କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ାରେ ଜାତୀୟ ନାଗରିକ ସଂହିତା(ଏନ୍ଆରସି) ଲାଗୁ ହୋଇପାରେ। ଏନେଇ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ବୁଧବାର ରେଜିଷ୍ଟ୍ରାର ଜେନେରାଲ୍ ଅଫ୍ ଇଣ୍ଡିଆ(ଆରଜିଆଇ)ଙ୍କୁ ଚିଠି ଲେଖିଛନ୍ତି। ହାଇକୋର୍ଟ ପକ୍ଷରୁ ନିଯୁକ୍ତ ଆମିକସକ୍ୟୁରିଙ୍କ ରିପୋର୍ଟକୁ ଆଧାର କରି ଏହି ଚିଠି ଲେଖାଯାଇଛି।
ସୂଚନା ଅନୁସାରେ, ଗତବର୍ଷ ନଭେମ୍ବରରେ କେନ୍ଦ୍ରାପଡ଼ା ଜିଲାରେ ଏନ୍ଆରସି ଲାଗୁ ପାଇଁ ଆମିକସକ୍ୟୁରି ମୋହିତ ଅଗ୍ରୱାଲ ହାଇକୋର୍ଟଙ୍କୁ ରିପୋର୍ଟ ଦେଇଥିଲେ। ଏହାପରେ ହାଇକୋର୍ଟ ଆମିକସକ୍ୟୁରିଙ୍କ ରିପୋର୍ଟ ଉପରେ ପଦକ୍ଷେପ ନେବାକୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ କହିଥିଲେ। ଜଙ୍ଗଲ ଓ ପରିବେଶ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ କମିଟି ଗଠନ ପାଇଁ କୋର୍ଟଙ୍କ ନିର୍ଦ୍ଦେଶ ଥିଲା। ମୋହିତଙ୍କ ପରାମର୍ଶ ଅନୁଯାୟୀ କମିଟି ଏନେଇ ପଦକ୍ଷେପ ନେବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଏବେ କୋର୍ଟଙ୍କ ନିର୍ଦ୍ଦେଶ ଆରଜିଆଇକୁ ଜଣାଇ ପଦକ୍ଷେପ ନେବାକୁ କେନ୍ଦ୍ର ଗୃହ ମନ୍ତ୍ରଣାଳୟ କହିଛି।
ସୂଚନାଯୋଗ୍ୟ, ପୂର୍ବରୁ ଆମିକସକ୍ୟୁରି ଏହି ପରାମର୍ଶ ଦେଇଥିଲେ ହେଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ତତ୍ପରତା ପ୍ରକାଶ ପାଇ ନ ଥିଲା। ମାତ୍ର ଆସାମରେ ପ୍ରଥମେ ଏହି ନିୟମ ଲାଗୁ ହେବା ପରେ ଏବେ କେନ୍ଦ୍ରାପଡ଼ାରେ ରହୁଥିବା ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ କ୍ଷେତ୍ରରେ ଏନଆରସି ଲାଗୁ କରିବାକୁ ନିଷ୍ପତ୍ତି ହୋଇଛି।



