୍ବଇକୁ ୨-୦ ରେ ହରାଇଲା ଓଡ଼ିଶା

ଆଇଏସ୍‍ଏଲ : ହ୍ୟାଟ୍ରିକ ବିଜୟ ସହ ଶୀର୍ଷ ୪ରେ ଓଡିଶା ଏଫ୍‍ସି

ଭୁବନେଶ୍ୱର  : ଦୁଇ ସ୍ପାନିଶ ତାରକା ଆରିଡାନ ସାଂଟନା ଓ ମିଡ୍‍ଫିଲଡର ସିସ୍କୋ ହର୍ଣ୍ଣାଣ୍ଡେଜ୍‍ଙ୍କ ଗୋଲ ବଳରେ ଓଡ଼ିଶା ଏଫ୍‍ସି ଆଇଏସ୍‍ଏଲ ଷଷ୍ଠ ସଂସ୍କରଣରେ ହ୍ୟାଟ୍ରିକ ବିଜୟ ସହ ପଏଣ୍ଟ ଟେବୁଲର ଚତୁର୍ଥ ସ୍ଥାନକୁ ଉନ୍ନୀତ ହୋଇଛି। କଳିଙ୍ଗ ଷ୍ଟାଡ଼ିୟମରେ ଶନିବାର ସନ୍ଧ୍ୟାରେ ଖେଳାଯାଇଥିବା ପ୍ରତିଯୋଗିତାର ୫୭ତମ ଲିଗ୍‍ ମ୍ୟାଚରେ ଓଡ଼ିିଶା ଏଫ୍‍ସି ୨-୦ ଗୋଲରେ ମୁମ୍ବଇ ସିଟି ଏଫ୍‍ସିକୁ ପରାସ୍ତ କରିଛି। ଏହି ବିଜୟ ସହ ଓଡ଼ିଶା ଏଫ୍‍ସି ୩ ପଏଣ୍ଟ ପାଇଥିବା ବେଳେ ମୁମ୍ବଇ ସିଟି ଏଫ୍‍ସିକୁ କୌଣସି ପଏଣ୍ଟ ମିଳିନାହିଁ।
ମୁମ୍ବାଇ ସିଟି ଏଫ୍‍ସିକୁ ପ୍ରଥମ ମ୍ୟାଚରେ ୪-୨ ଗୋଲରେ ପରାଜିତ କରିଥିବା ଓଡ଼ିଶା ଏଫ୍‍ସି ଉକ୍ତ ପ୍ରଦର୍ଶନକୁ ବଜାୟ ଲକ୍ଷ୍ୟରେ ପଡ଼ିଆକୁ ଓହ୍ଳାଇଥିଲା। ଚତୁର୍ଥ ସ୍ଥାନରେ ଥିବା ମୁମ୍ବଇ ସିିଟି ଏଫ୍‍ସି ଓ ପଞ୍ଚମ ସ୍ଥାନରେ ଥିବା ଓଡ଼ିଶା ଏଫ୍‍ସି ମଧ୍ୟରେ ମ୍ୟାଚ ପ୍ରାରମ୍ଭରୁ ସଂଘର୍ଷପୂର୍ଣ୍ଣ ହୋଇଥିଲା। ଓଡ଼ିଶା ଏଫ୍‍ସି ପ୍ରଥମାର୍ଦ୍ଧ ଖେଳରେ ଉତ୍ତମ ଖେଳ ପ୍ରଦର୍ଶନ କରିଥିଲେ ମଧ୍ୟ ଗୋଲ ଦେବାରେ ବିଫଳ ହୋଇଥିଲା। ପ୍ରଥମାର୍ଦ୍ଧ ଖେଳ ଗୋଲଶୂନ୍ୟ ଭାବେ ଶେଷ ହୋଇଥିଲା। ଦ୍ୱିତୀୟାର୍ଦ୍ଧରେ ଓଡ଼ିଶା ଏଫ୍‍ସି ଅଧିକ ଆକ୍ରମଣାତ୍ମକ ଖେଳ ଖେଳିଥିଲା। ୪୮ ମିନିଟ୍‍ରେ ଫରୱାର୍ଡ ଆରିଡାନ ସାଂଟନା ବିପକ୍ଷ ଦଳ ରକ୍ଷଣାପନ୍ଥୀକୁ ଭେଦ କରି ଗୋଲ ଦେବାରେ ସକ୍ଷମ ହୋଇଥିଲେ। ଓଡ଼ିଶା ଏଫ୍‍ସି ୧-୦ ଗୋଲରେ ଆଗୁଆ ରହିବା ପରେ ମ୍ୟାଚ ଅଧିକ ସଂଘର୍ଷପୂର୍ଣ୍ଣ ହୋଇଥିଲା। ପରେ ଏକାଧିକ ସୁଯୋଗକୁ ହାତଛଡ଼ା କରିବା ପରେ ଓଡ଼ିଶା ଏଫ୍‍ସି ପକ୍ଷରୁ ମିଡ୍‍ଫିଲଡର ସିସ୍କୋ ହର୍ଣ୍ଣାଣ୍ଡିଜ୍‍ ଖେଳର ୭୪ ମିନିଟ୍‍ରେ ଦ୍ୱିତୀୟ ଗୋଲ ଦେବାରେ ସକ୍ଷମ ହୋଇଥିଲେ। ୨-୦ ଗୋଲରେ ଓଡ଼ିଶା ଏଫ୍‍ସି ଆଗୁଆ ରହିବା ପରେ ମୁମ୍ବଇ ସିଟି ଏଫ୍‍ସିର ପ୍ରତ୍ୟାବର୍ତନ ଆଶା ମଉଳି ଯାଇଥିଲା। ମ୍ୟାଚ ଶେଷ ପର୍ଯ୍ୟନ୍ତ ଗୋଲ ଦେବା ନେଇ ମୁମ୍ବାଇ ସିଟି ଉଦ୍ୟମ କରିଥିଲେ ମଧ୍ୟ ଓଡ଼ିଶା ଏଫ୍‍ସି ଖେଳାଳିମାନେ କୌଣସି ସୁଯୋଗ ଦେଇନଥିଲେ। ଶେଷରେ ଓଡ଼ିଶା ଏଫ୍‍ସି ମ୍ୟାଚକୁ ୨-୦ରେ ଜିତିବାରେ ସକ୍ଷମ ହୋଇଥିଲା। ଓଡ଼ିଶା ଏଫ୍‍ସି ୧୨ଟି ମ୍ୟାଚରୁ ୫, ବିଜୟ, ୪ ପରାଜୟ ଓ ୩ ଡ୍ର ସହ ୧୮ ପଏଣ୍ଟ ପାଇ ଗ୍ରୁପ ଚତୁର୍ଥ ସ୍ଥାନକୁ ଉନ୍ନୀତ ହୋଇଥିବାବେଳେ ଦଳ ୧୩ତମ ଲିଗ୍‍ ମ୍ୟାଚ ୧୫ରେ ହାଇଦ୍ରାବାଦ୍‍ ଏଫ୍‍ସି ସହିତ ଜିଏମ୍‍ସି ବାଲାଯୋଗୀ ଷ୍ଟାଡ଼ିୟମ ହାଇଦ୍ରାବାଦ୍‍ରେ ଖେଳିବ। ସେହିପରି ମୁମ୍ବଇ ସିଟି ଏଫ୍‍ସି ୧୨ଟି ମ୍ୟାଚରୁ ୪ ବିଜୟ, ୪ ଡ୍ର ଓ ୪ ପରାଜୟ ସହ ୧୬ ପଏଣ୍ଟ ପାଇ ଗ୍ରୁପ ୫ମ ସ୍ଥାନକୁ ଖସି ଆସିଛି। ମ୍ୟାଚ ଦେଖିବା ଲାଗି ଷ୍ଟାଡ଼ିୟମରେ ୭୦୦୦ରୁ ଊର୍ଦ୍ଧ୍ବ ଦର୍ଶକଙ୍କ ସମାଗମ ହୋଇଥିଲା। ବିଶେଷ କରି ଗ୍ୟାଲେରୀରେ ଓଡ଼ିଶା ଏଫ୍‍ସି ମାଲିକ ଡ. ଅନୀଲ ଶର୍ମା, ପତ୍ନୀ ଫାରିବା ଶର୍ମା , ଟିମ୍‍ ନିର୍ଦେଶକ ରୋହନ ଶର୍ମା କୋମଲକାନ୍ତ ଶର୍ମା, ନୀତା ଦତ୍ତ, ସୁଷମା ଦତ୍ତ, ରେଣୁ ବାଲି ଓ ଜୟ ବାଲି ପ୍ରମୁଖ ଉପସ୍ଥିତ ରହି ଦଳକୁ ଉତ୍ସାହିତ କରିଥିଲେ।

Comments are closed.