ନୀଳଗିରି: ଆଶଙ୍କା ଧୀରେ ଧୀରେ ବଢ଼ିବାରେ ଲାଗିଛି। ବାତ୍ୟା ୟସ ପାଇଁ ଜରୁରୀକାଳୀନ ପରିସ୍ଥିତିରେ ମୁତୟନ ହୋଇଥିବା କର୍ମଚାରୀ ଓ ଅଧିକାରୀମାନେ ଅଧିକ ସଜାଗ ହୋଇ ପଡ଼ିଛନ୍ତି। ବାଲେଶ୍ୱର ଜିଲାର ନୀଳଗିରି ଅଞ୍ଚଳଟି ବେଶି କ୍ଷତି ଘଟିବା ଅନୁମାନ କରି ପ୍ରଶାସନ ପକ୍ଷରୁ ମଙ୍ଗଳବାର ସନ୍ଧ୍ୟା ସୁଧା ନୀଳଗିରି ବ୍ଲକ, ପୌରାଞ୍ଚଳ ଓ ଔପଦା ବ୍ଲକରୁ ମୋଟ ୧୧ହଜାର ୮୦୧ଜଣ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। ବାଲେଶ୍ୱରର ଚାନ୍ଦିପୁର ଓ ଏହାର ଆଖପାଖ ଅଞ୍ଚଳରେ ବାତ୍ୟା ୟସ ଲ୍ୟାଣ୍ଡଫଲ କରିବ ବୋଲି ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ପ୍ରଶାସନକୁ ଜଣାଇଥିଲେ। ମଙ୍ଗଳବାର ଅପରାହ୍ନ ୩ଟା ସୁଧା ବାତ୍ୟା ୟସ ଓଡ଼ିଶା ଉପକୂଳକୁ ଧୀରେ ଧୀରେ ପାଖେଇ ଆସୁଥିବା ଏବଂ ଏହା ପାରାଦୀପଠାରୁ ୨ଶହ କିମି ଦୂରରେ ରହିଥିବା ସୂଚନା ଦିଆଯାଇଥିଲା। ତେବେ ପରବର୍ତ୍ତୀ ଅବସ୍ଥାରେ ଏହା ଭଦ୍ରକ ଜିଲା ଧାମରା ପାଖରେ ଲ୍ୟାଣ୍ଡଫଲ କରିବା ନେଇ ସୂଚନା ଦିଆଯିବା ପରେ ବାଲେଶ୍ୱର ଜିଲା ପ୍ରଶାସନଠାରେ ଅଧିକ ତତ୍ପରତ ପ୍ରକାଶ ପାଇଥିବା ଦେଖିବାକୁ ମିଳିଛି। ଧାମରା ଅଞ୍ଚଳରେ ବୁଧବାର ସକାଳେ ଲ୍ୟାଣ୍ଡଫଲ କରିବା ନେଇ ଏକପ୍ରକାର ସ୍ପଷ୍ଟ ହୋଇଥିବା ଜାଣି ବାଲେଶ୍ୱର ଜିଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ ଅପରାହ୍ନରେ ନୀଳଗିରି ଗସ୍ତରେ ଆସିଛନ୍ତି। ବିଭିନ୍ନ ଆଶ୍ରୟସ୍ଥଳୀ ବୁଲି ସେ ଲୋକଙ୍କୁ ସୁରକ୍ଷିତ ରହିବାକୁ ପରାମର୍ଶ ଦେଇଛନ୍ତି। ବିଶେଷ କରି ଧାମରାରେ ଲ୍ୟାଣ୍ଡଫଲ କଲେ ନୀଳଗିରି ଉପଖଣ୍ଡର ଔପଦା ବ୍ଲକ ଏବଂ ନୀଳଗିରି ବ୍ଲକର ବଣସୀମା ଅଞ୍ଚଳ ବେଶି ପ୍ରଭାବିତ ହେବ ବୋଲି କୁହାଯାଉଛି। ଔପଦା ବ୍ଲକ ଦେଇ ନୀଳଗିରିର କୁଲଡିହା ଅଭୟାରଣ୍ୟ, ବରହମପୁର ଦେଇ ଏହା ମୟୂରଭଞ୍ଜ ଜିଲାର କପ୍ତିପଦା ଅଞ୍ଚଳରେ ବେଶି ପ୍ରଭାବିତ କରିବ ବୋଲି ପ୍ରଶାସନ ପକ୍ଷରୁ ଆଶଙ୍କା କରାଯାଇଛି।

