ନବରଙ୍ଗପୁର: ନବରଙ୍ଗ ପୁର ଜିଲାରେ ଆବଶ୍ୟକ ବର୍ଷା ଅଭାବରୁ ଚାଷ କାମ ଆଗେଇ ପାରୁନି। ଫଳ ରେ ଚାଷିକୂଳ ହତାଶ ହୋଇଛନ୍ତି ।ଆଷାଢ ଯାଇ ଶ୍ରାବଣ ମାସ ହେଲାଣି। କିନ୍ତୁ ଜିଲାରେ ବର୍ଷା ଅଭାବ ରହିଛି । ଚାଷ ଜମି ଗୁଡ଼ିକ ଫାଟି ଆଁ କଲାଣି। ଜମିରେ ପାଣି ଅଭାବ ପାଇଁ ରୁଆ କାମ ଅଟକି ଯାଇଛି। ତଳି ଗୁଡିକ ଖରା ରେ ଝାଉଁଳି ଶୁଖିବା ଆରମ୍ଭ ହେଲାଣି। ରୁଆ ପାଇଁ ତଳି ଆଉ କାମ ଦେଇ ନପାରେ ବୋଲି ଚାଷୀମାନେ ଆଶଙ୍କା କରୁଛନ୍ତି। ବୁଣା ଯାଇଥିବା ଧାନ ଗଜା ମରୁଡି ପରିସ୍ଥିତିକୁ ଆସିଯିବା ଆଶଙ୍କା ଦେଖା ଦେଇ। ମୌସୁମୀ ବର୍ଷା ଚାଷୀଙ୍କୁ ଧୋକା ଦେଇଥିବା ବେଳେ ସରକାରଙ୍କ ବିପୁଳ ଅର୍ଥ ବ୍ୟୟରେ ନିର୍ମିତ ମେଗା ଉଠାଜଳସେଚନ ପ୍ରକଳ୍ପ ଜଳସେଚନ ପାଇଁ ସହାୟ ହେବାରେ ବିଫଳ ହୋଇଥିବା ଅଭିଯୋଗ ହୋଇଛି। ପ୍ରକଳ୍ପ ଆରମ୍ଭରୁ ଚାଷ ଜମିକୁ ବୁନ୍ଦାଏ ପାଣି ମାଡ଼ି ପାରିଲାନି। କେବଳ ଖରିଫ ଋତୁରେ ନିଅଣ୍ଟିଆ ବର୍ଷା ହେଲେ ମେଗା ଉଠାଜଳସେଚନ ପ୍ରକଳ୍ପରୁ ଚାଷୀଙ୍କ ଜମିକୁ ପାଣି ଛଡ଼ାଯିବ ବୋଲି ବିଭାଗୀୟ ଅଧିକାରୀ ପ୍ରତିଶ୍ରୁତି ଦେଇଥିଲେ। ନଦୀ ଗର୍ଭରୁ ଭୂତଳ ଜଳ ଉପରକୁ ଉଠାଇ ନନ୍ଦାହାଣ୍ଡି ବ୍ଲକର ୩୭ ଗ୍ରାମର ୩୮ ୮୦ ହେକ୍ଟର ଜମିକୁ ଜଳସେଚିତ କରାଯିବା ପ୍ରକଳ୍ପର ଲକ୍ଷ୍ୟ ଥିଲା। ନନ୍ଦାହାଣ୍ଡି ବ୍ଲକର ୪ଟି ସ୍ଥାନରେ ଉଠା ସେଚ ପ୍ରକଳ୍ପ କରାଯାଇଛି। ସେଗୁଡ଼ିକ ହେଲା ଇନ୍ଦ୍ରାବତୀ ନଦୀକୂଳର ଗାଁ ଡାଇଭଟ୍ଟା, ନୂଆଗାଁ, ଏକମ୍ବା ଓ ପରଜାମୀନିଗୁଡ଼ା। ୪ଟି ପ୍ରକଳ୍ପ ପାଇଁ ୧୫ ମିଟର ତଳୁ ଇନ୍ଦ୍ରାବତୀ ନଦୀର ଭୂତଳ ଜଳରୁ ପମ୍ପ ସାହାଯ୍ୟରେ ଉପରକୁ ଉଠାଇ କେବଳ ଜଳସେଚନ ପାଇଁ ଏହାକୁ ଗଚ୍ଛିତ ରଖାଯିବ। ୪ଟି ପ୍ରକଳ୍ପର ୩ହଜାର ୮ଶହ ୮୦ ହେକ୍ଟର ଜମିକୁ ଜଳସେଚିତ କରିବା ପାଇଁ ଦୀର୍ଘ ୧୧୯ କି.