www.samajalive.in
Tuesday, December 9, 2025
16.1 C
Bhubaneswar

ହର ଘର ତ୍ରିରଙ୍ଗା ଅଭିଯାନ ପାଇଁ ମିଶନ ଶକ୍ତି ଦ୍ୱାରା ୩୦ ଲକ୍ଷ ଜାତୀୟ ପତାକା ପ୍ରସ୍ତୁତ

ଭୁବନେଶ୍ୱର:ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତିର ଗୌରବମୟ ଅବସରରେ ସାରା ଦେଶରେ ‘ହର୍‌ ଘର ତ୍ରିରଙ୍ଗା’ ଅଭିଯାନ ଜୋରଦାର ହେବାରେ ଲାଗିଛି । ୧୩ରୁ ୧୫ ଅଗଷ୍ଟ ୨୦୨୨ ପର୍ଯ୍ୟନ୍ତ ସମସ୍ତ ଘର ଏବଂ ଶିକ୍ଷାନୁଷ୍ଠାନରେ ଜାତୀୟ ପତାକା ଉତ୍ତୋଳନ କରାଯାଉଛି।
ଆମ ରାଜ୍ୟ ଓଡ଼ିଶାରେ ମିଶନ ଶକ୍ତି ସଦସ୍ୟାମାନଙ୍କ ଔଦ୍ୟୋଗିକ ସାମର୍ଥ୍ୟ ଉପରେ ସଂପୂର୍ଣ୍ଣ ଆସ୍ଥା ପ୍ରକଟ କରିବା ସହ ସେମାନଙ୍କ ପାଖରେ ଥିବା ସିଲାଇ ୟୁନିଟଗୁଡ଼ିକର ପୂର୍ଣ୍ଣ ଉପଯୋଗ କରିବା ଲକ୍ଷ୍ୟରେ ରାଜ୍ୟ ସରକାର ମିଶନ ଶକ୍ତି ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁ ୩୦ ଲକ୍ଷ ଜାତୀୟ ପତାକା ସିଲାଇ କରିବାର ଗୁରୁଦାୟିତ୍ୱ ଅର୍ପଣ କରିଥିଲେ।
ଆଜି ସିଲାଇ କାର୍ଯ୍ୟରେ ସଂପୃକ୍ତ ମିଶନ ଶକ୍ତି ସ୍ୱୟଂ ସହାୟକ ଓ ଉତ୍ପାଦକ ଗୋଷ୍ଠୀର ଗୋଟିଏ ପ୍ରତିନିଧି ଦଳ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରି ହାତ ତିଆରି ଜାତୀୟ ପତାକା ପ୍ରଦାନ କରିଥିଲେ। ଏହାସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେମାନଙ୍କ ଉପରେ ସଂପୂର୍ଣ୍ଣ ଭରସା ରଖି ଏଭଳି ଏକ ବିଶାଳ ଦାୟିତ୍ୱ ପ୍ରଦାନ କରିଥିବାରୁ କୃତଜ୍ଞତା ଜଣାଇଥିଲେ। ୭୬ତମ ସ୍ୱାଧୀନତା ଦିବସର ଏଇ ଶୁଭ ଅବସରରେ ରାଜ୍ୟର ସମସ୍ତ ସରକାରୀ, ଘରୋଇ ଅନୁଷ୍ଠାନ, ସଂସ୍ଥା ଆଦିରେ ଜାତୀୟ ପତାକା ଉଡ଼ିବ। କିନ୍ତୁ ମିଶନ ଶକ୍ତି ସଦସ୍ୟାମାନଙ୍କ ଦ୍ୱାରା ପ୍ରସ୍ତୁତ ଏବଂ ଯୋଗାଇ ଦିଆଯାଇଥିବା ଜାତୀୟ ପତାକା ସଂପୂର୍ଣ୍ଣ ସ୍ୱତନ୍ତ୍ର, କାରଣ ଏଥିରେ ସେମାନଙ୍କ ନିଷ୍ଠା, ଆନ୍ତରିକତା ଏବଂ ପର୍ଯ୍ୟାପ୍ତ ଶ୍ରଦ୍ଧା ଭରିରହିଛି ବୋଲି ସଦସ୍ୟାମାନେ କହିଛନ୍ତି।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ରାଜ୍ୟର ମହିଳା ସଶକ୍ତିକରଣ କ୍ଷେତ୍ରରେ ମିଶନ ଶକ୍ତି ଏକ ବିରାଟ ଆନ୍ଦୋଳନରେ ପରିଣତ ହୋଇପାରିଛି । ଆଜି ଏହି କାର୍ଯ୍ୟକ୍ରମ ଅଧୀନରେ ରାଜ୍ୟର ଗ୍ରାମ ଏବଂ ସହରମାନଙ୍କରେ ୬ ଲକ୍ଷରୁ ଊର୍ଦ୍ଧ୍ୱ ଗୋଷ୍ଠୀ ସଂଗଠିତ ହୋଇପାରିଛନ୍ତି।

ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ କୈନ୍ଦି୍ରକ ସରକାରୀ କାର୍ଯ୍ୟକ୍ରମମାନଙ୍କରେ ସମନ୍ୱୟ ଆଣିବା, ତୃଣମୂଳ ସ୍ତରରେ ଲକ୍ଷଲକ୍ଷ ମହିଳାଙ୍କ ଯୋଗଦାନକୁ ତ୍ୱରାନ୍ୱିତ କରିବା ତଥା ସ୍ଥାୟୀ ଜୀବନଜୀବିକା ସୃଷ୍ଟି କରିବା ପାଇଁ ଓଡ଼ିଶା ସରକାର ୨୦୨୧ରେ ମିଶନ ଶକ୍ତିକୁ ଏକ ସ୍ୱତନ୍ତ୍ର ବିଭାଗ ଘୋଷଣା କରିଛନ୍ତି।
ଯଦିଓ ଅତି କମ୍‌ ସମୟ ମଧ୍ୟରେ ଏତେ ସଂଖ୍ୟକ ପତାକା ତିଆରି କରିବା ଏକ ବିଶାଳ ଆହ୍ୱାନ ଥିଲା, କିନ୍ତୁ ପୂର୍ବରୁ ମିଶନ ଶକ୍ତି ଅଧୀନରେ ଥିବା ସିଲେଇ ୟୁନିଟ୍‌ଗୁଡ଼ିକ ଏଥିରେ ଯଥେଷ୍ଟ ସହାୟକ ହୋଇଥିଲା ।
ପତାକା ତିଆରିରେ ନିୟୋଜିତ ହୋଇଥିବା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନଙ୍କୁ ପୂର୍ବରୁ ମିଶନ ଶକ୍ତି ବିଭାଗ ଦ୍ୱାରା ପ୍ରଶିକ୍ଷଣ ପ୍ରଦାନ କରାଯାଇଛି। ଏବେ ବୃହତ୍‌ ଟେଲରିଂ ୟୁନିଟ୍‌ ସହ ନିଜସ୍ୱ ୟୁନିଟ୍‌ ପରିଚାଳନାରେ ମଧ୍ୟ ସେମାନଙ୍କର ଯଥେଷ୍ଟ ଦକ୍ଷତା ରହିଛି। ସାରା ରାଜ୍ୟରେ ଅତ୍ୟାଧୁନିକ ସିଲାଇ ମେସିନ୍‌ର ବ୍ୟବହାର କରି ଗୁଣବତ୍ତା ବଜାୟ ରଖି ଏହି ସବୁ ପତାକା ସିଲାଇ କରାଯାଇଛି। ରାଜ୍ୟର ୨୨ଟି ଜିଲ୍ଲାର ୫୦୦ ସ୍ୱୟଂ ସହାୟକ ଗୋଷ୍ଠୀ/ଉତ୍ପାଦକ ଗୋଷ୍ଠୀର ୧୦ ହଜାରରୁ ଊର୍ଦ୍ଧ୍ୱ ସଦସ୍ୟା ଏହି ପତାକା ସିଲାଇ କାର୍ଯ୍ୟରେ ନିୟୋଜିତ
ହୋଇଥିଲେ। ଦୈନିକ ହାରାହାରି ୩.୫ରୁ ୪ ଲକ୍ଷ ପର୍ଯ୍ୟନ୍ତ ସିଲାଇ କରି ଏହି ଲକ୍ଷ୍ୟ ହାସଲ କରିବା ନିମନ୍ତେ ଆପ୍ରାଣ ଉଦ୍ୟମ କରାଯାଇଥିଲା। ଅଗଷ୍ଟ ୧୦ ତାରିଖ ଦିନ ସୁଦ୍ଧା ଏହି ସଦସ୍ୟାମାନଙ୍କ ଦ୍ୱାରା ତିଆରି ହୋଇଥିବା ପତାକାଗୁଡ଼ିକ ପ୍ରତ୍ୟେକ ଜିଲ୍ଲାରୁ ସଂଗୃହୀତ ହୋଇ ବଣ୍ଟନ ଆରମ୍ଭ କରାଯାଇଥିଲା । ପତାକା ତିଆରିର ସମସ୍ତ ଖର୍ଚ୍ଚ ରାଜ୍ୟ ସରକାର ବହନ କରିଥିବାବେଳେ ଏହି ତି୍ରରଙ୍ଗାଗୁଡ଼ିକ ଜିଲ୍ଲା ପ୍ରଶାସନ ଦ୍ୱାରା ଜନସାଧାରଣଙ୍କୁ ବିନା ଦେୟରେ ବଣ୍ଟନ କରାଯାଇଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories