ଅନ୍ଧାରରେ ୩୬ ଓଡିଶା ଆଦର୍ଶ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ

ବିନାନୁମତିରେ ନାମଲେଖା ଯାଇଛି;  ଛାତ୍ରଛାତ୍ରୀ ଙ୍କ କିଛି ଅସୁବିଧା ହେବ ନାହିଁ: ଗଣଶିକ୍ଷା ମନ୍ତ୍ରୀ

 ଅଡୁଆରେ ପଡ଼ିଛନ୍ତି ନାମଲେଖାଇ ଥିବା ସହସ୍ରାଧିକ ଛାତ୍ର ଛାତ୍ରୀ

ସାର୍ଟିଫିକେଟ ଫେରାଇ ନେବାକୁ ଅଭିଭାବକଙ୍କୁ ବାଧ୍ୟ କରାଯାଉଛି

ଚଳିତ ଶିକ୍ଷା ବର୍ଷରୁ ରାଜ୍ୟରେ ଆରମ୍ଭ ହେବାକୁ ଥିବା ସରକାରଙ୍କ ନୂଆ ୩୬ଟି ଆଦର୍ଶ ବିଦ୍ୟାଳୟର ଭବିଷ୍ୟତ ଅନ୍ଧାରକୁ ଠେଲି ହୋଇଯାଇଛି । ସେହିପରି ୩୦ଟି ଆଦର୍ଶ ବିଦ୍ୟାଳୟକୁ ଉଚ୍ଚ ମାଧ୍ୟମିକ ଆଦର୍ଶ ବିଦ୍ୟାଳୟକୁ ଉନ୍ନୀତ କରିବା ଯୋଜନା ମଧ୍ୟ କାର୍ଯ୍ୟକାରୀ ହୋଇପାରିବ କି ନା ତାହା ସନ୍ଦେହ ସୃଷ୍ଟି ହୋଇଛି । ନୂଆ ଖୋଲିବାକୁ ଥିବା ଆଦର୍ଶ ବିଦ୍ୟାଳୟ ଗୁଡିକରେ ନାମଲେଖା ପ୍ରକ୍ରିୟା ଶେଷ ହୋଇ ଯାଇଥିବା ବେଳେ ଶିକ୍ଷାଦାନ  ଆରମ୍ଭ ହୋଇପାରି ନାହିଁ । ଶିକ୍ଷକ ଓ କର୍ମଚାରୀ ନିଯୁକ୍ତି ହୋଇ ପାରିନଥିବାରୁ ଶିକ୍ଷା ଦାନ ଆରମ୍ଭ ହେବାର ସମ୍ଭାବନା ମଧ୍ୟ ନାହିଁ । ଏଣୁ ନାମଲେଖାଇ ଥିବା ଛାତ୍ରଛାତ୍ରୀ ଙ୍କ ସାର୍ଟିଫିକେଟ ଫେରାଇନେବା ପାଇଁ ଅଭିଭାବକଙ୍କୁ ବାଧ୍ୟ କରାଯାଉଛି ।

ଘରୋଇ ଇଂରାଜୀ ମାଧ୍ୟମ ବିଦ୍ୟାଳୟର ଲୋକପ୍ରିୟତାକୁ ଦେଖି ରାଜ୍ୟ ସରକାର  ସିବିଏସସି ଢାଞ୍ଚାରେ ଓଡିଶା ଆଦର୍ଶ ବିଦ୍ୟାଳୟ (ଇଂରାଜୀ ମାଧ୍ୟମ ବିଦ୍ୟାଳୟ) ଖୋଲିଛନ୍ତି ।  ଜବାହର ନବୋଦୟ ବିଦ୍ୟାଳୟ ଢାଞ୍ଚାରେ ସଂପୂର୍ଣ୍ଣ ମାଗଣା ଶିକ୍ଷା, ଛାତ୍ରାବାସ  ବ୍ୟବସ୍ଥା ମଧ୍ୟ କରା ଯାଇଛି । ଗ୍ରାମାଞ୍ଚଳରେ ଥିବା ପିଲାଙ୍କ ଇଂରାଜୀ ମାଧ୍ୟମରେ ପାଠ ପଢିବା ସ୍ୱପ୍ନକୁ ସାକାର କରିବା ସହ ଗ୍ରାମାଞ୍ଚଳରେ ଥିବା ଲୁକ୍କାୟିତ ପ୍ରତିଭାକୁ ଲୋକଲୋଚନକୁ ଆଣିବା ଓ ଆଗକୁ ବଢ଼ିବାରେ ସହଯୋଗ କରିବାକୁ ସରକାର ଆଦର୍ଶ ବିଦ୍ୟାଳୟ ସଂଗଠନ ମାଧ୍ୟମରେ ଏହି  ଯୋଜନା ଆରମ୍ଭ କରିଥିଲେ ।

