ରେଙ୍ଗାଲିକ୍ୟାମ୍ପ: ମାଁ ଶ୍ୟାମାକାଳୀଙ୍କ ପାଖରେ ପହଞ୍ଚିଲା ଜୁଗାର ଓ ପାହୂର ଭାର। ଏହି ଜୁଗାର ଯାତ୍ରା, ରେଙ୍ଗାଲିକ୍ୟାମ୍ପ କାଳୀ ପୂଜା ଅବସରରେ ବେଶ୍ ଆକର୍ଷଣ ଭାବରେ ପାଳନ କରାଯାଏ। ରେଙ୍ଗାଲିପାଲି ଗ୍ରାମର ଜୟ ଅବଧୂତ ସ୍ବେଚ୍ଛାସେବୀ ଅନୁଷ୍ଠାନ ତଥା ଗ୍ରାମବାସୀ ମାନେ କାଳୀ, ଶିବ, ଅସୁର ଆଦି ବିଭିନ୍ନ ପ୍ରକାର ବେଶ ପୋଷାକ ସଜ୍ଜିତ ହୋଇ ବାବା ଅବଧୂତଙ୍କ ମନ୍ଦିରରୁ ବାହାରି ଗ୍ରାମ ପରିକ୍ରମା କରି ଦୁଲୁଦୁଲି ବାଜା ସହ ପୂଜାସ୍ଥଳୀରେ ପହଞ୍ଚିଥିଲେ। ସେହିପରି ଦେବାହlଲ, ତାହା ଟିକ୍ରା, ଜହ୍ନାପଡା, ଦାସ ପଡ଼ା, ମାତା ଡେରା ଆଦି ଗ୍ରାମରୁ ଶତାଧିକ ମାନସିକଧାରୀ ମାନେ ଜୁଗାର୍ ଧରି ଶୋଭାଯାତ୍ରାରେ ବାହାରି ମାଁଙ୍କର ପୂଜାସ୍ଥଳୀରେ ପହଞ୍ଚିଥିଲେ। ପୂଜା କମିଟି ପକ୍ଷରୁ ତାଙ୍କୁ ଭବ୍ୟ ସ୍ବାଗତ ଜଣାଇ ସମସ୍ତ ଜୁଗାର୍ ଓ ପୂଜା ସାମଗ୍ରୀକୁ ପୂଜା ପୀଠକୁ ନେଇଥିଲେ। ଶ୍ରଦ୍ଧାଳୁ ଭକ୍ତଙ୍କ କହିବା ଅନୁଯାୟୀ ବର୍ଷକରେ ଥରେ ମାଁ ଶ୍ୟାମାକାଳୀଙ୍କ ପୂଜା ପାଇଁ ଭକ୍ତ ମାନେ ମାନସିକ କରିଥାନ୍ତି। ଏହି ପରିପ୍ରେକ୍ଷୀରେ ତଥା ତାଙ୍କର ମନସ୍କାମନା ପାଇଁ ଗ୍ରାମ ମାନଙ୍କରୁ ଜୂଗାର ନେଇ ମାଁଙ୍କ ଠାରେ ଅର୍ପଣ କରାଯାଏ। ଏହି ଜୁଗାର ଗୁଡ଼ିକ ପ୍ରତିଯୋଗିତାମୂଳକ ଭାବରେ ଉଚ୍ଚରୁ ଉଚ୍ଚତର କରି ତିଆରି କରାଯାଏ।
ଖଇ/ (ଲିଆ) ଓ ଗୁଡ଼ରେ ତିଆରି ଦେଉଳ ଆକୃତିର ଏହି ଜୁଗାର ପ୍ରସ୍ତୁତ କରାଯାଏ। ୬ ଫୁଟରୁ ଆରମ୍ଭ ହୋଇ ୧୦ ଫୁଟ ପର୍ଯ୍ୟନ୍ତ ଉଚ୍ଚା ହୋଇଥାଏ। ମା’ କାଳୀଙ୍କ କୃପାଲାଭ ପାଇଁ ଏହି ଜୁଗାର, ଭେଟି ଭାବରେ ଯାଏ। ପ୍ରତିବର୍ଷ ଯାତ୍ରା ଅବସରରେ ମାନସିକ କରୁଥିବା ଭକ୍ତମାନଙ୍କ ମାନସିକ ପୂରଣ ହୋଇଗଲେ ସେମାନେ ପରବର୍ଷ ଜୁଗାର ଆଣିଥାନ୍ତି। ଜୁଗାରଗୁଡ଼ିକ ପାରମ୍ପରିକ ଲୋକବାଦ୍ୟର ତାଳେତାଳେ ଅର୍ପଣ ସକାଶେ କାଳୀ ମେଢ଼ ପର୍ଯ୍ୟନ୍ତ ଆସିଥାନ୍ତି। ଏହି ଜୁଗାର ଯାତ୍ରାର ବିଶେଷତ୍ତ୍ୱ ହେଲା ଏହାକୁ ଦେଖିବା ପାଇଁ ହଜାର ହଜାର ଭକ୍ତଙ୍କ ଭିଡ଼ ଲାଗି ରହିଥିଲା। ଦୀର୍ଘ ତିନି ଘଣ୍ଟା ଧରି ଜାତୀୟ ରାଜପଥ ବନ୍ଦ ରହି ଏହି ଜୁଗାର ଶୋଭାଯାତ୍ରା ଚାଲିଥିଲା। ଦିନକୁ ଦିନ ଏଥିରେ ଅନୁପ୍ରାଣିତ ହୋଇ ଏହାର ଆଖପାଖ ଅଞ୍ଚଳରେ ଜୁଗାର ଯାତ୍ରା ସଂଖ୍ୟା ଏବେ ବଢିବାରେ ଲାଗିଛି। ଘଣ୍ଟ ବାଦ୍ୟ ସହିତ ଆତସବାଜିର ଧ୍ଵନୀରେ ପ୍ରକମ୍ପିତ ହୋଇ ଉଠେ ଅଞ୍ଚଳ।
ଆଜି ମାଆଙ୍କର ସପ୍ତ ସତୀ ଚଣ୍ଡୀ ପୂଜା। ହୋମ ଆଦି ରୀତି ନୀତିରେ ସମ୍ପନ୍ନ ହେବା ସହ ସନ୍ଧ୍ୟାରେ ସୁଶ୍ରୀ ପ୍ରାପ୍ତି ଆଚାର୍ଯ୍ୟ, ବିଜ୍ଞେଶି ବାରିକ୍ ଓ ସାଥିଙ୍କ ଦ୍ଵାରା ଭଜନ ସନ୍ଧ୍ୟା ଓ ରାତି ୧୦ଟାରୁ ବlଞ୍ଜିପାଲିର ବିଶ୍ଵ ଭାରତୀ ଅପେରା ଦର୍ଶକଙ୍କ ମନୋମୁଗ୍ଧ କରିଥିଲା। ସମସ୍ତ ଲୋକେ ଏହି ଯାତ୍ରାରେ ସାମିଲ ହୋଇଥିଲେ।



