ମୋହନା: କେନ୍ଦ୍ର ସରକାରଙ୍କ ଦ୍ୱାରା ଦେଶରେ ବସବାସ କରୁଥିବା ନିହାତି ଗରିବ, ରାସନ କାର୍ଡଧାରୀ ତଥା ଦୁର୍ଗମ ଅଞ୍ଚଳରେ ବସବାସ କରୁଥିବା ଲୋକଙ୍କ ସୁବିଧା ପାଇଁ ସୌଭାଗ୍ୟ ଯୋଜନା ପ୍ରଣୟନ କରିଛନ୍ତି I ଯାହାଫଳରେ ଲୋକେ ମାଗଣାରେ ବିଦ୍ୟୁତ ସଂଯୋଗୀକରଣ କରିପାରିବେ କିନ୍ତୁ ସରକାରୀ କର୍ମଚାରୀ ନିଜ କାର୍ଯ୍ୟାଳୟକୁ ଚୋରାରେ ବିଦ୍ୟୁତ ସଂଯୋଗ କରିବା କେତେଦୂର ଯଥାର୍ଥ ତାହା ଅଞ୍ଚଳବାସୀଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।. ଏହିପରି ଏକ ଘଟଣା ଦେଖିବାକୁ ମିଳିଛି ମୋହନା ବ୍ଲକ ଲୁହାଗୁଡ଼ି ପଂଚାୟତର ଛକ ଠାରେ ରହିଥିବା ସ୍ୱାସ୍ଥ୍ୟ ଉପକେନ୍ଦ୍ରଠାରେ। ଦୀର୍ଘ ମାସଧରି ବିଦ୍ୟୁତଖୁଣ୍ଟରୁ ହୁକ ପକାଇ ଉପକେନ୍ଦ୍ରକୁ ବିଦ୍ୟୁତ ଚୋରାରେ ନିଆଯାଇଛି। ଖୋଲମଖୋଲା ଭାବେ ମାଟି ଉପରେ ବିଦ୍ୟୁତ ତାର ବିଛାଇ ବିପଦ ସଂକୁଳ ଅବସ୍ଥାରେ ବିଦ୍ୟୁତ ନିଆଯାଇଛି।
ଏହି ସ୍ଥାନ ନିକଟ ପଡିଆରେ ଯୁବକମାନେ କ୍ରିକେଟ, ଭଲିବଲ ଖେଳିବା ସହ ଗାଈ ଗୋରୁ, ଛେଳିମାନେ ଚରୁଥିବାବେଳେ କାର୍ଯ୍ୟାଳୟର କର୍ମଚାରୀମାନେ ଚଳପ୍ରଚଳ କରିଥାନ୍ତି। କେହି ଯଦି ବିଛାଯାଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସେ ତେବେ ଅଘଟଣକୁ ଏଡାଇ ଦିଆଯାଇ ନ ପାରେ ।. ସ୍ୱାସ୍ଥ୍ୟ ଉପକେନ୍ଦ୍ର ଅଧିକାରିଣୀ ସ୍ଥାନୀୟ ବିଦ୍ୟୁତ ବିଭାଗର ହେଲପରଙ୍କୁ ହାତଗୁଞ୍ଜା ଦେଇ ଚୋରାରେ ବିଦ୍ୟୁତ ବହୁଦିନ ଧରି ନେଇଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ଏ ସମ୍ପର୍କରେ ବିଦ୍ୟୁତ ବିଭାଗର କନିଷ୍ଠ ଯନ୍ତ୍ରୀ ଅକ୍ଷୟ କୁମାର ରାଉତଙ୍କୁ ଯୋଗାଯୋଗ କରିବାରୁ ସେ ଏ ସମ୍ପର୍କରେ ଅବଗତ ନ ଥିବା କହିବା ସହ ହେଲପର ପଠାଇ ବିଦ୍ୟୁତ କାଟ କରିବା, ତାର ସିଜ କରିବା ଏବଂ ଦୋଷୀ ପ୍ରତି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରକାଶ କରିଛନ୍ତି । ଅପର ପକ୍ଷେ ସ୍ୱାସ୍ଥ୍ୟ ଉପକେନ୍ଦ୍ରର ଏଏନଏମ ବିଷ୍ଣୁପ୍ରିୟା ସାହୁ ନିଜର ଭୁଲ କୁ ଘୋଡାଇବାପାଇଁ ପଞ୍ଚାୟତ ଉପରକୁ ଦୋଷ ଠେଲିଦେଉଛନ୍ତି। ଏହି ବିଷୟରେ ଲୁହାଗୁଡ଼ି ପଞ୍ଚାୟତ ନିର୍ବାହୀ ଅଧିକାରୀ ମଧୁ ପାଲାକିଙ୍କୁ ପଚାରିବାରୁ ସେ ଚୋରାରେ ଉପକେନ୍ଦ୍ରକୁ ବିଦ୍ୟୁତ ନେବା ବିଷୟରେ କିଛି ଜାଣିନାହାନ୍ତି ଏବଂ ଏହା ଆମ କାମ ନୁହେଁ ବୋଲି କହିବା ସହ ଏଏନଏମ ନିଜ ଦୋଷକୁ ଲୁଚାଇବାପାଇଁ ପଞ୍ଚାୟତକୁ ବଦନାମ କରୁଛନ୍ତି ବୋଲି କହିଛନ୍ତି।



