www.samajalive.in
Wednesday, December 10, 2025
18.1 C
Bhubaneswar

ଭାରତ ବିରୋଧୀ ଗତିବିଧି ପାଇଁ ଖୋଲା ଯାଇଛି କର୍ତ୍ତାରପୁର କରିଡର ; ଧରାପଡ଼ିଲା ପାକ୍‌ ସେନାଧ୍ୟକ୍ଷଙ୍କ ଚକ୍ରାନ୍ତ

ନୂଆଦିଲ୍ଲୀ : ଭାରତ ଓ ପାକିସ୍ତାନ ମଧ୍ୟରେ ସୁ-ସମ୍ପର୍କ ସ୍ଥାପନ ପାଇଁ କର୍ତ୍ତାରପୁର କରିଡର ଖୋଲାଯାଇଥିବା ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ କହିଥିଲେ। ତେବେ ଏହା ପଛରେ ଇମ୍ରାନ ନୁହେଁ, ବରଂ ପାକ୍‌ ସେନାଧ୍ୟକ୍ଷ କମର ବାଜୱାଙ୍କ ହାତ ଥିବା କହିଛନ୍ତି ପାକିସ୍ତାନ ରେଳମନ୍ତ୍ରୀ ଶେଖ ରସିଦ। କରିଡ଼ର ମାଧ୍ୟମରେ ଭାରତରେ ଅସ୍ଥିରତା ସୃଷ୍ଟି ପାଇଁ ପାକ୍‌ ସେନାଧ୍ୟକ୍ଷ ଯୋଜନା ରଖିଛନ୍ତି। ଖୁବଶୀଘ୍ର ଏହାର ଫଳାଫଳ ଦେଖିବାକୁ ମିଳିବ ବୋଲି ରସିଦ କହିଛନ୍ତି।
ପାକିସ୍ତାନ ମନ୍ତ୍ରୀଙ୍କ ଏପରି ବୟାନକୁ ନେଇ ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ କୌଣସି ପ୍ରତିକ୍ରିୟା ପ୍ରକାଶ କରି ନାହିଁ। ତେବେ ପାକିସ୍ତାନର ଅସଲ ମୁଖ୍ୟ ଖୋଲି ଯାଇଛି ବୋଲି କହିଛନ୍ତି ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂହ। ସେଠାକାର ଜଣେ ମନ୍ତ୍ରୀ ଖୋଲାଖୋଲି ଏପରି ମନ୍ତବ୍ୟ ଦେବା ଦୁର୍ଭାଗ୍ୟଜନକ। ଭାରତ ସରକାର ତୁରନ୍ତ ଏହା ଉପରେ ପଦକ୍ଷେପ ଗ୍ରହଣ କରିବାକୁ ମୁଖ୍ୟମନ୍ତ୍ରୀ ସିଂହ ଦାବି କରିଛନ୍ତି। ଏହି କରିଡର ଦୀର୍ଘଦିନ ଧରି ଭାରତକୁ ଯାତନା ଦେଇ ଚାଲିଥିବ ବୋଲି ରସିଦ ପ୍ରକାଶ କରିବା ସହ ଏପରି ଯୋଜନା କାର୍ଯ୍ୟକାରୀ କରିଥିବାରୁ ପାକ୍‌ ସେନାଧ୍ୟକ୍ଷଙ୍କୁ ପ୍ରଶଂସା କରିଛନ୍ତି। ଅଧ୍ୟାତ୍ମ ନାମରେ ପାକିସ୍ତାନ ଯେପରି ଭାରତ ବିରୋଧୀ କାର୍ଯ୍ୟକଳାପ ଜାରି ରଖିଛି ତାହା ଶିଖ୍‌ମାନଙ୍କୁ ଦୁଃଖିତ କରିଛି ବୋଲି ଅମରିନ୍ଦର କହିଛନ୍ତି। ଭାରତ ସରକାର ଏଥିପାଇଁ ସତର୍କ ରହିବାକୁ ସେ ପରାମର୍ଶ ଦେଇଛନ୍ତି। କରିଡର ମାଧ୍ୟମରେ ଖଲିସ୍ତାନ ସମର୍ଥକଙ୍କୁ ଭାରତରେ ଅନୁପ୍ରବେଶ କରାଇ ଅସ୍ଥିରତା ସୃଷ୍ଟି କରିବାକୁ ପାକିସ୍ତାନ ଯୋଜନା ରଖିଛି। ତେବେ ପାକିସ୍ତାନର ଏହି ଚକ୍ରାନ୍ତ କେବେ ପୂରଣ ହେବ ନାହିଁ। ଇମ୍ରାନଙ୍କ ପ୍ରତି ସତର୍କ ରହିବାକୁ ଅମରିନ୍ଦର ନିଜର ସହଯୋଗୀ ତଥା ପୂର୍ବତନ ମନ୍ତ୍ରୀ ନବଜୋତ ସିଂହ ସିଧୁଙ୍କୁ ପରାମର୍ଶ ଦେଇଛନ୍ତି।