ରାଜ୍ୟରେ ବିଭିନ୍ନ ଜିଲ୍ଲାରେ ପୂର୍ବରୁ ୨୧୪ଟି ଆଦର୍ଶ  ବିଦ୍ୟାଳୟ ରହିଛି  । ସରକାର ଗତବର୍ଷ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଆଉ ୩୬ଟି ବ୍ଲକରେ ନୂଆ ଆଦର୍ଶ ବିଦ୍ୟାଳୟ ଖୋଲିବାକୁ ଘୋଷଣା କରିଥିଲେ । ଏହାସହ ୩୦ ଟି ଆଦର୍ଶ ବିଦ୍ୟାଳୟ କୁ ଉଚ୍ଚ ମାଧ୍ୟମିକସ୍ତରକୁ ଉନ୍ନୀତ କରାଯିବାକୁ ଘୋଷଣା କରାଯାଇଥିଲା ।  ଅନୁଗୋଳ ଜିଲା କଣିହାଁ ବ୍ଲକରେ ଗୋଟିଏ  ବରଗଡ଼ ଜିଲ୍ଲାର  ବିଜେପୁର, ଅମ୍ବାଭୋନା, ଭଟଲି, ଭେଡେନ ଓ ସୋହେଲା ଆଦି ବ୍ଲକରେ ଗୋଟିଏ ଲେଖାଏଁ ମୋଟ  ୫ଟି ଆଦର୍ଶ ବିଦ୍ୟାଳୟ ଖୋଲିବାକୁ କୁହାଯାଇଥିଲା । ସେହିପରି ବଲାଙ୍ଗୀର ଜିଲ୍ଲାର ବେଳପଡା ଓ ଗୁଡ଼ଭେଲାରେ ଗୋଟିଏ ଲେଖାଏଁ , ଭଦ୍ରକ ବାସୁଦେବପୁରରେ ଗୋଟିଏ, କଟକ ଜିଲ୍ଲାରେ କଟକ ସଦର, ଆଠଗଡ ଓ ବଡମ୍ବା , ଢେଙ୍କାନାଳ ଜିଲ୍ଲାରେ ଗଁଦିଆ ,ପରଜଙ୍ଗ ଓ ଓଡ଼ାପଡା, ଯାଜପୁର ଜିଲ୍ଲାର ବଡ଼ଚଣା ଓ ବିଂଝାରପୁର , ଝାରସୁଗୁଡ଼ା ଜିଲାର ଝାରସୁଗୁଡ଼ା ସଦର ଓ ଲଖନପୁର, କନ୍ଧମାଳ ଜିଲ୍ଲାର ଜି.ଉଦୟଗିରି, କେନ୍ଦୁଝର ଜିଲାର ସଦର ମହକୁମା, ଖୋର୍ଦ୍ଧା ଜିଲାର ବାଲିଅନ୍ତା, ବୋଲଗଡ଼, ବାଣପୁର, ଚିଲିକା ଓ ଜଟଣୀ, ନୟାଗଡ଼ ଜିଲ୍ଲାର ଭାପୁର, ରଣପୁର ଓ ଦଶପଲ୍ଲା, ସମ୍ବଲପୁର ଜିଲ୍ଲାର ଜମନକିରା, କୁଚିଣ୍ଡା,ମାନେଶ୍ୱର, ଧନକଉଡା ଓ ନାକଟିଦେଉଳରେ ଆଦର୍ଶ ବିଦ୍ୟାଳୟ ଖୋଲିବାକୁ କୁହାଯାଇଥିଲା । ସେହିପରି  ସୁନ୍ଦରଗଡ଼ ଜିଲ୍ଲାର ହେମଗିରି ଓ ସୁବର୍ଣପୁର ଜିଲ୍ଲାର ବିନିକା ବ୍ଲକରେ ଆଦର୍ଶ ବିଦ୍ୟାଳୟ ଖୋଲିବା ସହ ଷଷ୍ଠ ଶ୍ରେଣୀରେ ନାମଲେଖା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା ।