ଏନେଇ ବରହମପୁର ଅଞ୍ଚଳରେ ଅଗ୍ନିଶମ ବିଭାଗର ୨ଟି ଦଳ ଓ ଏନଡିଆରଏଫର ଗୋଟିଏ ଦଳ ବରହମପୁରରେ ମୁତୟନ ଅଛନ୍ତି। ସେହିପରି ଜିଲାପାଳ ଶ୍ରୀ ଚକ୍ରବର୍ତ୍ତୀଙ୍କ ନିର୍ଦେଶରେ ନୀଳଗିରି ଉପଜିଲାପାଳ ହରିଶ ଚନ୍ଦ୍ର ଜେନା, ତହସିଲଦାର ଅଶେଷ ନାୟକ, ଉପଖଣ୍ଡ ପୁଲିସ ଅଧିକାରୀ ରୀତେଶ ମହାପାତ୍ର, ଗୋଷ୍ଠୀ ଉନ୍ନୟନ ଅଧିକାରିଣୀ ଅନିତା ନାୟକ, ପୌର ନିର୍ବାହୀ ଅଧିକାରୀ ରତନ ପଟ୍ଟନାୟକ, ବରହମପୁର ହାସପାଳାଳ ଡାକ୍ତର ସୂରଜ ଜେନା, ଜନସ୍ୱାସ୍ଥ୍ୟ ବିଭାଗ କନିଷ୍ଠ ଯନ୍ତ୍ରୀ ରୂପେଶ ଦାଶ ପ୍ରମୁଖ ବିଭିନ୍ନ ଅଞ୍ଚଳ ପରିଦର୍ଶନ କରୁଥିବା ଦେଖିବାକୁ ମିଳିଛି। ବାତ୍ୟାର ମୁକାବିଲା ଉଦେଶ୍ୟରେ ନୀଳଗିରି ବ୍ଲକର ନଈକୂଳିଆ ଅଞ୍ଚଳ କୁହାଯାଉଥିବା କାଂଶ, ରାଧାକିଶୋରପୁର, ପୁନ୍ଦାଳ, ପୁରୁଖି, ତୋଟାପଡ଼ା, ବେଗୁନିଆ, କାଠପାଳ, ଖସାପଡ଼ିଆ, କରଞ୍ଜିଆ, ନିମପାଳ ପ୍ରଭୃତି ଅଞ୍ଚଳର ସମେତ ବ୍ଲକର ମୋଟ ୬ହଜାର ୭୯୪ଜଣଙ୍କୁ ସ୍ଥାନାନ୍ତର କରାଯାଇ ଆଶ୍ରୟ ସ୍ଥଳୀରେ ରଖାଯାଇଛି। ଏଥିନେଇ ନୀଳଗିରି ବ୍ଲକରେ ଥିବା ୨୫ଟି ପଞ୍ଚାୟତରେ ମୋଟ ୧୦୨ଟି ଆଶ୍ରୟସ୍ଥଳୀ ପ୍ରସ୍ତୁତ କରାଯାଇଥିବା ବେଳେ ୭୮ଟି ସ୍ଥାନରେ ମାଗଣା ରନ୍ଧାଖାଦ୍ୟ ବ୍ୟବସ୍ଥା କରାଯାଇଛି। ନୀଳଗିରି ପୌରାଞ୍ଚଳରେ ୧୪ଟି ଆଶ୍ରୟସ୍ଥଳୀ କରାଯାଇ ୨ହଜାର ୮ଶହ ୩୬ଜଣଙ୍କୁ ସ୍ଥାନାନ୍ତର କରାଯାଇଛି। ସେହିପରି ଔପଦା ବ୍ଲକର ୧୧ଟି ପଞ୍ଚାୟତରୁ ୨ହଜାର ୧୭୦ଜଣ ଲୋକଙ୍କୁ ସ୍ଥାନାନ୍ତର କରାଯାଇ ଆଶ୍ରୟସ୍ଥଳୀରେ ଭର୍ତ୍ତି କରାଯାଇଥିବା ବେଳେ ୨୫ଟି କେନ୍ଦ୍ରରେ ଖାଦ୍ୟ ପ୍ରସ୍ତୁତ କରାଯାଇ ଲୋକଙ୍କୁ ଖାଇବାକୁ ଦିଆଯାଉଛି। ସେପଟେ ମଙ୍ଗଳବାର ଅପରାହ୍ନରେ ହୋଇଥିବା ଘୂର୍ଣ୍ଣିଝଡ଼ରେ ନୀଳଗିରି ବ୍ଲକ ଅଯୋଧ୍ୟା ପଞ୍ଚାୟତ ଅଧୀନ ଗୋପାଳପୁର ଅଞ୍ଚଳର ଗୌରୀ ସିଂଙ୍କ ଘର ଭୁଶୁଡ଼ି ଯାଇଥିବା ଦେଖିବାକୁ ମିଳିଛି। ୨ପିଲାଙ୍କୁ ଧରି ସେ ଦୌଡ଼ିବାରୁ ଜୀବନ ଅଳ୍ପକେ ବର୍ତ୍ତି ଯାଇଥିଲା। ପଞ୍ଚାୟତର ସମସ୍ତ ଆଶାକର୍ମୀ, ଅଙ୍ଗନବାଡ଼ି ଦିଦି, ପିଇଓ, ଯନ୍ତ୍ରୀ ଓ ଅନ୍ୟ ସରକାରୀ କର୍ମଚାରୀଙ୍କୁ ଲୋକଙ୍କ ସୁରକ୍ଷା କରିବାକୁ ମୁତୟନ କରାଯାଇଛି। ଆବଶ୍ୟକ ପଡ଼ିଲେ ଆହୁରି ଅଧିକ ଲୋକଙ୍କୁ ସ୍ଥାନାନ୍ତର କରାଯିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି। ତେବେ ଲୋକମାନେ ବାତ୍ୟା ପାଇଁ ଭୟଭୀତ ନହେବାକୁ ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଥିବା ବେଳେ ନୀଳଗିରି ବ୍ଲକର ଗ୍ରାମାଞ୍ଚଳ, ବଣସୀମା ଏବଂ ଔପଦା ବ୍ଲକ ତୁଳନାରେ ନୀଳଗିରି ସହରାଞ୍ଚଳରେ ବେଶି କ୍ଷତି ଘଟିବନି ବୋଲି ପ୍ରଶାସନ ପକ୍ଷରୁ ଅନୁମାନ କରାଯାଉଛି।

ବାତ୍ୟା ୟସର ପ୍ରାକ ପ୍ରଭାବରେ ନୀଳଗିରି ଅଞ୍ଚଳରେ ସୋମବାର ଅପରାହ୍ନରେ ବର୍ଷା ସହ ପବନ ବୋହିଥିଲା। ଏନେଇ ପୂର୍ବାହ୍ନରୁ ବିଦ୍ୟୁତ ସରବରାହ ବିଛିନ୍ନ ହୋଇ ପଡ଼ିଥିଲା। ବିଦ୍ୟୁତ ବିଭାଗ କର୍ମଚାରୀମାନେ ଆଉ ମାତ୍ର ଘଣ୍ଟାଏ, ଦେଢ଼ଘଣ୍ଟା କହି ଲୋକଙ୍କୁ ଭୂଆଁ ବୁଲାଇ ଚାଲିଥିବା ବେଳେ ରାତି ପାହିଗଲା କିନ୍ତୁ ଲାଇନ ଆସିନଥିଲା। ଏଭଳି ବିଦ୍ୟୁତ ସଂକ୍ରାନ୍ତୀୟ ଅନେକ କଥା ଭାବି ଭାବି ଲୋକମାନେ ରାଗି ଯାଇଥିବା ଦେଖିବାକୁ ମିଳିଛି। ଲୋକମାନେ ଘରେ ପାଣି ମହଜୁଦ ରଖିନଥିବା ବେଳେ ହଠାତ ବିଦ୍ୟୁତ ଚାଲିଯାଇ ଦୀର୍ଘ ୨୩ଘଣ୍ଟା ପରେ ବି ବିଦ୍ୟୁତ ନଆସିବା ଘଟଣା ନୀଳଗିରିବାସୀଙ୍କୁ ଚିନ୍ତାରେ ପକାଇଥିଲା। ମଙ୍ଗଳବାର ପୂର୍ବାହ୍ନରୁ ବାତ୍ୟାର ପ୍ରକୋପ ବଢ଼ିବାରେ ଲାଗୁଥିବା ଯୋଗୁ ଏକାଧିକ ଲୋକ ବିଦ୍ୟୁତ କାର୍ଯ୍ୟାଳୟ ଘେରାଉ କରିବାକୁ ଯାଇଥିଲେ ହେଁ ସେଠାରେ କୌଣସି କର୍ମଚାରୀଙ୍କୁ ନପାଇ ଫେରି ଆସିଥିଲେ। କାର୍ଯ୍ୟାଳୟରେ ଥିବା ଜଣେ ଦୁଇଜଣ କର୍ମଚାରୀ ନିଜକୁ ଦେହଛପା ଦେଇ ଖସି ଯାଇଥିବା ଚର୍ଚ୍ଚା ହୋଇଛି। ଖାନନଗର-ସେରଗଡ଼ ରାସ୍ତାରେ ବିଦ୍ୟୁତର ବାରମ୍ବାର ତ୍ରୁଟି ଦେଖା ଯାଉଥିଲେ ହେଁ ବିଭାଗ ପକ୍ଷରୁ ଏହାର କୌଣସି ସ୍ଥାୟୀ ପ୍ରତିକାର କରାଯାଉନଥିବା ଯୋଗୁ ହିତାଧିକାରୀ ହୀନସ୍ତା ହେଉଥିବା ଅଭିଯୋଗ ହୋଇଛି। ତେବେ ମଙ୍ଗଳବାର ସକାଳେ ସ୍ଥାନୀୟ କନିଷ୍ଠ ଯନ୍ତ୍ରୀ ପାର୍ଥସାରଥୀ ବାରିକଙ୍କୁ ଯୋଗାଯୋଗ କରିବାର ଘଣ୍ଟାକ ପରେ ନୀଳଗିରିରେ ବିଦ୍ୟୁତ ଆସିଥିଲା। ଯେଉଁଥିପାଇଁ ଲୋକେ ୩/୪ଦିନର ପାଣି ମହଜୁଦ କରି ରଖିଥିବା କୁହାଯାଉଛି। ସେପଟେ ବିଦ୍ୟୁତ ବିଭ୍ରାଟ ଯୋଗୁ ଜନସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ମଧ୍ୟ ସହରାଞ୍ଚଳକୁ ପାଣି ଯୋଗାଣ କରାଯାଇ ପାରିନଥିବା ଅଭିଯୋଗ ହୋଇଛି। ଅପରପକ୍ଷରେ ନୀଳଗିରି ବ୍ଲକର ଗ୍ରାମାଞ୍ଚଳରେ ସୋମବାର ସକାଳଠାରୁ ବିଦ୍ୟୁତ ଆସିନଥିବା ଅଭିଯୋଗ ହୋଇଛି। ଅଯୋଧ୍ୟା, ମାଟିଆଳି, କାଂଶ, ଭଉଁରିଆବାଡ଼, ରାଧାକିଶୋରପୁର, ମହିଷାପଟା, ତେନ୍ତୁଳିଆ ପ୍ରଭୃତି ପଞ୍ଚାୟତର ଲୋକେ ନାହିଁ ନଥିବା ହୀନସ୍ତା ହୋଇଛନ୍ତି। ପିଇବା ପାଣି ସଂଗ୍ରହ କରିନଥିବାରୁ ଲୋକଙ୍କ ପରିସ୍ଥିତି ଶୋଚନୀୟ ହୋଇପଡ଼ିଛି। ପ୍ରଶାସନ ପକ୍ଷରୁ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି।



