ନୀଳଗିରି: ବାଲେଶ୍ୱର ଜିଲା ଅଧୀନ ନୀଳଗିରି ଅଞ୍ଚଳରେ ଜଣେ ଛେଳି ଚରାଳିକୁ ଗୁଳିମାଡ଼ ହୋଇଛି। ଗୋଟିଏ ଗୁଳି ନାବାଳକର କାନ୍ଧରେ ବାଜିଥିବା ବେଳେ ଅନ୍ୟ ଏକ ଗୁଳି ତାଙ୍କ ବେକ ପାରି ହୋଇ ଯାଇଥିବା ଜଣାପଡ଼ିଛି। ସେ ଗୁରୁତର ଅବସ୍ଥାରେ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି।
ବରହମପୁର ଥାନା ଅଧୀନ କଳାକାଦ ନିକଟସ୍ଥ ଚେକାମରା ଗାଁର ସ୍ୱର୍ଗତଃ ରାମଶଙ୍କର ସିଂଙ୍କ ପୁଅ ରବୀନ୍ଦ୍ର (୧୭) ସୋମବାର ଗାଁ ନିକଟରେ ଛେଳି ଚରାଉଥିଲେ। କେହି ଦୁର୍ବୃତ୍ତ ତାଙ୍କୁ ଗୁଳିମାଡ଼ କରିବା ଯୋଗୁ ଗୋଟିଏ ଗୁଳି ତାଙ୍କ ବେକରେ ବାଜି ପାରି ହୋଇ ଯାଇଥିଲା ଏବଂ ଅନ୍ୟ ଏକ ଗୁଳି ଦକ୍ଷିଣ ପାର୍ଶ୍ବ କାନ୍ଧରେ ବାଜିଥିଲା। ଘଟଣାସ୍ଥଳରେ ସେ ରକ୍ତ ଜୁଡୁବୁଡୁ ହୋଇ ଟଳି ପଡ଼ିଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ସେଠାରୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ପ୍ରଥମେ ନୀଳଗିରି ଓ ସଙ୍ଗେ ସଙ୍ଗେ ବାଲେଶ୍ୱର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ କଟକ ବଡ଼ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି। ସେଠାରେ ସେ ଚିକିତ୍ସାଧୀନ ଥିବା ଜଣାପଡ଼ିଛି। ତେବେ କିଏ ଗୁଳି ମାରିଛି, ସେ ସମ୍ପର୍କରେ ବରହମପୁର ଥାନା ଅଧିକାରୀ ରବିନାରାୟଣ ଭୂୟାଁ ତଦନ୍ତ କରୁଛନ୍ତି। ଉକ୍ତ ଅଞ୍ଚଳଟି କୁଲଡିହା ଅଭୟାରଣ୍ୟର ପାଦଦେଶ ଅଞ୍ଚଳ ହୋଇଥିବା ଯୋଗୁ ଜନ୍ତୁ ମାରିବା ଉଦେଶ୍ୟରେ ଅଭ୍ୟାସ କରୁଥିବା ବେଳେ କେହି ଶିକାରୀ ଏଭଳି କାଣ୍ଡ ଭିଆଇ ଥାଇ ପାରନ୍ତି ବୋଲି ଚର୍ଚ୍ଚା ହେଉଛି।



