ସମାଜ ଡିଜିଟାଲ ଡେସ୍କ: ଭାରତକୁ ପୁଣି ଥରେ ଧମକ ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ରୁଷଠାରୁ ତୈଳ ଆମଦାନୀ ଜାରି ରଖିବା ନେଇ ଭାରତ ମନ୍ତବ୍ୟ ଦେବା ପରେ ଟ୍ରମ୍ପ ଏହି ନିଷ୍ପତ୍ତିକୁ ସମାଲୋଚନା କରିଛନ୍ତି। ଏଥିପାଇଁ ଆମେରିକା ଭାରତ ଉପରେ ବଡ଼ ପରିମାଣର ଶୁଳ୍କ ଲଗାଇବ ବୋଲି ସେ ଚେତାବନୀ ଦେଇଛନ୍ତି।
ଟ୍ରୁଥ ସୋସିଆଲରେ ଏକ ପୋଷ୍ଟ କରି ଟ୍ରମ୍ପ କହିଛନ୍ତି, ଭାରତ କେବଳ ରୁଷଠାରୁ ବିପୁଳ ପରିମାଣର ତୈଳ ଆମଦାନୀ କରୁନାହିଁ, ବରଂ ଶସ୍ତାରେ କିଣି ବଡ଼ ଅଂଶର ଲାଭ ରଖି ଖୋଲା ବଜାରରେ ବିକ୍ରି କରୁଛି। ୟୁକ୍ରେନରେ କେତେ ଲୋକ ପ୍ରାଣ ହରାଉଛନ୍ତି ସେ ନେଇ ଭାରତ ଯତ୍ନଶୀଳ ନୁହେଁ। ଏହି କାରଣରୁ ସେ ଭାରତ ଉପରେ ଶୁଳ୍କ ବୃଦ୍ଧି କରିବେ ବୋଲି ଧମକ ଦେଇଛନ୍ତି।
ପାଶ୍ଚାତ୍ୟ ଦେଶଗୁଡ଼ିକ ରୁଷକୁ ଏକ ଘରିକିଆ କରିବାକୁ ଯେଉଁ ଯୋଜନା କରୁଛନ୍ତି ସେଥିରେ ଭାରତ ସମର୍ଥନ କରୁ ନ ଥିବାରୁ ଏହାକୁ ନେଇ ଟ୍ରମ୍ପ ହତାଶ ହୋଇପଡ଼ିଛନ୍ତି। ଯେଉଁଥିପାଇଁ ସେ ବାରମ୍ବାର ଧମକ ଦେବାରେ ଲାଗିଛନ୍ତି। ଏହା ଟ୍ରମ୍ପଙ୍କ ବାଚାଳାମୀ ବୋଲି ସାଧାରଣରେ ମତପ୍ରକାଶ ପାଉଛି।



