www.samajalive.in
Friday, December 5, 2025
27.1 C
Bhubaneswar

ନୂଆପଡ଼ା ଦେଖିବ ନୂଆ ବିଧାୟକ

ବଲାଙ୍ଗିର/ନୂଆପଡ଼ା/ଭୁବନେଶ୍ବର: ବିଜେପି ସରକାରର ପ୍ରଥମ ଉପ-ନିର୍ବାଚନ ନୂଆପଡ଼ା। ଜଣେ କି ୨ ଜଣ ନୁହେଁ, ୫ ଜଣ ମୁଖ୍ୟମନ୍ତ୍ରୀ ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ଏଠାରେ କ୍ରମାଗତ ପ୍ରଚାର କରିଛନ୍ତି। କୋମନା, ନୂଆପଡ଼ା ଓ ଖରିଆର ରୋଡ ଯାଏଁ ଶୋଭାଯାତ୍ରାରେ ବୁଲିଛନ୍ତି। ପ୍ରାର୍ଥୀଙ୍କ ପାଇଁ ଜନତାଙ୍କୁ ଭୋଟ ଭିକ୍ଷା ସହ ଅନେକ ଆଶା, ବିଶ୍ବାସ ଓ ପ୍ରତିଶ୍ରୁତି ଦେଇଛନ୍ତି। ନିର୍ବାଚନ ପ୍ରଚାର ଗର୍ଜନରେ ଗାଁରୁ ସହର ଦୁଲୁକିଛି। ଆଖି ଝଲସା ନିର୍ବାଚନ ପ୍ରଚାର ନୂଆପଡ଼ା ଦେଖିଛି। ମଙ୍ଗଳବାର ମତଦାନ ସରିଥିବାବେଳେ ରାତି ପାହିଲେ (ଶୁକ୍ରବାର) ଭୋଟ୍‌ ଗଣତି। ତ୍ରିମୁଖୀ ପ୍ରତିଦ୍ବନ୍ଦ୍ବିତା ମଧ୍ୟରେ ସବୁ ନେତାଙ୍କର ବିଜୟ ଆଶା ଢ଼େର। ଗଣିତ ଓ ଗଣତି ନେଇ ହିସାବ ନିକାସ ଜାରି ରହିଛି। ନୂଆପଡ଼ାବାସୀଙ୍କ ସହ ବିଜେପି,ବିଜେଡି ଓ କଂଗ୍ରେସ ଶିବିରରେ ଭରି ରହିଛି ଉତ୍କଣ୍ଠା। ଭୋଟ ଗଣତି ପରେ ନୂଆପଡ଼ା ଦେଖିବ ନୂଆ ବିଧାୟକ। ପୁଣି ହେବ ନୂଆ ଶୋଭାଯାତ୍ରା। ନୂଆପଡ଼ା ନିର୍ବାଚନମଣ୍ଡଳୀ(୭୧)ର ବିଜେଡି ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ପରଲୋକ ପରେ ଏଠାରେ ପ୍ରଥମ ଥର ଉପ-ନିର୍ବାଚନ ଅନୁଷ୍ଠିତ ହୋଇଛି।

