ଫୁଲବାଣୀ: ଏକ ଏସିଡ ଆକ୍ରମଣ ମାମଲାର ଶୁଣାଣି କରି ଫୁଲବାଣୀ ଅତିରିକ୍ତ ଜିଲ୍ଲା ଦୌରା ଜଜ୍ ଅଭିଯୁକ୍ତକୁ ୧୨ ବର୍ଷ ସଶ୍ରମ କାରାଦଣ୍ଡ ଆଦେଶ ଦେଇଛନ୍ତି। ଏଥି ସହିତ ଦୋଷୀକୁ ୫୦ ହଜାର ଟଙ୍କା ଜରିମାନା କରାଯାଇଛି। ଜରିମାନା ଅନାଦେୟ ଅଭିଯୁକ୍ତକୁ ଅଧିକ ୬ ମାସ ଜେଲ ଦଣ୍ଡ ଭୋଗିବାକୁ ପଡ଼ିବ ବୋଲି ଅଦାଲତ ତାଙ୍କ ରାୟରେ ଉଲ୍ଲେଖ କରିଛନ୍ତି। ଅଭିଯୁକ୍ତ ଜଣକ ହେଲେ ଟାଉନ ଥାନା ଅନ୍ତର୍ଗତ ପଟାବାଲି ସାହିର ପ୍ରମୋଦ କୁମାର ସାହୁ (୬୦)।
ଘଟଣା ଅନୁଯାୟୀ, ଗତ ୨୦୨୩ ଡିସେମ୍ବର ୨୮ ତାରିଖରେ ଫୁଲବାଣୀ ସାହିର ସୁରଜ କୁମାର ମହାନ୍ତି ସ୍ଥାନୀୟ ଶଶି ପାନ ଦୋକାନ ଛକଠାରେ ଠିଆ ହୋଇଥିବାବେଳେ ଅଭିଯୁକ୍ତ ପ୍ରମୋଦ ତାଙ୍କ ଉପରକୁ ଏସିଡ ଫିଙ୍ଗିଥିଲା। ଏ ଖବର ପାଇ ସୁରଜଙ୍କ ବାପା କୃଷ୍ଣଚନ୍ଦ୍ର ମହାନ୍ତି ଘଟଣା ସ୍ଥଳରେ ପହଁଚିବାରୁ ଅଭିଯୁକ୍ତ ତାଙ୍କ ଉପରକୁ ମଧ୍ୟ ଏସିଡ ମାଡ କରିଥିଲା। ଏସିଡ ମାଡ଼ରେ ଗୁରୁତର ବାପା ଓ ପୁଅଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ପରେ ଅଭିଯୁକ୍ତକୁ କାବୁ କରି ପୁଲିସ ଜିମା ଦେଇଥିଲେ। ଟାଉନ ଥାନା ପୁଲିସ ଏହି ଘଟଣାରେ ଏକ ମାମଲା(୩୨୯/୨୩) ରୁଜୁ କରି ଅଭିଯୁକ୍ତକୁ ଗିରଫ କରିଥିଲା। ଶୁକ୍ରବାର ଏହି ମାମଲାର ଶୁଣାଣି କରି ଅତିରିକ୍ତ ଜିଲ୍ଲା ଦୌରାଜଜ୍ ପ୍ରୀତିଶ କୁମାର ରାଉତରାୟ ୧୭ ଜଣ ସାକ୍ଷୀ ଓ ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନକୁ ଭିତ୍ତି କରି ଉପରୋକ୍ତ ଦଣ୍ଡାଦେଶ ଶୁଣାଇଛନ୍ତି। ମାମଲାକୁ ସରକାରଙ୍କ ପକ୍ଷରୁ ଅତିରିକ୍ତ ସରକାରୀ ଓକିଲ ଶିବପ୍ରସାଦ ତ୍ରିପାଠୀ ପରିଚାଳନା କରୁଥିଲେ।



