ଏନ୍‌ଆରସି ପ୍ରସଙ୍ଗରେ ମମତାଙ୍କ ବଡ଼ ଘୋଷଣା,ପଶ୍ଚିମବଙ୍ଗର ୯୪ ଶରଣାର୍ଥୀ କଲୋନି ନିୟମିତ ହେବ

କଲକାତା: ରାଷ୍ଟ୍ରୀୟ ନାଗରିକ ସଂହିତା (ଏନ୍‌ଆରସି)କୁ ନେଇ ବିବାଦ ଲାଗି ରହିଥିବାବେଳେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କେନ୍ଦ୍ର ସରକାରଙ୍କ ବିରୋଧରେ ମୁକାବିଲାମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି। କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ନିକଟରେ ସାରା ଦେଶରେ ଏନ୍‌ଆରସି ଲାଗୁ ହେବ ବୋଲି ଘୋଷଣା କରିବା ପରେ ଏହାକୁ ପ୍ରଥମରୁ ବିରୋଧ କରିଆସୁଥିବା ମମତା ସୋମବାର ରାଜ୍ୟରେ ୯୪ଟି ଶରଣାର୍ଥୀ କଲୋନି (ଶିବିର)କୁ ନିୟମିତ କରିବେ ବୋଲି ଘୋଷଣା କରିଛନ୍ତି। ଏ ସମ୍ପର୍କରେ କ୍ୟାବିନେଟ୍‌ରେ ନିଷ୍ପତ୍ତି ନିଆଯାଇଛି। ପୂର୍ବରୁ ମମତା ସରକାର ରାଜ୍ୟ ସରକାରଙ୍କ ଜମିରେ ରହିଥିବା ୯୪ଟି କଲୋନିକୁ ନିୟମିତ କରିଥିଲେ। ଏହି କଲୋନିଗୁଡ଼ିକ କେନ୍ଦ୍ର ସରକାରଙ୍କ ଜମି କିମ୍ବା ଘରୋଇ ଜମିରେ ଗଢ଼ିଉଠିଛି। ତିନି ଏକର ପର୍ଯ୍ୟନ୍ତ ଜମିରେ ଥିବା ସମସ୍ତ କଲୋନିକୁ ନିୟମିତ କରାଯିବ। ସମ୍ପୃକ୍ତ କଲୋନିରେ ୧୯୭୧ରୁ ଶରଣାର୍ଥୀ ଭାବେ ରହିଆସିଥିବା ଲୋକେ ଅଦ୍ୟାବଧି ଘର କିମ୍ବା ଜମି ଖଣ୍ଡେରୁ ବଞ୍ଚିତ ହୋଇଆସିଛନ୍ତି। ସେମାନଙ୍କର ମଧ୍ୟ ଏଥିପାଇଁ ଅଧିକାର ରହିଛି ବୋଲି ରାଜ୍ୟ ସରକାର ଭାବୁଥିବା ମମତା କହିଛନ୍ତି। ଏଥିସହିତ ବାସଚ୍ୟୁତ ଜନତାଙ୍କୁ ଜମି ଅଧିକାର ପ୍ରଦାନ କରାଯିବ ବୋଲି ସେ ଘୋଷଣା କରିଛନ୍ତି। କେନ୍ଦ୍ର ସରକାରଙ୍କ ଜମି ଓ ଘରୋଇ ଜମିରେ ରହିଥିବା କଲୋନିଗୁଡ଼ିକୁ ନିୟମିତ କରିବା ପାଇଁ ବାରମ୍ବାର କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଆସୁଥିଲେ ମଧ୍ୟ ଏ ବାବଦରେ କୌଣସି ପଦକ୍ଷେପ ନିଆଯାଉ ନାହିଁ। ଅପରପକ୍ଷରେ ସେଗୁଡ଼ିକୁ ଉଚ୍ଛେଦ ପାଇଁ ସରକାର ଉଦ୍ୟମ କରୁଥିବା ମମତା ଅଭିଯୋଗ କରିଛନ୍ତି। ଆସାମରେ ଏନ୍‌ଆରସି ତାଲିକା ପ୍ରସ୍ତୂତ ହେବାକାଳୁ ମମତା ଏହାକୁ ବିରୋଧ କରିଆସୁଛନ୍ତି। ପଶ୍ଚିମବଙ୍ଗରେ କୌଣସି ପରିସ୍ଥିତିରେ ଏହା ଲାଗୁ କରାଇ ଦିଆଯିବ ନାହିଁ ବୋଲି ସେ କହିଆସୁଛନ୍ତି। ଅପରପକ୍ଷରେ ବିଜେପି ତଥା କେନ୍ଦ୍ର ସରକାର ଏହା ସପକ୍ଷରେ ଅଛନ୍ତି। ଗତ ସପ୍ତାହରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଲୋକସଭାରେ ସାରା ଦେଶରେ ଏନ୍‌ଆରସି ଲାଗୁ ହେବ ବୋଲି ଘୋଷଣା କରିଥିଲେ।

Comments are closed.