କଟକ : ପାରିବାରିକ ବିବାଦ ମଧ୍ୟରେ ଓଲିଉଡ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଓ ତାଙ୍କ ଶାଶୁ ମଧୁସ୍ମିତା ମହାନ୍ତି ଥାନାର ଦ୍ୱାରସ୍ଥ ହୋଇଥିବା ଶୁକ୍ରବାର ଜଣାପଡ଼ିଛି। ଉଭୟ ପରସ୍ପର ମଧ୍ୟରେ ଅଭିଯୋଗ ଆଣିଛନ୍ତି। ଏହସହ ଉଭୟଙ୍କ ପକ୍ଷରୁ କଟକ ପୁରୀଘାଟ ଥାନାରେ ଲିଖିତ ଅଭିଯୋଗ କରାଯାଇଛି।
ବର୍ଷାଙ୍କ ଅଭିଯୋଗ ଅନୁଯାୟୀ, ତାଙ୍କୁ ଘରୁ ତଡିଦେବାକୁ ଯୋଜନା କରାଯାଉଛି, ରହିବା ପାଇଁ ଅନ୍ୟ କୌଣସି ବିକଳ୍ପ ନଥିବା ବେଳେ ତାଙ୍କୁ ଘର ଖାଲି କରିବାକୁ କୁହାଯାଉଥିବା ନେଇ ସେ ଏତଲାରେ ଉଲ୍ଲେଖ କରିଛନ୍ତି। ପୁଲିସ ଘରକୁ ଆସି ତଦନ୍ତ କରିବାକୁ ମଧ୍ୟ ଦାବି କରିଥିବା ଜଣାପଡ଼ିଛି।
ସେହିପରି ବର୍ଷାଙ୍କ ବିରୋଧରେ ପାଲଟା ଅଭିଯୋଗ ତାଙ୍କ ଶାଶୁ ଆଣିଛନ୍ତି। ସେ କହିଛନ୍ତି ୬୦ ବର୍ଷ ତଳ ଘରର ମରାମତି ଆବଶ୍ୟକତା ରହିଛି। ତେଣୁ ୧୦ ଦିନ ପାଇଁ ପରିବାରର ସମସ୍ତ ସଦସ୍ୟ ଅନୁପସ୍ଥିତ ରହିବେ। କିନ୍ତୁ ବର୍ଷା ଘର ଖାଲି କରିବାକୁ ରାଜି ନଥିବା ସେ ଏତଲାରେ ଉଲ୍ଲେଖ କରିଛନ୍ତି।