ଘୋଷଣା ଅନୁସାରେ ନୂଆ କରି ଖୋଲା ଯାଉଥିବା ଆଦର୍ଶ ବିଦ୍ୟାଳୟ ପାଇଁ ନୂଆ କୋଠା ତିଆରି କରିବା ଯୋଜନା ପ୍ରସ୍ତୁତ କରାଯାଇଥିଲା । ମାତ୍ର ସେଗୁଡିକ ଆଜି ଯାଏ ନିର୍ମାଣ ଶେଷ ହୋଇ ପାରିନାହିଁ । କୋଠା ନଥିଲେ ଅସ୍ଥାୟୀ କ୍ୟାମ୍ପସରେ ପାଠ ଆରମ୍ଭ ପାଇଁ କୁହା ଯାଇଥିଲା । ଶିକ୍ଷା ବିଭାଗ ସମେତ ଓଡିଶା ଆଦର୍ଶ ବିଦ୍ୟାଳୟ ଅନୁଷ୍ଠାନର  ନିର୍ଦେଶନାମା ଅନୁସାରେ ସମସ୍ତ ନୂଆ ଆଦର୍ଶ ବିଦ୍ୟାଳୟଗୁଡିକ ପାଇଁ ପ୍ରଧାନ ଶିକ୍ଷକ ନିଯୁକ୍ତି କରାଯାଇଥିଲା । ନୂଆ ନିଯୁକ୍ତି କରାଯାଇ  ପରିବର୍ତେ ଆଦର୍ଶ ବିଦ୍ୟାଳୟ ଖୋଲାଯିବାକୁ ଥିବା ସମ୍ପୃକ୍ତ ଜିଲ୍ଲାର ବିଭିନ୍ନ ବ୍ଲକରେ ଥିବା ନିକଟସ୍ଥ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ମାନଙ୍କୁ ଆଦର୍ଶ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦାୟିତ୍ୱ  ଦିଆ ଯାଇଥିଲା । ସମସ୍ତେ ପ୍ରାୟ ଏହି ଦାୟିତ୍ୱ ତୁଲାଉଛନ୍ତି । ପ୍ରାୟ ସମସ୍ତ ଜିଲାରେ ଆଦର୍ଶ ବିଦ୍ୟାଳୟ ର ନୂତନ କୋଠା ନିର୍ମାଣ  ଚାଲିଛି । ଅଧିକାଂଶ ବିଦ୍ୟାଳୟ ନିର୍ମାଣ ଶେଷ ପର୍ଯ୍ୟାୟରେ ପହଂଚିଛି ।

ବିଦ୍ୟାଳୟ କୋଠା ନିର୍ମାଣ ଶେଷ ହୋଇନଥିବାରୁ  ଅସ୍ଥାୟୀ କ୍ୟାମ୍ପସ ରେ ପାଠ ପଢା  ଆରମ୍ଭ କରିବା ପାଇଁ କୁହାଯାଇଥିଲା । ସେହି ଅନୁସାରେ  ଦାୟିତ୍ୱରେ ଥିବା ସମ୍ପୃକ୍ତ ଆଦର୍ଶ ବିଦ୍ୟାଳୟର ପ୍ରଧାନ ଶିକ୍ଷକମାନେ ନିଜନିଜ ଜିଲ୍ଲା ର ଜିଲାପାଳଙ୍କ ଅନୁମୋଦନ କ୍ରମେ ଚଳିତ ଶିକ୍ଷାବର୍ଷ ପାଇଁ ଆଦର୍ଶ ବିଦ୍ୟାଳୟରେ  ଷଷ୍ଠ ଶ୍ରେଣୀ ନାମଲେଖା ବିଜ୍ଞାପନ ପ୍ରକାଶ କରି ଥିଲେ । ନିର୍ଧାରିତ ସମୟରେ ପ୍ରବେଶିକା ପରୀକ୍ଷା କରାଇଥିଲେ । ପ୍ରବେଶିକା ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା  ୮୦ ଲେଖାଏଁ ପିଲାଙ୍କ ନାମଲେଖା ପ୍ରକ୍ରିୟା ଶେଷ କରିଥିଲେ । ୩୬ଟି ନୂଆ ଆଦର୍ଶ ବିଦ୍ୟାଳୟ ମଧ୍ୟରୁ ୨୪ଟି ବିଦ୍ୟାଳୟରେ ଛାତ୍ର ଛାତ୍ରୀ ଙ୍କ ନାମଲେଖା ପ୍ରକ୍ରିୟା ଶେଷ ହୋଇଯାଇଛି । ନାମଲେଖା ସହ ଛାତ୍ର ଛାତ୍ରୀ ମାନଙ୍କୁ ବହି ଯୋଗାଇ ଦିଆଯାଇଥିଲା । ଘରେ ରହି ପାଠ ପଢା ଆରମ୍ଭ କରିବାକୁ ପରାମର୍ଶ ଦିଆଯାଇଥିଲା ।

