ନୂଆଦିଲ୍ଲୀ : ବନ୍ଦେ ଭାରତ ମିଶନ ଅଧୀନରେ ଗତ ଛଅ ଦିନ ମଧ୍ୟରେ ଏୟାର ଇଣ୍ଡିଆ ଏବଂ ଏୟାର ଇଣ୍ଡିଆ ଏକ୍ସପ୍ରେସ ଦ୍ୱାରା ପରିଚାଳିତ ୪୩ ଟି ଇନବାଉଣ୍ଡ ବିମାନରେ ମୋଟ ୮ ହଜାର ୫୦୩ ଭାରତୀୟଙ୍କୁ ସ୍ବଦେଶ ଫେରାଇ ଅଣାଯାଇଛି । ନାଗରିକମାନଙ୍କୁ ଭାରତକୁ ଫେରାଇ ଆଣିବା ପାଇଁ ଏକ ବଡ଼ ଅଭିଯାନ ସ୍ବରୂପ ସରକାର ଚଳିତ ମାସ ୭ ତାରିଖରୁ ବନ୍ଦେ ଭାରତ ମିଶନ ଆରମ୍ଭ କରିଥିଲେ । ଏହି ମିଶନ ଅଧୀନରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ, ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଏବଂ ରାଜ୍ୟ ସରକାରଙ୍କ ସହ ମିଶି ଭାରତୀୟମାନଙ୍କୁ ନିଜ ଦେଶକୁ ଫେରାଇ ଆଣିବା ପାଇଁ ସମନ୍ୱୟ ରକ୍ଷା କରୁଛି ।
ଏୟାର ଇଣ୍ଡିଆ ଏହାର ସହାୟକ କମ୍ପାନୀ ଏୟାର ଇଣ୍ଡିଆ ଏକ୍ସପ୍ରେସ ସହିତ ପ୍ରଥମ ପର୍ଯ୍ୟାୟରେ ୧୪ ହଜାର ୮୦୦ ଭାରତୀୟଙ୍କୁ ଫେରାଇ ଆଣିବା ପାଇଁ ଆମେରିକା, ବ୍ରିଟେନ, ବାଂଲାଦେଶ, ସିଙ୍ଗାପୁର, ସାଉଦି ଆରବ, କୁଏତ, ଫିଲିପାଇନ୍ସ, ୟୁଏଇ ଏବଂ ମାଲେସିଆ ସମେତ ୧୨ଟି ଦେଶକୁ ମୋଟ ୬୪ଟି ବିମାନ ଚଳାଚଳ କରୁଛି । ଏହି ବିଶାଳ ମିଶନ ସରକାରଙ୍କ ଦ୍ୱାରା ନିର୍ଦ୍ଧାରିତ ସୁରକ୍ଷା ଏବଂ ସ୍ୱଚ୍ଛତା ପ୍ରୋଟୋକଲକୁ କଡାକଡି ଭାବେ ପାଳନ କରି ଯାତ୍ରୀ, କ୍ରୁ ସଦସ୍ୟ ଏବଂ ଗ୍ରାଉଣ୍ଡ ହ୍ୟାଣ୍ଡଲିଂ କର୍ମଚାରୀଙ୍କ ସୁରକ୍ଷାକୁ ପ୍ରାଥମିକତା ଦେବା ପାଇଁ ସମସ୍ତ ସଂପୃକ୍ତ ଏଜେନ୍ସି ପଦକ୍ଷେପ ନେଉଛନ୍ତି। ସରକାରୀ ନିର୍ଦ୍ଦେଶାବଳୀ ଅନୁଯାୟୀ ବ୍ୟାପକ ଏବଂ ଯତ୍ନଶୀଳ ସୁରକ୍ଷା ବ୍ୟବସ୍ଥା ମାଧ୍ୟମରେ ଲୋକଙ୍କୁ ସ୍ବଦେଶ ଫେରାଇ ଅଣାଯାଉଛି।
ବୁଧବାର ମିଶନର ସପ୍ତମ ଦିନରେ ବିଦେଶରେ ରହିଥିବା ୯୦୦ ଜଣ ଭାରତୀୟଙ୍କୁ ୫ଟି ବିମାନଯୋଗେ ଦେଶକୁ ଅଣାଯାଉଛି । ୨ଟି ବିମାନ
ଦୁବାଇରୁ ଆସିବ । ଗୋଟିଏ ନୂଆଦିଲ୍ଲୀରେ ଅବତରଣ କରିବାକୁ ଥିବାବେଳେ ଅନ୍ୟଟି ଅମୃତସରରେ ଅବତରଣ କରିବ । ଦିଲ୍ଲୀ ଅଭିମୁଖେ
ଆସିବାକୁ ଥିବା ବିମାନରେ ୨୪୧ ଜଣ ବୟସ୍କ ଓ ୨ଜଣ ଶିଶୁ ଦୁବାଇରୁ ଆସିବେ ।
ସେହିଭଳି ଅମୃତସରରେ ଅବତରଣ କରିବାକୁ ଥିବା ବିମାନରେ ୧୭୮ ଜଣ ଭାରତୀୟ ଆସୁଛନ୍ତି । କୁଏତ୍ରୁ ଆଜି ୨ଟି ବିମାନ ଆସିବ । ଗୋଟିଏ ଅହମ୍ମଦାବାଦରେ ଆଉ ଗୋଟିଏ କୋଝିକୋଡରେ ଅବତରଣ କରିବ । ଏହି ଦୁଇଟି ବିମାନରେ ମୋଟ୍ ୩୩୦ ଜଣ ଯାତ୍ରୀ ଆସିବେ । ଆଜି ଦିଲ୍ଲୀକୁ ଆସିବାକୁ ଥିବା ଗୋଟିଏ ବିମାନର ସମୟସାରଣୀରେ ପରିବର୍ତ୍ତନ କରାଯାଇଛି। ଏହା ଆଜି ପରିବର୍ତ୍ତେ ଆସନ୍ତାକାଲି ଆସିବ । ବନ୍ଦେ ଭାରତ୍ ମିଶନରେ ଶ୍ରମିକ, ବୟସ୍କ ବ୍ୟକ୍ତି, ଗର୍ଭବତୀ ମହିଳା ଏବଂ ଜରୁରୀ ଚିକିତ୍ସା ଆବଶ୍ୟକ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରାଧାନ୍ୟ ଦିଆଯାଉଛି । ତେବେ ଯେଉଁମାନଙ୍କଠାରେ କୋଭିଡ୍ ନାଇଣ୍ଟିନ୍ ଲକ୍ଷଣ ନଥିବ ସେଇମାନଙ୍କୁ ବିମାନରେ ଆସିବାକୁ ଅନୁମତି ଦିଆଯାଉଛି।



