ନନ୍ଦନକାନନ : ବାତ୍ୟା ‘ମନ୍ଥା’ ପାଇଁ ବୁଧବାର ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଓ ରାଜ୍ୟ ଉଦ୍ଭିଦ ଉଦ୍ୟାନ ବନ୍ଦ ରହିବ। ପର୍ଯ୍ୟଟକଙ୍କ ସୁରକ୍ଷା ପାଇଁ ଏଭଳି ପଦକ୍ଷେପ ନିଆଯାଇଛି ବୋଲି ନନ୍ଦନକାନନ ଉପନିର୍ଦେଶକ ସନଥ କୁମାର ନାରାୟଣ ସୂଚନା ଦେଇଛନ୍ତି। ଜୀବଜନ୍ତୁଙ୍କ ସୁରକ୍ଷା ଦୃଷ୍ଟିରୁ ମଙ୍ଗଳବାର ରାତିରେ ଉଭୟ ଉଦ୍ୟାନରେ ଦୁଇ ସହକାରୀ ବନ ସଂରକ୍ଷକ, ୭ଟି ବିଭାଗର ବନାଞ୍ଚଳ(ରେଞ୍ଜର), ବନ୍ୟପ୍ରାଣୀ ଚିକିତ୍ସକଙ୍କ ସମେତ ୧୦୦ରୁ ଊର୍ଦ୍ଧ୍ବ କର୍ମଚାରୀ ନିୟୋଜିତ ରହିବେ। ‘ମନ୍ଥା’ର ସୁପରିଚାଳନା ପାଇଁଁ ମୁଖ୍ୟ ସମନ୍ବୟ ଅଧିକାରୀଭାବେ ନନ୍ଦନକାନନ ପର୍ଯ୍ୟଟକ ପରିଚାଳନା ବିଭାଗ ସହକାରୀ ବନ ସଂରକ୍ଷକ (ଏସିଏଫ୍) ମନସ୍ମିତା ମହାରଣା ତଦାରଖ କରିବେ।
ବର୍ଷା ଓ ପବନ ସତ୍ତ୍ବେ ମଙ୍ଗଳବାର ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ୧୨୭୧୪ ପର୍ଯ୍ୟଟକ ଆସିଥିଲେ। ସେହିପରି ରାଜ୍ୟ ଉଦ୍ଭିଦ ଉଦ୍ୟାନକୁ ୯୨ ପର୍ଯ୍ୟଟକ ଆସିଥିଲେ। ପର୍ଯ୍ୟଟକଙ୍କ ସୁରକ୍ଷା ଦୃଷ୍ଟିରୁ କର୍ତ୍ତୃପକ୍ଷ ପ୍ରାଣୀ ଉଦ୍ୟାନ ଭିତରେ ଘରୋଇ ସଂସ୍ଥାର ରୋପ୍ୱେ, ସଫାରୀ ଓ ବ୍ୟାଟେରିଚାଳିତ ଗାଡ଼ି ଚଳାଚଳ ଅପରାହ୍ଣ ୨ଟାରୁ ବନ୍ଦ ରଖିଥିଲେ।



