ଜଗତସିଂହପୁର: ଜଗତସିଂହପୁର ଥାନା ଅଧୀନ ମାର୍କଣ୍ଡପୁର ବାସିନ୍ଦା ତଥା ଓଏଏସ ଅଧିକାରୀ ଆଲବର୍ଟ ହାଁସଦାଙ୍କ ପତ୍ନୀ ଫୁଲମଣି କିସ୍କୁଙ୍କୁ ଶାଶୂଘର ଲୋକେ ନିର୍ଯାତନା ଓ ଧମକ ଦେଉଥିବା ଅଭିଯୋଗ ହୋଇଛି। ପୁଲିସ ଏନେଇ ମାମଲା ରୁଜୁ କରି ତଦନ୍ତ ଚଳାଇଛି।
ଅଭିଯୋଗ ଅନୁଯାୟୀ, ମାର୍କଣ୍ଡପୁର ଗ୍ରାମର ଗଣେଶ ହାଁସଦାଙ୍କ ପୁଅ ଆଲବର୍ଟଙ୍କ କେନ୍ଦୁଝର ଜିଲା ଦଇତାରୀର ଫୁଲମଣିଙ୍କ ଦୀର୍ଘବର୍ଷ ହେଲା ପ୍ରେମ ସମ୍ପର୍କ ଥିଲା। ତିନିବର୍ଷ ତଳେ ସେମାନେ ସାନସ୍ତା ସମାଜ ପରମ୍ପରା ଅନୁସାରେ ବିବାହ କରିଥିଲେ। ଏହି ଘଟଣା ସମ୍ପର୍କରେ ଆଲବର୍ଟଙ୍କ ପରିବାର ଜାଣିଥିଲେ। ଆଲବର୍ଟ ଓଏଏସ ପାଇବା ପରେ ପତ୍ନୀ ଫୁଲମଣିଙ୍କଠାରୁ ଦୂରେଇ ଯିବାକୁ ଉଦ୍ୟମ କରିଥିଲେ। ଫୁଲମଣି ଅନେକଥର ଫୋନ୍ କରିଥିଲେ ମଧ୍ୟ ସେ ଉଠାଉନଥିଲେ। ବାରମ୍ବାର ସ୍ବାମୀଙ୍କ ସହ ଯୋଗାଯୋଗ କରି ବିଫଳ ହେବା ପରେ ଫୁଲମଣି ଗତ ଜାନୁଆରୀ ୧୯ ତାରିଖରେ ଆଲବର୍ଟଙ୍କ ନାମରେ ଜଗତସିଂହପୁର ଥାନାରେ ଏତଲା ଦେଇଥିଲେ। ପୁଲିସ ମାମଲା ରୁଜୁ କରିଥିଲେ ମଧ୍ୟ କୌଣସି ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବା ଯୋଗୁଁ ୩ଦିନ ପରେ ଫୁଲମଣି ଜିଲା ଆରକ୍ଷୀ ଅଧୀକ୍ଷକଙ୍କୁ ଭେଟି ଅଭିଯୋଗ କରିଥିଲେ।
ଜାନୁଆରୀ ୨୨ ତାରିଖରେ ଜଗତସିଂହପୁର ଥାନାରେ ଫୁଲମଣି ଓ ଆଲବର୍ଟଙ୍କ ପିତା ଗଣେଶ ପହଞ୍ଚିବା ପରେ ସେମାନଙ୍କ ମଧ୍ୟରେ ଆପୋସ ସମାଧାନ ହୋଇଥିଲା। ଏହି ସମୟରେ ଗଣେଶଙ୍କ ପତ୍ନୀ, ଝିଅ ମଧ୍ୟ ଉପସ୍ଥିତ ଥିଲେ। ପରେ ତତ୍କାଳୀନ ଥାନା ଅଧିକାରୀ ପ୍ରଭାସ ଚନ୍ଦ୍ର ସାହୁଙ୍କ ଉପସ୍ଥିତିରେ ଗଣେଶଙ୍କ ପରିବାର ଫୁଲମଣିଙ୍କୁ ବୋହୂ ଭାବେ ସ୍ବୀକାର କରି ଘରକୁ ନେଇଥିଲେ। ଫୁଲମଣି ମଧ୍ୟ ମାମଲା ଉଠାଇ ଦେଇଥିଲେ। ଏହି ସମୟରେ ଆଲବର୍ଟ ଟ୍ରେନିଂରେ ଥିବାରୁ ଫୁଲମଣି ତାଙ୍କ ଶାଶୂ ଘରେ ରହିଥିଲେ। ସେମାନେ ତାଙ୍କୁ ମାନସିକ ନିର୍ଯାତନା ଦେଉଥିଲେ। ଆଲବର୍ଟ ସହ କଥା ବି କରାଇ ଦେଉନଥିଲେ। ଏବେ ଆଲବର୍ଟ କହୁଛନ୍ତି ଯେ ବାପା, ମାଆ ମନା କରୁଛନ୍ତି; ତେଣୁ ମୁଁ ତୁମକୁ ରଖି ପାରିବିନି। ଆଲବର୍ଟର ପରିବାର ଲୋକେ ଜୀବନରୁ ମାରିଦେବାକୁ ଧମକ ଦେଉଥିବା ନେଇ ସେ ମଙ୍ଗଳବାର ଜଗତସିଂହପୁର ଥାନାରେ ଏତଲା ଦେଇଛନ୍ତି। ପୁଲିସ ମାମଲା ରୁଜୁ କରି ତଦନ୍ତ ଚଳାଇଛି।



