ଡେସ୍କ: ଓଡିଶା ପୁଲିସ ପକ୍ଷରୁ ରାଜ୍ୟସ୍ତରୀୟ ରାଷ୍ଟ୍ରୀୟ ଏକତା ଦିବସ ସମାରୋହ ଭୁବନେଶ୍ବର ୭ମ ଓଏସଏପି ବାଟାଲିୟନଠାରେ ଅନୁଷ୍ଠିତ ହୋଇଛି। ସ୍ଵାଧୀନ ଭାରତର ପ୍ରଥମ ଉପପ୍ରଧାନମନ୍ତ୍ରୀ ତଥା ସ୍ବରାଷ୍ଟ୍ର ମନ୍ତ୍ରୀ ଲୌହମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜନ୍ମ ଦିବସକୁ ଦେଶବ୍ୟାପୀ ରାଷ୍ଟ୍ରୀୟ ଏକତା ଦିବସ ଭାବେ ପାଳନ କରାଯାଇଛି। ଏହି ଅବସରରେ ଓଏସଏପି ପଡିଆରେ ବିଧିବଦ୍ଧ ଭାବେ ପ୍ୟାରେଡ ଆୟୋଜନ କରାଯାଇ ସର୍ଦ୍ଦାର ପଟେଲଙ୍କ ସ୍ମୁତିଚାରଣ କରାଯାଇଥିଲା। ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ସୁନୀଲ କୁମାର ବଂସଲ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ୟାରେଡ ଅଭିବାଦନ ଗ୍ରହଣ କରିଥିଲେ।
ଏହି ପ୍ୟାରେଡରେ ଏନଡିଆରଏଫ (ମୁଣ୍ଡଳୀ), ୭ମ ଓଏସଏପି ବାଟାଲିୟନ (ଭୁବନେଶ୍ବର), ଓ.ଏସ.ଏ.ପି ଷଷ୍ଠ ବାଟାଲିୟନ (କଟକ), ଷଷ୍ଠ ଆଇ.ଆର ବାଟାଲିୟନ (ଖୋର୍ଦ୍ଧା), ଓଡ୍ରାଫ, ଫାୟାର ସର୍ଭିସ (କଟକ), ପୋଲିସ କଲର ପାର୍ଟି (କଟକ), ବ୍ୟାଣ୍ଡ ପାର୍ଟି (କଟକ) ଅଂଶଗ୍ରହଣ କରିଥିଲେ। ତାପସ ରଞ୍ଜନ ଦାସ (କମାଣ୍ଡାଣ୍ଟ) ପ୍ୟାରେଡର ନେତୃତ୍ଵ ନେଇଥିଲେ। ଏହି କାର୍ୟ୍ୟକ୍ରମରେ ସ୍ଵତନ୍ତ୍ର ଆରକ୍ଷୀ ମହାନିର୍ଦ୍ଦେଶକ (ଏଚଆରପିସି) ଏ. ଏମ. ପ୍ରସାଦ, ନିର୍ଦ୍ଦେଶକ (ଏସସିଆରବି) ବିନୟତୋଷ ମିଶ୍ର, ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ଏସ.ଏ.ପି) ଆର.ପି. କୋଚେ, ନିର୍ଦ୍ଦେଶକ (ଭିଜିଲାନ୍ସ) ୟଶୱନ୍ତ ଜେଠୱା, ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ମୁଖ୍ୟାଳୟ) ଆର. କେ. ଶର୍ମା, ପୋଲିସ କମିଶନର (ଭୁବନେଶ୍ବର-କଟକ) ସୌମେନ୍ଦ୍ର ପ୍ରିୟଦର୍ଶୀ, ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (କ୍ରାଇମବ୍ରାଞ୍ଚ) ଅରୁଣ ବୋଥ୍ରା, ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ଆଇନ ଓ ଶୃଙ୍ଖଳା) ସଞ୍ଜୟ କୁମାର, ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ଅପରେସନ) ଏସ. ଦେବଦତ୍ତ ସିଂ, ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ଆଧୁନୀକିକରଣ) ରାଜେଶ କୁମାରଙ୍କ ସମେତ ପୁଲିସ ବିଭାଗର ବହୁ ବରିଷ୍ଠ ପୋଲିସ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ।
ସେହିପରି ପୂର୍ବାହ୍ନରେ ରାଜ୍ୟ ପୁଲିସ ମୁଖ୍ୟାଳୟ କଟକଠାରେ ରାଷ୍ଟ୍ରୀୟ ଏକତା ଦିବସ ଶପଥ ପାଠ କାରାଯାଇଥିଲା। ଆଇ.ଜି. (କାର୍ମିକ) ପ୍ରବୀଣ କୁମାର ଉପସ୍ଥିତ ପୁଲିସ ଅଧିକାରୀ ଓ କର୍ମଚାରୀଙ୍କୁ ରାଷ୍ଟ୍ରର ଏକତା, ଅଖଣ୍ଡତା ଓ ସୁରକ୍ଷାକୁ ବଜାୟ ରଖିବା ପାଇଁ ନିଜକୁ ସମର୍ପିତ କରିବାକୁ ଏବଂ ଏହି ବାର୍ତ୍ତା ଦେଶବାସୀଙ୍କ ମଧ୍ୟରେ ପ୍ରଚାର କରିବା ପାଇଁ ପ୍ରୟାସ କରିବାକୁ ଶପଥ ପାଠ କରାଇଥିଲେ।