ମାତ୍ର ଏବେ ଅଭିଭାବକମାନଙ୍କୁ  ଛାତ୍ରଛାତ୍ରୀ ଙ୍କ ସାର୍ଟିଫିକେଟ ଫେରାଇନେବା ପାଇଁ କୁହାଯାଇଥିବା ଅଭିଯୋଗ ହୋଇଛି। ଚଳିତ ବର୍ଷ ଆଦର୍ଶ ବିଦ୍ୟାଳୟରେ ପାଠ ପଢା ହୋଇ ପାରିବ ନାହିଁ ବୋଲି କୁହାଯାଇଛି । ଏଣୁ ନିଜ ନିଜ ପିଲାଙ୍କ ସାର୍ଟିଫିକେଟ ଫେରାଇନେବା ସହ  ପିଲାମାନେ ପଢ଼ୁଥିବା ପୂର୍ବ  ବିଦ୍ୟାଳୟ ରେ ପୁଣି ଥରେ ନାମଲେଖାପାଇଁ ପରାମର୍ଶ ଦିଆଯାଇଛି । ଅନ୍ୟଥା ଅନ୍ୟ ବିଦ୍ୟାଳୟରେ ନାମଲେଖାଇ ପାଠ ପଢ଼ିବା ପାଇଁ ପରାମର୍ଶ ଦିଆଯାଇଛି । ଏପରି ଅଭାବନୀୟ ପରିସ୍ଥିତିରେ ଅଭିଭାବକ ନିଜ ନିଜ ପିଲାଙ୍କ ଭବିଷ୍ୟତ ନେଇ ସନ୍ଦିହାନ ହୋଇ ପଡିଛନ୍ତି ।  ପ୍ରାୟ ସମସ୍ତ ବିଦ୍ୟାଳୟ ଗୁଡିକ ରେ ନାମଲେଖା ପ୍ରକ୍ରିୟା ଶେଷ ହୋଇଯାଇଥିବା ବେଳେ ବିଗତ ୪ ମାସ ରୁ ଅଧିକ ସମୟ ହେଲା ଅନଲାଇନ ପାଠପଢା ଆରମ୍ଭ ହୋଇଯାଇଛି । ଅଧିକାଂଶ ବିଦ୍ୟାଳୟରେ  ଅନଲାଇନ ରେ ତ୍ରୟ ମାସିକ ପରୀକ୍ଷା ଶେଷ ହୋଇ ଗଲାଣି । ଏଣୁ ଅଭିଭାବକ ମାନେ ମାନସିକ ଦୁଶ୍ଚିନ୍ତା ରେ ପଡ଼ିଯାଇଛନ୍ତି ।