ବିଜେପିରୁ ସ୍ବର୍ଗତ ଢୋଲକିଆଙ୍କ ପୁଅ ଜୟ ଢୋଲକିଆ, ବିଜେଡିରୁ ସ୍ନେହାଙ୍ଗିନୀ ଛୁରିଆ, କଂଗ୍ରେସରୁ ଘାସିରାମ ମାଝୀ, ସମାଜବାଦୀ ପାର୍ଟିରୁ ରମାକାନ୍ତ ହାତୀ, ଓଡ଼ିଶା ଜନତା ପାର୍ଟିରୁ ଶୁକଧର ଦଣ୍ଡସେନାଙ୍କ ସମେତ ୧୪ଜଣ ପ୍ରାର୍ଥୀ ମଇଦାନରେ ରହିଛନ୍ତି। ଅନୁକମ୍ପା ଆଧାରରେ ମତଦାନ ହେବ ବୋଲି ଯେଉଁ ଆକଳନ କରାଯାଉଥିଲା ତାହା ବଦଳିଯାଇଥିବା ପ୍ରଚାର ଶୈଳୀରୁ ଲକ୍ଷ୍ୟ କରାଯାଇଛି। ବିଜେପି ଏଠାରୁ ବିଜୟ ତିଳକ ଲଗାଇବାକୁ ଆଶାବାଦୀ ଥିବାବେଳେ ବିଜେଡି ପୁଣିଥରେ ନୂଆପଡ଼ା ଦଖଲ ସ୍ବପ୍ନ ରଖିଛି। ଗତ ୪ଥର ବିଧାୟକ ପ୍ରାର୍ଥୀ ଭାବେ ନିର୍ବାଚନ ଲଢିଥିବା କଂଗ୍ରେସର ଘାସିରାମ ମାଝୀଙ୍କ ଦୃଢୋକ୍ତି କଂଗ୍ରେସପ୍ରେମୀଙ୍କୁ ଉତ୍ସାହିତ କରୁଛି।

- Advertisement -

ଗତ ସାଧାରଣ ନିର୍ବାଚନ ତୁଳନାରେ ଏଥର ଉପ-ନିର୍ବାଚନରେ ରେକର୍ଡ ମତଦାନ ହାର (୮୩.୪୫ ପ୍ରତିଶ୍ରତ) ଅନେକଙ୍କୁ ତାଜୁବ କରିଛି। ନିର୍ବାଚନରେ ୨,୫୪,୪୯୭ ଜଣ ମତଦାତା ଥିବାବେଳେ ସେମାନଙ୍କ ମଧ୍ୟରୁ ୧,୦୩,୮୧୭ ପୁରୁଷ ୧,୦୮,୫୬୩ ମହିଳା ଓ ୫ ଜଣ ତୃତୀୟ ଲିଙ୍ଗ ଭୋଟ ଦେଇଛନ୍ତି। ଭୋଟ ଗଣନାରେ ନିୟୋଜିତ ହେବାକୁ ଥିବା ପୋଲିଂ ସୁପରଭାଇଜର, ସହାୟକ ଓ ମାଇକ୍ରୋ ଅବଜର୍ଭରମାନଙ୍କୁ ଆବଶ୍ୟକ ତାଲିମ୍ ପ୍ରଦାନ କରାଯାଇଛି ା ଭୋଟ ଗଣତି କେନ୍ଦ୍ର ନ୍ୟାସନାଲ କଲେଜରେ ତ୍ରିସ୍ତରୀୟ ସୁରକ୍ଷାରେ ୩୫୮ଟି ବୁଥ୍‌ର ଇଭିଏମ୍ ଓ ଭିଭିପାଟ ମେସିନ୍‌ ରଖାଯାଇଛି। ଶୁକ୍ରବାର ଇଭିଏମ୍‌ ଓ ଭିଭିପାଟ ମେସିନ୍‌କୁ ଗଣତି ସ୍ଥଳକୁ ଅଣାଯିବ। ଭୋଟ ଗଣନା ପ୍ରକ୍ରିୟା ରିଟର୍ଣିଂ ଅଫିସର୍ ତଥା ଉପ ଜିଲାପାଳ ସୁର୍ମି ସୋରନଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ହେବ।

ଏଥିପାଇଁ ୧୪ଟି ଗଣତି ଟେବୁଲ୍ ଓ ଡାକ ମତପତ୍ର ପାଇଁ ଗୋଟିଏ ଟେବୁଲ୍ ରହିବ। ପ୍ରଥମେ ଡାକ ଯୋଗେ ହୋଇଥିବା ମତଦାନର ଗଣତି ସକାଳ ୮ଟାରେ କରାଯିବ। ପରେ ୮ଟା ୩୦ରେ ଇଭିଏମ୍‌ର ଭୋଟ ଗଣନା ଆରମ୍ଭ ହେବ। ପ୍ର​‌େ​‌ତ୍ୟକ ରାଉଣ୍ଡରେ ୧୪ଟି ଟେବୁଲ୍‌ରେ ଗଣତି ହେବ। ଏଭଳି ୨୬ ରାଉଣ୍ଡ ଯାଏଁ ଗଣତି ଚାଲିବ ବୋଲି ସୂଚନା ମିଳିଛି। ଭୋଟିଂ ମେସିନର ତଥ୍ୟକୁ ଫର୍ମ ୧୭(ସି) ସହିତ ମେଳ କରାଯିବ। ନିର୍ବାଚନ ଆୟୋଗଙ୍କ ନିର୍ଦେଶ ଅନୁଯାୟୀ ୫ଟି ପୋଲିଂ ସେଣ୍ଟରର ଭିଭିପାଟ ସ୍ଲିପ୍‌ ଗଣାଯାଇ ଇଭିଏମ ଫଳାଫଳ ସହ ମେଳ କରାଯିବ। ଯାହା ଫଳାଫଳର ପାରଦର୍ଶିତା ଓ ନିଷ୍ପକ୍ଷତାକୁ ସୁନିଶ୍ଚିତ କରିବ। ଗଣତି ସମୟରେ ପ୍ରାର୍ଥୀ କିମ୍ବା ସେମାନଙ୍କ ମନୋନୀତ ପ୍ରତିନିଧି ରହିବେ। ସମସ୍ତ ଗଣନା ପ୍ରକ୍ରିୟା ସିସିଟିଭି ନଜରରେ କରାଯିବ ଓ ଏସବୁର ଭିଡିଓ ରେକର୍ଡିଂ ହେବ। ଏହାର ତଦାରଖ ପାଇଁ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ, ଜିଲା ନିର୍ବାଚନ ଅଧିକାରୀ ଓ ପୁଲିସ ପ୍ରଶାସନ ଉପସ୍ଥିତ ରହିବେ ା ଅନ୍ତିମ ରାଉଣ୍ଡ ଶେଷ ହେବା ପରେ ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ ବିଜେତାଙ୍କ ନାମ ଘୋଷଣା ହେବ। ବର୍ତ୍ତମାନ ସୁରକ୍ଷା ପାଇଁ ଓଏସ୍‌ଏପିର ଗୋଟିଏ ପ୍ଲାଟୁନ୍‌ ଓ ସୀମା ସୁରକ୍ଷା ବଳ(ବିଏସ୍‌ଏଫ୍‌)ର ଗୋଟିଏ କମ୍ପାନୀ ମୁତୟନ ହୋଇଛନ୍ତି।

ଗୁରୁବାର ନୂଆପଡ଼ା ଏସ୍‌ପି ଅମ୍ରିତପାଲ ସିଂ, ଅତିରିକ୍ତ ଜିଲାପାଳ ସୁବାସ ଚନ୍ଦ୍ର ରଇତ, ଉପଜିଲାପାଳ ସୁର୍ମି ସୋରେନ, ଜିଲା ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ, ଅତିରିକ୍ତ ଏସପି ରଞ୍ଜିତ ନାୟକ ପ୍ରମୁଖ ସୁରକ୍ଷା ବ୍ୟବସ୍ଥା ଓ ଗଣତି ନେଇ ପ୍ରସ୍ତୁତି ଅନୁଧ୍ୟାନ କରିଛନ୍ତି।