ଗୁରୁ ନାନକ ଦେବଙ୍କ ୫୫୦ତମ ଜନ୍ମ ବାର୍ଷିକୀ ଉପଲକ୍ଷେ ପଞ୍ଜାବର ଗୁରୁଦାସପୁର ଜିଲାସ୍ଥିତ ଡେରା ବାବା ନାନକଠାରୁ ପାକିସ୍ତାନର କରତାରପୁରସ୍ଥିତ ଗୁରୁଦ୍ବାର ଦରବାର ସାହିବ ପର୍ଯ୍ୟନ୍ତ ଏହି କରିଡର ଖୋଲା ଯାଇଥିଲା। ନଭେମ୍ବର ୯ ତାରିଖରେ ଇମ୍ରାନ ଏହାକୁ ଉଦ୍‌ଘାଟନ କରିଥିଲେ। ଧାର୍ମିକ ସମନ୍ବୟ ଫଳରେ ଉଭୟ ଦେଶ ମଧ୍ୟରେ ଉତ୍ତେଜନା ହ୍ରାସ ପାଇବ ବୋଲି ଭାରତ ଓ ପାକିସ୍ତାନ ସରକାର ଚିନ୍ତା କରିଥିଲେ। ତେବେ ଏହା ପଛରେ ଥିବା ପାକିସ୍ତାନ ସେନାର କୁଚକ୍ରାନ୍ତ ଧରାପଡ଼ି ଯାଇଛି। ଭାରତ ମଧ୍ୟକୁ ଆତଙ୍କବାଦୀଙ୍କୁ ଅନୁପ୍ରବେଶ କରାଇ କିପରି ଅସ୍ଥିରତା ସୃଷ୍ଟି କରାଯିବ ସେ ନେଇ ପାକିସ୍ତାନ ସେନା ପ୍ରସ୍ତୁତି ଚଳାଇଛି। ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ନିକଟତମ କୁହାଯାଉଥିବା ଶେଖ୍ ରସିଦ ନିଜ ଦେଶର ସେନାଧ୍ୟକ୍ଷଙ୍କୁ ଏଥିପାଇଁ ପ୍ରଶଂସା କରିଛନ୍ତି। ଯେନତେନ ପ୍ରକାରେ ଭାରତରେ ଅସ୍ଥିରତା ସୃଷ୍ଟି ପାଇଁ ପାକିସ୍ତାନ ସମସ୍ତ ଉଦ୍ୟମ ଚଳାଇବ ବୋଲି ରସିଦ କହିଛନ୍ତି। ରସିଦଙ୍କୁ ଜବାବ ଦେବାକୁ ଯାଇ ଅମରିନ୍ଦର କହିଛନ୍ତି ଯେ; ଭାରତକୁ ଏତେ ଦୁର୍ବଳ ଭାବିବା ଠିକ୍‌ ନୁହେଁ। ଯେକୌଣସି ପରିସ୍ଥିତିର ମୁକାବିଲା ପାଇଁ ଭାରତୀୟ ସେନା ସର୍ବଦା ପ୍ରସ୍ତୁତ ରହିଛନ୍ତି। ଆଗାମୀ ଦିନରେ ପାକିସ୍ତାନର ଯେକୌଣସି ଧୃଷ୍ଟତାର ଜବାବ୍‌ ସିଧା ସଳଖ ଦିଆଯିବ ବୋଲି ଅମରିନ୍ଦର ସତର୍କ କରାଇ ଦେଇଛନ୍ତି। ଭାରତକୁ ଦୁର୍ବଳ ଭାବି ପାକିସ୍ତାନ ଭ୍ରମିତ ହେବା ଠିକ୍‌ ନୁହେଁ ବୋଲି ସେ କହିଛନ୍ତି।
ଅନ୍ୟପଟେ କର୍ତ୍ତାରପୁର ଯାଉଥିବା ଶିଖ୍‌ ଧର୍ମାବଲମ୍ବୀଙ୍କ ସଂଖ୍ୟା ସପ୍ତାହେ ହେଲା ହ୍ରାସ ପାଇବାରେ ଲାଗିଛି। ଏପରିକି ଦୈନିକ ଶହେ ଟପୁ ନାହାନ୍ତି। ଧର୍ମାବଲମ୍ବୀଙ୍କ ନିକଟରୁ ୨୦ ଆମେରିକୀୟ ଡଲାର ଟିକସ ଆଦାୟ କରୁଥିଲା ପାକିସ୍ତାନ। ସୁରକ୍ଷା ତଥା କରିଡରର ବିକାଶ ପାଇଁ ଏହି ଅର୍ଥ ଖର୍ଚ୍ଚ ହେବ ବୋଲି ପାକିସ୍ତାନ ପକ୍ଷରୁ କୁହାଯାଇଥିଲା। ଯାତ୍ରୀ ହ୍ରାସ ଯୋଗୁଁ ପାକିସ୍ତାନ ଦୈନିକ କ୍ଷତି ସହିବାରେ ଲାଗିଛି।

Hot this week

ଭୁବନେଶ୍ୱର ସମେତ, କଟକ, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର ପୁରୀରେ ହେବ ଟାଉନ୍‌ ପ୍ଲାନିଂ

ଭୁବନେଶ୍ୱର: ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ଭୁବନେଶ୍ୱର ଉନ୍ନୟନ...

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

Related Articles

Popular Categories