କଲ୍ୟାଣସିଂହପୁର: ରାୟଗଡ଼ା ଜିଲା କଲ୍ୟାଣସିଂହପୁର ମୁଖ୍ୟ ସଡକରେ ରଖିଥିବା ବାଇକରୁ ଅଚାନକ ନିଆଁ ଲାଗିଯିବା ଫଳରେ ଲୋକେ ଭୟଭୀତ ହୋଇଛନ୍ତି। ଖବର ନେବାରୁ ଜଣାପଡିଛି ଯେ ସେରିଗୁମା ଗାଁର ଯୁବକ ନାଗେଶ ହିମିରିକା ନିଜ ବାଇକ ଧରି କଲ୍ୟାଣସିଂହପୁର ଆସି ମୁଖ୍ୟ ସଡକର ଏକ ବେକରି ନିକଟରେ ରଖି କେକ୍ କିଣି ବାହାରିବା ବେଳେ ବାଇକରୁ ଅଚାନକ ନିଆଁ ଜଳୁଥିବା ଦେଖିଥିଲା।
ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ହୁତ ହୁତ ହୋଇ ନିଆଁ ଲାଗିବାରୁ ଏହା ଦେଖି ରାସ୍ତାରେ ଲୋକଙ୍କ ଭିଡ ଜମିଥିଲା। ପ୍ରାୟ ଅଧଘଣ୍ଟା ରାସ୍ତାର ଉଭୟ ପାର୍ଶ୍ୱରେ ଜାମ ହୋଇଥିଲା। ଖବର ପାଇ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଉକ୍ତ ଯୁବକ ମିସ୍ତ୍ରୀ ହୋଇଥିବା ବେଳେ ଅନ୍ୟ ସମୟରେ ନିଜ ବାଇକ ଧରି ପରିବା ବିକ୍ରିକରି ନିଜ ପରିବାର ଭରଣ ପୋଷଣ କରିଆସୁଥିବା ଜଣାପଡିଛି।



