ମୋହନା:ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ ପାଇଁ ସରକାର ଅନେକ ଯୋଜନା ପ୍ରଣୟନ କରିଛନ୍ତି। ଏହି ଯୋଜନାର ସଫଳ ରୂପାୟନ ପାଇଁ ରାଜ୍ୟ ସରକାର ରାଜକୋଷରୁ କୋଟି କୋଟି ଟଙ୍କା ବ୍ୟୟ କରୁଛନ୍ତି। ତେବେ ସ୍ଥାନୀୟ ବ୍ଳକର ବିଭିନ୍ନ ଅଞ୍ଚଳରେ ଶିକ୍ଷା ବ୍ୟବସ୍ଥା ସୁଧୁରି ପାରୁନଥିବା ପରିଲକ୍ଷିତ ହୋଇଛି। ଗଜପତି ଜିଲା ମୋହନା ବ୍ଲକ ଅନ୍ତର୍ଗତ କଟାମା ପଞ୍ଚାୟତ ଅଧିନ ଖଣ୍ଡବା ସରକାରୀ ପ୍ରାଥମିକ ବିଦ୍ୟାଳୟ ସମ୍ମୁଖରେ ଥିବା ବିପଦପୂର୍ଣ୍ଣ କାଠପୋଲ ଉପର ଦେଇ ପ୍ରତ୍ୟେକ ଦିନ ବିଦ୍ୟାଳୟକୁ କୋମଳମତି ଛାତ୍ର ଛାତ୍ରୀମାନେ ପାଠ ପଢିବା ପାଇଁ ଯିବାଆସିବା କରିଥାନ୍ତି। ବିଦ୍ୟାଳୟକୁ ଯିବା ପାଇଁ ଏହି କାଠ ପୋଲ ହିଁ ଭରସା ପାଲଟିଛି। ଗ୍ରାମବାସୀମାନେ ମଧ୍ୟ ଏହି କାଠପୋଲ ଉପରେ ଯିବା ଆସିବା କରିଥାନ୍ତି। କାଠ ପୋଟି ଦୋହଲୁ ଥିବାରୁ ଟିକିଏ ଅସାବଧାନତା ହେଲେ ଛାତ୍ରଛାତ୍ରୀମାନେ ଖସି ପଡିଯିବାର ଆଶଙ୍କା ମଧ୍ୟ ରହିଛି। ତଥାପି ଏମିତି ବିପଦପୂର୍ଣ୍ଣ କାଠପୋଲ ଉପରେ ଦୈନନ୍ଦିନ ଯାତାୟତ କରୁଛନ୍ତି ଛାତ୍ରଛାତ୍ରୀ ଓ ଗ୍ରାମବାସୀ।
ଏହି ଗ୍ରାମଟି ଦୂର୍ଗମ ତଥା ଉପାନ୍ତ ଅଞ୍ଚଳରେ ରହିଥିବା ବେଳେ ଏହି ଗ୍ରାମାଞ୍ଚଳର ଛାତ୍ରଛାତ୍ରୀଙ୍କୁ ଶିକ୍ଷା ପ୍ରଦାନ କରିବା ପାଇଁ ୨୦୧୩ ମସିହାରେ ସରକାର ପ୍ରତିଷ୍ଠା କରିଥିଲେ ଗୋଟିଏ ସରକାରୀ ପ୍ରାଥମିକ ବିଦ୍ୟାଳୟ। ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଗ୍ରାମର ୨୦ରୁ ଉର୍ଦ୍ଧ୍ବ ଛାତ୍ର ଛାତ୍ରୀ ଶିକ୍ଷା ଗ୍ରହଣ କରୁଛନ୍ତି। ସେମାନଙ୍କୁ ଶିକ୍ଷା ଦାନ ପାଇଁ ୨ ଜଣ ଶିକ୍ଷକ ମଧ୍ୟ ନିଯୁକ୍ତ ହୋଇଛନ୍ତି। ହେଲେ ଗ୍ରାମରୁ ପାଠ ପଢ଼ିବାକୁ ଯିବା ପାଇଁ ବିଦ୍ୟାଳୟ ସମ୍ମୁଖରେ ଗୋଟିଏ ନାଳ ରହି। ବର୍ଷା ଦିନେ ଗାଁରୁ ବିଦ୍ୟାଳୟକୁ ଯିବା ଅସମ୍ଭବ ହୋଇ ପଡୁଛି। ତେଣୁ ଗ୍ରାମବାସୀଙ୍କ ମିଳିତ ଉଦ୍ୟମରେ ଏଠାରେ ଏକ କାଠପୋଲ ନିର୍ମାଣ କରାଯାଇଛି। ଏହି ବିପଦ ସଂକୁଳ କାଠ ପୋଲ ଉପର ଦେଇ ପ୍ରତିଦିନ ଛାତ୍ରଛାତ୍ରୀ ଓ ଗ୍ରାମବାସୀ ଯିବା ଆସିବା କରିଛନ୍ତି। ତେଣୁ ଗ୍ରାମବାସୀ ଏଠାରେ ପୋଲ ନିର୍ମାଣ ପାଇଁ ସରକାରଙ୍କୁ ବାରମ୍ବାର ନିବେଦନ କରି ଆସୁଥିଲେ ମଧ୍ୟ ତାହା ପ୍ରଶାସନ ନିକଟରେ କୁମ୍ଭୀର କାନ୍ଦଣା ସଦୃଶ ହୋଇଛି। ବିଦ୍ୟାଳୟକୁ ଯାତାୟତ ସୁବିଧା ପାଇଁ ଏଠାରେ ଗୋଟିଏ କଂକ୍ରିଟ ପୋଲ ସରକାର ନିର୍ମାଣ କରାଯାଉ ବୋଲି ଉଭୟ ଗ୍ରାମବାସୀ ଓ ଛାତ୍ରଛାତ୍ରୀ ଦାବି କରିଛନ୍ତି।



