ଦ୍ୱିତୀୟ ତ୍ରୈମାସିକ ଫଳାଫଳ : ନାଲକୋର ନିଟ୍ ଲାଭ ୧୦୭ କୋଟି ଟଙ୍କା

ଭୁବନେଶ୍ୱର : ପ୍ରତିକୂଳ ବ୍ୟବସାୟିକ ପରିବେଶ ସତ୍ତ୍ୱେ ନ୍ୟାସନାଲ ଆଲୁମିନିୟମ୍ କମ୍ପାନୀ ଲିମିଟେଡ୍ (ନାଲକୋ) ୨୦୨୦-୨୧ ଆର୍ଥିକ ବର୍ଷର ଦ୍ୱିତୀୟ ତ୍ରୈମାସରେ ୧୦୭.୪୫ କୋଟି ଟଙ୍କାର ନିଟ୍ ଲାଭ କରିଛି । ଉକ୍ତ ତ୍ରୈମାସରେ କମ୍ପାନୀ ୨୩୭୫ କୋଟି ଟଙ୍କା କାରବାର କରି ପ୍ରଥମ ତ୍ରୈମାସ ତୁଳନାରେ ୭୨ ପ୍ରତିଶତ ଅଭିବୃଦ୍ଧି କରିଅଛି । ୨୦୨୦-୨୧ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସରେ କମ୍ପାନୀ ୧୩୮୧ କୋଟି ଟଙ୍କାର କାରବାର କରିଥିଲା । ବର୍ଷର ପ୍ରଥମ ଛ ମାସରେ କମ୍ପାନୀ ୧୨୪ କୋଟି ଟଙ୍କା ନିଟ୍ ଲାଭ କରିଛି । ଗତ ବର୍ଷ ଏହି ସମୟସୀମା ମଧ୍ୟରେ ଏହି ପରିମାଣ ୭୦ କୋଟି ଟଙ୍କା ଥିଲା ।

ଉତ୍ପାଦନ କ୍ଷେତ୍ରରେ ନାଲକୋ ଚଳିତ ଆର୍ଥିକ ବର୍ଷର ଦ୍ୱିତୀୟ ତ୍ରୈମାସରେ ୧୭.୦୪ ଲକ୍ଷ ଟନ୍ ବକ୍ସାଇଟ୍ ଉତ୍ପାଦନ କରିଥିବା ବେଳେ ଆଲୁମିନା ହାଇଡ୍ରେଟ ଉତ୍ପାଦନ ୪.୮୭ ଲକ୍ଷ ଟନ୍ ଥିଲା । ଏହି ସମୟ ସୀମାରେ କମ୍ପାନୀ ୧.୦୬ ଲକ୍ଷ ଟନ୍ ଆଲୁମିନିୟମ୍ ଉତ୍ପାଦନ କରିଥିଲା । ଦେଶର ଅନ୍ୟତମ ପ୍ରମୁଖ ଆଲୁମିନା ଏବଂ ଆଲୁମିନିୟମ୍ ଉତ୍ପାଦନକାରୀ ସଂସ୍ଥା ଭାବେ ନାଲକୋ ରପ୍ତାନି କ୍ଷେତ୍ରରେ ମଧ୍ୟ ଏହି ତ୍ରୈମାସରେ ଉଲ୍ଲେଖନୀୟ ସଫଳତା ହାସଲ କରିପାରି ଅଛି । ନାଲକୋ ଏହି ଦ୍ୱିତୀୟ ତ୍ରୈମାସରେ ମୋଟ ୫୮,୫୭୪ ମେଟ୍ରିକ ଟନ୍ ଆଲୁମିନିୟମ ବିକ୍ରୟ କରିଅଛି ଯାହା ଗତ ବର୍ଷ ଏହି ସମୟରେ ୧୬,୩୦୫ ମେଟ୍ରିକ ଟନ୍ ଥିଲା । ଏହି ତ୍ରୈମାସରେ ମୋଟ ଆଲୁମିନା ବିକ୍ରୟ ୨୮୫,୭୧୮ ମେଟ୍ରିକ ଟନ୍ ହୋଇଅଛି ।

prayash

ଗତ ବର୍ଷ ତୁଳନାରେ ଚଳିତ ଆର୍ଥିକ ବର୍ଷର ପ୍ରଥମ ଛ ମାସରେ କମ୍ପାନୀ ତିନି ଗୁଣା ଆଭିବୃଦ୍ଧି ସହିତ ୯୩,୭୩୦ ମେଟ୍ରିକ୍ ଟନ୍ ଆଲୁମିନିୟମ୍ ରପ୍ତାନି କରିଅଛି ଯାହା ଗତ ବର୍ଷ ଏହି ସମୟରେ ୩୦,୫୬୧ ମେଟ୍ରିକ୍ ଟନ୍ ଥିଲା ।

ଦ୍ୱିତୀୟ ତ୍ରୈମାସିକ ଫଳାଫଳ ଉପରେ ପ୍ରତିକ୍ରିୟା ପ୍ରକାଶ କରି ନାଲକୋର ଅଧ୍ୟକ୍ଷ  ଶ୍ରୀଧର ପାତ୍ର କହିଛନ୍ତି, “ଚଳିତ ବର୍ଷ ଅପ୍ରତ୍ୟାଶିତ ପରିସ୍ଥିତି ସମଗ୍ର ବିଶ୍ୱକୁ ପ୍ରଭାବିତ କରିଅଛି । ପ୍ରତିକୂଳ ପରିସ୍ଥିତି ତଥା ବଜାର ମାନ୍ଦାବସ୍ଥା ଏବଂ କୋଭିଡ୍ ମହାମାରୀର ପ୍ରଭାବ ସତ୍ତ୍ୱେ ନାଲକୋର ଦଳଗତ ପ୍ରଚେଷ୍ଟା ନିଜର ଉତ୍ପାଦନ ଏବଂ ବ୍ୟବସାୟକୁ ସଫଳତାର ସହିତ ପରିଚାଳନା କରି ପାରିଅଛି । କମ୍ପାନୀ ନିଜର ପ୍ରତିସ୍ପର୍ଦ୍ଧା ବଜାୟ ରଖିବା ସହିତ ନିଜର ଗ୍ରାହକମାନଙ୍କୁ ବିଶ୍ୱସ୍ତରୀୟ ଉତ୍ପାଦନ ଉପଲଭ୍ଧ କରାଇବା ତଥା ଆତ୍ମନିର୍ଭର ଭାରତ ନିର୍ମାଣରେ ନିଜର ଯୋଗଦାନ ପାଇଁ ପ୍ରତିଶ୍ରୁତିବଦ୍ଧ” ।

Comments are closed.