ଆୟ ବହିର୍ଭୂତ ସମ୍ପତ୍ତି ଠୁଳ: ଜେଲ ଗଲେ ପୌରନିର୍ବାହୀ ଅଧିକାରୀ
ସମ୍ବଲପୁର : ସମ୍ବଲପୁର ଭିଜିଲାନ୍ସ ଡିଭିଜନ ପକ୍ଷରୁ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ମଙ୍ଗଳବାର ଦେବଗଡ଼ ପୌରପରିଷଦ ନିର୍ବାହୀ ଅଧିକାରୀ କୁଞ୍ଜବନ ପ୍ରଧାନଙ୍କ ସରକାରୀ ବାସଭବନ ଓ କାର୍ଯ୍ୟାଳୟ ସମେତ ୪ଟି ସ୍ଥାନରେ ଏକକାଳୀନ ଭିଜିଲାନ୍ସ ଚଢଉ କରାଯାଇଥିଲା। ଭିଜିଲାନ୍ସ ପକ୍ଷରୁ ଏକ ମାମଲା ରୁଜୁ କରାଯାଇ ଆଜି ତାଙ୍କୁ ଅଦାଲତରେ ଉପସ୍ଥାନ କରାଇ ଜାମିନ ଆବେଦନ ନାମଞ୍ଜୁର ହେବାରୁ ଜେଲକୁ ପଠାଇ ଦିଆଯାଇଥିବା ଜଣାପଡ଼ିଛି।
ମଙ୍ଗଳବାର ଶ୍ରୀ ପ୍ରଧାନଙ୍କ ଝାରସୁଗୁଡ଼ା ଜିଲା ବ୍ରଜରାଜନଗର ଥାନା ରାଜପୁର କଟାପାଲି ବାସଭବନ, ଦେବଗଡ଼ ପୌରପାଳିକା କାର୍ଯ୍ୟାଳୟ ନିକଟସ୍ଥ ସରକାରୀ ବାସଭବନ, ଝାରସୁଗୁଡ଼ା ବଞ୍ଜାରପାଲି ଥାନା ଅନ୍ତର୍ଗତ ବନ୍ଧବାହାଲ ଜଗନ୍ନାଥ ନଗରସ୍ଥିତ ଶ୍ବଶୁର ଅଗସ୍ତି ଖମାରୀଙ୍କ ଘର ଏବଂ ଦେବଗଡ଼ ପୌର କାର୍ଯ୍ୟାଳୟସ୍ଥିତ ଶ୍ରୀ ପ୍ରଧାନଙ୍କ ଚ୍ୟାମ୍ବରରେ ସମ୍ବଲପୁର ଭିଜିଲାନ୍ସ ଜଜ୍ଙ୍କ ସ୍ପେଶାଲ ୱାରେଣ୍ଟ ବଳରେ ଚଢ଼ଉ କରିଥିଲେ। ସ୍ଥାବର ସମ୍ପତ୍ତି ଭାବରେ ୨୮ ଲକ୍ଷ ୩୬ ହଜାର ୬ ଶହ ଟଙ୍କାର ବ୍ରଜରାଜନଗର ଆର. କଟାପାଲିରେ ଥିବା ଦିମହଲା କୋଠା ସହିତ ଭିଜିଲାନ୍ସ ଚିହ୍ନଟ କରିଥିବାବେଳେ ଅସ୍ଥାବର ସମ୍ପତ୍ତି ଭାବରେ ମୂଲ୍ୟବାନ ଘରୋଇ ସାମଗ୍ରୀ, ଆସବାବ, ବୈଦ୍ୟୁତିକ ଉପକରଣ, ସୁନା ଓ ରୂପା ଅଳଙ୍କାର, ୨ଟି ବାଇକକୁ ମିଶାଇ ମୋଟ ୫ ଲକ୍ଷ ୪୮ ହଜାର ୫୫୬ ଟଙ୍କା, ବ୍ୟାଙ୍କ ଓ ପୋଷ୍ଟ ଅଫିସରେ ଜମା ୩୫ ଲକ୍ଷ ୮୬ ହଜାର ୬୦୩ ଟଙ୍କା ଏବଂ ନଗଦ ରାଶି ୯୨ ହଜାର ୩୭୦ ଟଙ୍କାର ଅସ୍ଥାବର ସମ୍ପତ୍ତି ରହିଛି। ଏହିପରି ନିର୍ବାହୀ ଅଧିକାରୀଙ୍କ ମୋଟ ୭୦ ଲକ୍ଷ ୬୪ ହଜାର ୧୨୯ ଟଙ୍କାର ସମ୍ପତ୍ତି ଠାବ ହୋଇଥିବା ସମ୍ବଲପୁର ଭିଜିଲାନ୍ସ ଡିଭିଜନ ପକ୍ଷରୁ ସୂଚନା ଦିଆଯାଇଛି।
Comments are closed.