ପୂର୍ବରୁ ଥିବା ୨୧୪ ଆଦର୍ଶ ବିଦ୍ୟାଳୟ ରେ  ଷଷ୍ଠ ଶ୍ରେଣୀ ପାଇଁ ନୂଆ ନାମ ଲେଖାଇ ଥିବା ପିଲାଙ୍କ ପାଇଁ କୌଣସି ଅସୁବିଧା ହେଉ ନ ଥିବା ବେଳେ ନୂଆ ଖୋଲିବାକୁ ଥିବା ୩୬ ଟି ବିଦ୍ୟାଳୟ ପାଇଁ ହିଁ ଏପରି ସମସ୍ୟା ସୃଷ୍ଟି ହୋଇଛି । କୋରୋନା କଟକଣା ନୂଆ ଆଦର୍ଶ ବିଦ୍ୟାଳୟ  ନାନା ପ୍ରକାର ସମସ୍ୟା ସୃଷ୍ଟି କରିଛି । ନୂଆ ବିଦ୍ୟାଳୟଗୁଡିକ ପାଇଁ  ଶିକ୍ଷକ ଓ କର୍ମଚାରୀ ନିଯୁକ୍ତି ହୋଇ ପାରି ନାହିଁ ।  ଏଣୁ ଅଭିଭାବକମାନେ ନିଜନିଜ ପିଲାଙ୍କ ଭବିଷ୍ୟତ ନେଇ ସନ୍ଦିହାନ ହୋଇ ପଡିଛନ୍ତି । ଏପରି ଅଭାବନୀୟ ପରିସ୍ଥିତି ସମ୍ବନ୍ଧରେ ଜିଲା ଶିକ୍ଷା ଅଧିକାରୀ ମାନଙ୍କ ପାଖରେ ମଧ୍ୟ କୌଣସି ସନ୍ତୋଷଜନକ ଉତ୍ତର ନାହିଁ । ଜିଲ୍ଲାପାଳ ମାନେ ମଧ୍ୟ ଏପରି ସମସ୍ୟା ସମ୍ବନ୍ଧରେ ଅବଗତ ନଥିବା ଜଣା ପଡିଛି ।

ବିନାନୁମତିରେ ନାମଲେଖା ଯାଇଛି;  ଛାତ୍ରଛାତ୍ରୀ ଙ୍କ କିଛି ଅସୁବିଧା ହେବ ନାହିଁ: ଗଣଶିକ୍ଷା ମନ୍ତ୍ରୀ
୩୬ ଟି ନୂଆ ଆଦର୍ଶ ବିଦ୍ୟାଳୟ ରେ ଛାତ୍ର ଛାତ୍ରୀ ଙ୍କ ନାମଲେଖା ପରେ ସାର୍ଟିଫିକେଟ ଫେରାଇ ନେବାକୁ ବାଧ୍ୟ କରାଯାଉଥିବା ସମ୍ବନ୍ଧରେ ରାଜ୍ୟ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କ ପ୍ରତିକ୍ରିୟା ନିଆଯାଇଥିଲା । ମନ୍ତ୍ରୀ  କହିଛନ୍ତି ଯେ, ଆଦର୍ଶ ବିଦ୍ୟାଳୟ ଗୁଡିକରେ ଶିକ୍ଷା ବିଭାଗ ର ବିନାନୁମତିରେ ନାମ ଲେଖା ଯାଇଥିଲା । ନାମ ଲେଖା ଯାଇଥିବା ସମସ୍ତ ଜିଲ୍ଲାର ଶିକ୍ଷା ଅଧିକାରୀ ଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି । ପିଲାମାନଙ୍କ କୌଣସି ଅସୁବିଧା ହେବନି । ସମସ୍ତେ ଆସନ୍ତା ଶିକ୍ଷା ବର୍ଷ ରେ ଓଡିଶା ଆଦର୍ଶ ବିଦ୍ୟାଳୟରେ ସିଧା ସଳଖ ସପ୍ତମ ଶ୍ରେଣୀରେ ନାମ ଲେଖିପାରିବେ । ଏମାନଙ୍କ ପାଇଁ କୌଣସି ପ୍ରବେଶିକା ପରୀକ୍ଷା ହେବ ନାହିଁ । ବର୍ତ୍ତମାନ ଛାତ୍ର ଛାତ୍ରୀ ମାନେ ସମସ୍ତେ ନିଜ ନିଜର ପୂର୍ବ ସ୍କୁଲରେ ଷଷ୍ଠ ଶ୍ରେଣୀରେ ନାମ ଲେଖାଇ ପାଠ ପଢିବେ । ପୂର୍ବ ସ୍କୁଲ ଏମାନଙ୍କ ନାମଲେଖା ପାଇଁ ମାନକରିପାରିବେ ନାହିଁ । ଏଥିପାଇଁ ସରକାର ସ୍ଵତନ୍ତ୍ର ନିର୍ଦେଶ ଦେଇଛନ୍ତି ବୋଲି ରାଜ୍ୟ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି ।

Comments are closed.