ସମ୍ବଲପୁର: ସାରା ରାଜ୍ୟରେ ସିଟି ଓ ଜିଏସଟି କର ଫାଙ୍କିବାର ଅନେକ ଅଭିଯୋଗ ହୋଇ ଆସୁଥିବାରୁ ବିଭାଗ ପକ୍ଷରୁ ଶୁକ୍ରବାର ସମ୍ବଲପୁରର ବୈଦ୍ୟନାଥ ଛକ ଠାରେ ସ୍ଥିତ ଏକ ପାନ ମସଲା ହୋଲସେଲ ଦୋକାନରେ ଚଢ଼ାଉ କରାଯାଇଛି। ବିଶ୍ୱସ୍ତସୁତ୍ରରୁ ଖବର ପାଇ ସମ୍ବଲପୁର ଠାରେ ସିଟି ଓ ଜିଏସଟି ବିଭାଗ ପକ୍ଷରୁ ଡେପୁଟି କମିଶନର ଟେକଚାନ୍ଦ ମେହେର ଓ ସିଟିଓ ସୁଭ୍ରଜିତ ଦାସଙ୍କ ନେତୃତ୍ୱରେ ବୈଦ୍ୟନାଥ ଛକ ସ୍ଥିତ ତୁଳସୀରାମ ଟ୍ରେଡିଂ କୋ ନାମରେ ଥିବା ଏକ ପାନ ମସଲା ହୋଲସେଲ ଦୋକାନରେ ଚଢ଼ାଉ କରାଯାଇଛି। ଏହି ଚଢ଼ଉରେ ୧୪ ଜଣ ସିଟି ଓ ଜିଏସଟିର ଅଧିକାରୀ ଓ କର୍ମଚାରୀଙ୍କ ସମେତ ୧୦ ଜଣ ପୁଲିସ ଅଧିକାରୀ ଓ କର୍ମଚାରୀଙ୍କ ସମେତ ସମୁଦାୟ ୨୪ ଜଣ ସଦସ୍ୟ ଦଳ ସାମିଲ ରହିଥିଲେ। ଉକ୍ତ ଦୋକାନ ସମେତ ମାଲିକ ତୁଳସୀରାମ ଅଗ୍ରୱାଲଙ୍କ ବାସଭବନରେ ରହିଥିବା ଗୋଦାମରେ ଏକକାଳୀନ ଚଢ଼ାଉ କରିଥିଲା। ସକାଳୁ ଆରମ୍ଭ ହୋଇଥିବା ଏହି ଚଢ଼ଉ ଅଭିଯାନ ରାତ୍ର ପ୍ରାୟ ୮ଟା ପର୍ଯ୍ୟନ୍ତ ଜାରି ରହିଥିଲା। ଏହି ଚଢ଼ଉ ସମୟରେ ପାନ ମସଲା ବ୍ୟବସାୟୀଙ୍କ କମ୍ପ୍ୟୁଟର, ବିକ୍ରି କାଗଜପତ୍ର, ଷ୍ଟକ ଆଦି ବିଭିନ୍ନ କାଗଜପତ୍ର ଆଦି ଚଢ଼ଉକାରୀ ଦଳକୁ ମିଳିଛି ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ବିଭାଗ ପକ୍ଷରୁ ସମସ୍ତ କାଗଜପତ୍ର ଆଦି ହେପାଜତକୁ ନିଆଯାଇ ଯାଞ୍ଚ ସକାଶେ ବ୍ୟବସାୟୀଙ୍କୁ ତାଙ୍କର କିଣାବିକା ସମ୍ବନ୍ଧିତ କାଗଜପତ୍ର ୭ ଦିନ ମଧ୍ୟରେ ପ୍ରଦାନ କରିବାକୁ ନୋଟିସ ଦିଆଯାଇଛି। ବ୍ୟବସାୟୀ କିଣାବିକା ସମ୍ପର୍କରେ କାଗଜପତ୍ର ଦାଖଲ କଲେ ଆଇନ ଅନୁଯାୟୀ ସେ କେତେ ଟିକସ ଦେଇଛନ୍ତି କି ନାହିଁ ତାହା ଜଣାପଡ଼ିବ। ଯଦି ଟିକସ ଦେବାରେ କୌଣସି ପ୍ରକାରର ଅନିୟମିତତା ବାହାରିବ ତାହା ହେଲେ ଟିକସ ସମେତ ଜରିମାନା ମଧ୍ୟ ଆଦାୟ କରାଯିବ ବୋଲି ବିଭାଗର ଅଧିକାରୀ ସୁଭ୍ରଜିତ ଦାସ କହିଛନ୍ତି। ପ୍ରାଥମିକ ଯାଞ୍ଚରେ ଆନୁମାନିକ ଲକ୍ଷାଧିକ ଟଙ୍କା ଟିକସ ଚୋରି ହୋଇଥିବାର ଅନୁମାନ କରାଯାଉଥିବା ବେଳେ ଦୋକାନ ମାଲିକ ବିଭାଗକୁ ସହଯୋଗ କରି ସମସ୍ତ କାଗଜପତ୍ର ରଖିଥିବାର କହୁଛନ୍ତି। ଏଣୁ ଆଗାମୀ ୭ ଦିନ ମଧ୍ୟରେ ଟିକସ ସମ୍ବନ୍ଧୀତ ସମସ୍ତ କାଗଜପତ୍ର ଗୁଡିକ ବିଭାଗ ସମ୍ମୁଖରେ ବ୍ୟବସାୟୀ ଦାଖଲ କରିବା ପରେ ସମସ୍ତ ତଥ୍ୟ ଗୁଡିକୁ ଏକତ୍ରିତ କରି ଯାଞ୍ଚ କରାଯିବ ମେଳାଣ ପରେ ଯାଇ ପ୍ରକୃତ ତଥ୍ୟ ଜଣାପଡ଼ିବ। ସୂଚନାଯୋଗ୍ୟ ଯେ, ଗତ ଜୁଲାଇ ୫ ତାରିଖରେ ବୁଢ଼ାରଜା ସ୍ଥିତ ବର୍ଷ ମଧ୍ୟରେ ଜିଏସଟି ବିଭାଗ ପକ୍ଷରୁ ୧୦ରୁ ଉର୍ଦ୍ଧ ଚଢ଼ଉ କରାଯାଇ ଏକ କୋଟି ଟଙ୍କାରୁ ଉର୍ଦ୍ଧ ଟିକସ ଓ ଜରିମାନା ଆଦାୟ କରାଯାଇଛି।
Popular Categories