ଭୋଟ୍‌ ଗଣତି କେନ୍ଦ୍ର ନ୍ୟାସନାଲ କଲେଜ ସମ୍ମୁଖରେ ଗୁରୁବାର ସନ୍ଧ୍ୟାରୁ ଭିଡ଼ ପରିଲକ୍ଷିତ ହେଲାଣି। ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧି ସେଠାରେ ଡେରା ପକାଇଲେଣି। ଶୁକ୍ରବାର ଗଣତି ଫଳାଫଳ ହିଁ କହିବ ବିଜୟର କଥା ବୋଲି ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ପ୍ରତିକ୍ରିୟା ଦେଇଛନ୍ତି। ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କ ମତାମତ ମିଳି ନ ଥିବାବେଳେ ଘାସିରାମ ଏଥର ନିର୍ବାଚନ ତାଙ୍କ ଭବିଷ୍ୟତ ନିର୍ଦ୍ଧାରଣ କରିବ ଓ ବିଜୟ ନିଶ୍ଚିତ ବୋଲି ଘୋଷଣା କରିସାରିଲେଣି। ସବୁରି ଶେଷରେ ନୂଆପଡ଼ା ଉପ-ନିର୍ବାଚନରେ ଅନାଲୋଚିତ ପ୍ରାର୍ଥୀ ନୋଟା। ତୀବ୍ର ତ୍ରିମୁଖୀ ପ୍ରତିଦ୍ବନ୍ଦ୍ବିତା ମଧ୍ୟରେ ଏହା ନିର୍ଣ୍ଣାୟକ ଭୂମିକା ନେବ ନାହି ତ ? ଏଭଳି ବି ଅନେକ ପ୍ରଶ୍ନ କରୁଛନ୍ତି। କାରଣ ୨୦୧୪ରେ ୨୪୨୬ ଭୋଟ୍‌ ନୋଟାକୁ ଯାଇଥିବାବେଳେ ୨୦୧୯ରେ ଏହି ସଂଖ୍ୟା ୧୪୮୯ରେ ସୀମିତ ଥିଲା। ୨୦୨୪ରେ ୨୨୯୧ ନୋଟାରେ ଭୋଟ୍ ପଡ଼ିଥିଲା। ସର୍ବାଧିକ ମତଦାନ ହୋଇଥିବା ଚଳିତ ଉପ-ନିର୍ବାଚନରେ ନୋଟା କେତେ ପାଉଛି ତା’ ଉପରେ ଜନତାଙ୍କ ନଜର।

Hot this week

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

ଏଏନଏମ୍‌ ପ୍ରଶ୍ନ ପତ୍ର ଲିକ୍‌ ପରେ ପରୀକ୍ଷା ବାତିଲ

ମାଲକାନଗିରି: ମାଲକାନଗିରି ଜିଲାରେ ଏଏନଏମ୍‌ ପରୀକ୍ଷା ପ୍ରଶ୍ନ ପତ୍ର ଲିକ୍ ହେବା...

ଡ଼ଲାର ତୁଳନାରେ ଟଙ୍କାକୁ ମିଳିଲା ସାମାନ୍ୟ ଆଶ୍ଵସ୍ତି

ସମାଜ ଲାଇଭ ଡ଼େସ୍କ : ଡ଼ଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ...

ଜବତ ଗଞ୍ଜେଇ ହେରଫେର: ଥାନା ଅଧିକାରୀ ନିଲମ୍ବିତ

ସମାଜ ଡିଜିଟାଲ ଡେସ୍କ: ଜବତ ଗଞ୍ଜେଇ ହେରଫେର କରିଥିବା ଅଭିଯୋଗରେ କାର୍ଯ୍ୟରୁ...

ବିଶ୍ୱବିଦ୍ୟାଳୟରେ ଖାଲି ପଡିଛି ଏତିକି ପଦବୀ

ଭୁବନେଶ୍ୱର: ରାଜ୍ୟରେ ବିଶ୍ୱବିଦ୍ୟାଳୟ ଗୁଡିକରେ ଖାଲି ପଡିଛି ପ୍ରଧ୍ୟାପକ ପଦବୀ ।...

Related Articles

Popular Categories