ମୋହନା: ସ୍ଥାନୀୟ ବ୍ଲକ୍ ଅନ୍ତର୍ଗତ ଖାରିଗୁଡା ପଞ୍ଚାୟତ କାର୍ୟ୍ୟାଳୟରେ ଦୀର୍ଘମାସ ହେଲା ଖାଲି ପଡିଛି ପଞ୍ଚାୟତ କାର୍ୟ୍ୟନିର୍ବାହୀ ଅଧିକାରୀ(ପିଇଓ), ଗ୍ରାମରୋଜଗାର ସେବକ (ଜିଆରଏସ) ଓ ଯୋଗାଣ ସହାୟକ ପଦ। ଯାହାରି ଫଳରେ ଖାରିଗୁଡା ପଞ୍ଚାୟତରେ ଉନ୍ନତିମୂଳକ କାର୍ଯ୍ୟ ହୋଇପାରୁନି। ଏଠାକାର ପଞ୍ଚାୟତ ଦାୟିତ୍ବରେ ରହିଥିବା ପିଇଓ ଅନ୍ୟ ଦୁଇଟି ପଞ୍ଚାୟତ ଦାୟିତ୍ବରେ ମଧ୍ୟ ରହିଛନ୍ତି। କିନ୍ତୁ ସେ ୩ ମାସ ହେଲା ପଞ୍ଚାୟତ କାର୍ଯ୍ୟାଳୟକୁ ନଆସି ଅନୁପସ୍ଥିତ ରହିଛନ୍ତି। ଯାହାଫଳରେ ଲୋକଙ୍କୁ ଭତ୍ତା, ରେସନ କାର୍ଡ଼ ଧାରୀମାନଙ୍କୁ ମାଗଣା ଚାଉଳ ବଣ୍ଟନ ଓ ପାନୀୟ ଜଳ ଯୋଗାଣରେ ସମସ୍ୟା ଏବଂ ପଞ୍ଚାୟତର ଉନ୍ନତିମୂଳକ କାମ ହେବାରେ ବାଧା ଉପୁଜିଛି । ଏଭଳି ସମସ୍ୟାକୁ ଦେଖି ଗଜପତି ଜିଲାପାଳ ଅନୁପମ ସାହା ରା.ଉଦୟଗିରି ବ୍ଳକରେ କାର୍ୟ୍ୟରତ ରହିଥିବା ପିଇଓ ପର୍ଶୁରାମ ମଣ୍ଡଳଙ୍କୁ ଗତ ମାର୍ଚ୍ଚ ମାସରେ ମୋହନା ବ୍ଳକକୁ ବଦଳି କରିଥିଲେ। ମଣ୍ଡଳ ପିଇଓ ଆସିବାର ୩ ମାସ ବିତିବାକୁ ଲାଗିଲାଣି ତଥାପି ଦାୟିତ୍ୱରେ ରହିଥିବା ପିଇଓ ନିବେଶ ପାଣି ଦାୟିତ୍ୱ ହସ୍ତାନ୍ତର କରୁନାହାନ୍ତି କି ଅଫିସକୁ ମଧ୍ୟ ଆସୁନାହାନ୍ତି। ଫଳରେ ମଣ୍ଡଳ ପଞ୍ଚାୟତ କାର୍ଯ୍ୟାଳୟକୁ ଆସି ବସି ବସି ଘରକୁ ଫେରିବା ସାର ହେଉଛି।
ଅପରପକ୍ଷେ ଖାରିଗୁଡା ପଞ୍ଚାୟତ ଏବଂ ଗୁରୁଝୋଳି ପଞ୍ଚାୟତ ଦାୟିତ୍ବରେ ରହିଥିବା ଗ୍ରାମରୋଜଗାର ସେବକ ମିହିର କୁମାର ବସ୍ତ୍ରରାୟ ଅଧିକାଂଶ ସମୟ ଖାରିଗୁଡା ପଞ୍ଚାୟତକୁ ନଆସି କେବଳ ଗୁରୁଝୋଳି ପଞ୍ଚାୟତରେ ରହୁଛନ୍ତି ବୋଲି ଖାରିଗୁଡ଼ା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ସେହିପରି ୨ମାସ ହେଲା ଖାରିଗୁଡା ପଞ୍ଚାୟତ କାର୍ୟାଳୟରେ ଯୋଗାଣ ସହାୟକ ପଦ ଖାଲି ପଡ଼ିଛି। ଯାହାଫଳରେ ଜିଓଟେକ ଦାୟିତ୍ବରେ ରହିଥିବା ସନ୍ତୋଷ କୁମାର ପଣ୍ଡା ଯୋଗାଣ ସହାୟକ ର କାମ ତୁଲାଉଛନ୍ତି। ହେଲେ ବିଡିଓଙ୍କ ନିର୍ଦେଶକୁ ଖାରିଗୁଡ଼ା ପିଇଓଙ୍କ ଅବମାନନା କେତେଦୂର ଯଥାର୍ଥ ତାହା ଅଞ୍ଚଳବାସୀଙ୍କୁ ଚକିତ କରିଛି। ଏଣୁ ଏହି ଦୁର୍ଗମ ପଞ୍ଚାୟତରେ ଖାଲିପଡିଥିବା ପଦବୀଗୁଡ଼ିକୁ ଶୀଘ୍ର ପୂରଣ କରିବା ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି।