ମି ପାଇପ୍ ଲାଇନ୍ ଜମି ତଳେ ବିଚ୍ଛାଯାଇ ଜମି ଗୁଡିକରେ ପାଣି ପହଞ୍ଚାଇବା ପାଇଁ ପଏଣ୍ଟ ଗୁଡିକ ବସାଯାଇଛି। କିନ୍ତୁ ପାଣି ଟୋପାଏ ପାଣି ଜମିକୁ ମାଡ଼ୁ ନଥିବା ତୁରଞ୍ଜିଆଗୁଡା, ରଙ୍ଗମାଟିଗୁଡା, ଦଳେଇଗୁଡାର ଚାଷୀ ସମେତ ଜିଲାର ବରିଷ୍ଠ ଚାଷୀ ଭୂବନେଶ୍ୱର ସୂର ଓ ସିମାଂଚଳ ପାଢୀ ପ୍ରମୁଖ ଅଭିଯୋଗ କରିଛନ୍ତି। ବିଭାଗୀୟ ଅଧିକାରୀଙ୍କ ଦେଖା ମିଳୁ ନଥିବା ବେଳେ ଜଣେ ଠିକାଦାରଙ୍କ ହାତରେ ପ୍ରକଳ୍ପ ଟେକି ଦିଆଯାଇଛି। ଚାଷୀ ଅଭିଯୋଗ କଲେ ପାଣି ଆଜିକାଲି ଭିତରେ ଛଡ଼ାଯିବ ବୋଲି ଭୁଆଁ ବୁଲାଯାଉଥିବା କୁହାଯାଉଛି।
କୃଷି ବିଭାଗର ସୂଚନା ଅନୁଯାୟୀ, ଜିଲ୍ଲାରେ ୧ଲକ୍ଷ ୧୫୧୭ ହେକ୍ଟର ଜମିରେ ଧାନ ଚାଷ ପାଇଁ ଯୋଜନା କରାଯାଇଥିଲା। ସେଥିରୁ ବର୍ତ୍ତମାନ ସୁଦ୍ଧା ୫୦ ପ୍ରତିଶତ ଜମିରେ ଧାନ ବୁଣା ଓ ରୁଆ କାମ ସରିଥିବା ବିଭାଗ କୁହାଯାଉଛି । ବେସରକାରୀ ଭାବେ ହଜାର ହଜାର ହେକ୍ଟର ଜମିରେ ରୁଆ କାମ ଆରମ୍ଭ ହୋଇପାରି ନଥିବା ଜଣାପଡିଛି। ବର୍ଷା ଅଭାବ ଜନିତ ସମସ୍ୟ।କୁ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ସତ୍ୟପ୍ରସାଦ ସାମନ୍ତରାୟ ସ୍ୱୀକାର କରିଛନ୍ତି । କିନ୍ତୁ ଜମିରେ ଆଦ୍ରତା ଥିବା ଯୋଗୁ ଫସଲ କ୍ଷତି ହେବା ସମ୍ଭାବନା କମ୍ ଥିବା ସେ ଅନୁମାନ କରୁଛନ୍ତି । ଅପରପକ୍ଷରେ ଉଠା ଜଳ ସେଚନ ବିଭାଗ ର ଖାମଖିଆଲି ମନୋଭାବ ଚାଷୀ ମାନଙ୍କୁ ଅଧିକ ମ୍ରିୟମାଣ କରିଛି।



