www.samajalive.in
Sunday, December 7, 2025
14.1 C
Bhubaneswar

ଘରକୁ ଘର ସର୍ବେକ୍ଷଣ ଲାଗି ଆଠଗଡରେ ଆଗୁଆ ପଦକ୍ଷେପ

ଆଠଗଡ : ରାଜ୍ୟ ସରକାର  ଆସନ୍ତା ୨୪ତାରିଖରୁ ଘରକୁ ଘର ବୁଲି ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ଲୋକଙ୍କର ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ କରିବା ଏବଂ ସନ୍ଦିଗ୍ଧ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରି ଚିକିତ୍ସା ବ୍ୟବସ୍ଥା କରାଇବା ଲାଗି ଘୋଷଣା କରିଛନ୍ତି। ତେବେ ଆଠଗଡରେ ଏହି କାର୍ଯ୍ୟକ୍ରମ ବେଶ୍‍ ଆଗରୁ ଆରମ୍ଭ କରିବା ଲାଗି ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ପଦକ୍ଷେପ ନେଇ ସାରିଛନ୍ତି। ସେହି ଅନୁଯାୟୀ ମେ ୪ତାରିଖରୁ ଆଠଗଡ ନିର୍ବାଚନ ମଣ୍ଡଳି ଅନ୍ତର୍ଗତ ଆଠଗଡ ଓ ତିଗିରିଆ ବ୍ଲକ ସମେତ ଟାଙ୍ଗି-ଚୌଦ୍ୱାର ବ୍ଲକର ୫ଟି ପଞ୍ଚାୟତ ଅଞ୍ଚଳରେ କାର୍ଯ୍ୟରତ ସ୍ୱାସ୍ଥ୍ୟକର୍ମୀ, ଅଙ୍ଗନବାଡି ଓ ଆଶାକର୍ମୀମାନଙ୍କୁ ସନ୍ଦିଗ୍ଧ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରିବା ଲାଗି ବିଭିନ୍ନ ସ୍ୱାସ୍ଥ୍ୟ ଯାଞ୍ଚ ଉପକରଣ ବଣ୍ଟନ କରି ସେମାନଙ୍କୁ ଏହି କାର୍ଯ୍ୟ ଆରମ୍ଭ କରିବା ପାଇଁ ପ୍ରୋତ୍ସାହିତ କରିଛନ୍ତି। ସ୍ୱାସ୍ଥ୍ୟକର୍ମୀ, ଅଙ୍ଗନବାଡି ଓ ଆଶାକର୍ମୀଙ୍କୁ ମିଶାଇ ପ୍ରାୟ ୫୦୦ଜଣଙ୍କୁ ଡିଜିଟାଲ ଅମ୍ଳଜାନ ମାପକ ଯନ୍ତ୍ର, ଡିଜିଟାଲ ଜ୍ୱରମାପକ ଯନ୍ତ୍ର, ମାସ୍କ, ହାତ ଗ୍ଲୋବ୍ସ ଓ ମୁଖ ଘୋଡଣୀ ଆଦି ନିଜ ଉଦ୍ୟମରେ ସଂଗ୍ରହ କରି ବଣ୍ଟନ କରିଛନ୍ତି। ସେମାନଙ୍କୁ ଗ୍ରାମାଞ୍ଚଳରେ ବସବାସ କରୁଥିବା ଲୋକଙ୍କ ମନରୁ କରୋନା ରୋଗକୁ ନେଇ ଥିବା ଭୟ ବା ଭ୍ରାନ୍ତ ଧାରଣା ଦୂର କରିବା ଲାଗି ପ୍ରାଥମିକତା ଦେବା ପାଇଁ ପରାମର୍ଶ ଦେଇଛନ୍ତି। ଏହାଛଡା ପ୍ରତି ପଞ୍ଚାୟତର ସରପଞ୍ଚ ଓ ସମିତି ସଭ୍ୟଙ୍କୁ ମଧ୍ୟ ଗ୍ରାମ ଗୁଡିକରେ ବ୍ୟାପକ ସଚେତନତା ସୃଷ୍ଟି କରିବା ଲାଗି ବିଧାୟକ ତଥା ମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ମନ୍ତ୍ରୀ ଶ୍ରୀ ସ୍ୱାଇଁ ନିଜେ ନିର୍ବାଚନମଣ୍ଡଳିର ପ୍ରତି ଗ୍ରାମପଞ୍ଚାୟତକୁ ଯାଇ ପରିସ୍ଥିତି ଯାଞ୍ଚ କରିବା ସହ ଯେଉଁ ଗ୍ରାମରେ ଏକାଧିକ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି ସେହି ଗ୍ରାମରେ ବିଶୋଧ କରିବା ଓ ଲୋକଙ୍କୁ ସଚେତନ କରାଇବା ଲାଗି ବିଜୁ ଛାତ୍ର ଜନତା ଦଳର ସଭ୍ୟମାନଙ୍କୁ ଉତ୍ସାହିତ କରୁଛନ୍ତି।

ମଙ୍ଗଳବାର ମନ୍ତ୍ରୀ ଶ୍ରୀ ସ୍ୱାଇଁ ଆଠଗଡ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସି ଉପଜିଲ୍ଲାପାଳ ଅଜାମ୍ବର ମହାନ୍ତିଙ୍କ ସହ କୋଭିଡ ପରିଚାଳନାକୁ ନେଇ ବିସ୍ତୃତ ଭାବେ ଆଲୋଚନା କରିଥିଲେ। ଆସନ୍ତା ୨୪ତାରିଖରୁ ପ୍ରତ୍ୟେକ ଗ୍ରାମାଞ୍ଚଳରେ ସ୍ୱାସ୍ଥ୍ୟ ସଂପର୍କୀତ ଯାଞ୍ଚ ଓ ସର୍ବେକ୍ଷଣକୁ କିପରି ବ୍ୟବସ୍ଥିତ ଓ ସଫଳ କରାଯାଇପାରିବ ସେ ସଂପର୍କରେ ଉପଜିଲ୍ଲାପାଳଙ୍କ ସହ ଯେ ଆଲୋଚନା କରିଥିଲେ। ଆଠଗଡ ଅଞ୍ଚଳରେ ପ୍ରତିଷ୍ଠିତ ସମସ୍ତ କଳକାରଖାନା କର୍ତ୍ତୃପକ୍ଷ ସେମାନଙ୍କର କାର୍ଯ୍ୟରତ ସମସ୍ତ କର୍ମଚାରୀଙ୍କୁ ଘରୋଇ ଡାକ୍ତରଖାନା ମାଧ୍ୟମରେ ଟୀକାକରଣ କରିବା ଉପରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ ଗୁରୁତ୍ୱାରୋପ କରି କାରଖାନା କର୍ତ୍ତୃପକ୍ଷଙ୍କୁ ଏ ସଂପର୍କୀତ ନିର୍ଦ୍ଦେଶ ଦେବା ପାଇଁ ସେ ଉପଜିଲ୍ଲାପାଳଙ୍କୁ କହିଥିଲେ। ଗ୍ରାମାଞ୍ଚଳରେ ସ୍ୱାସ୍ଥ୍ୟକର୍ମୀ, ଅଙ୍ଗନବାଡି ଓ ଆଶାକର୍ମୀ ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ କରିବା ସମୟରେ ଲୋକମାନେ ସହଯୋଗ କରିବା ଏବଂ ନିଜର ରୋଗ ଓ ଲକ୍ଷଣ ସଂପର୍କରେ କୌଣସି ତଥ୍ୟ ନଲୁଚାଇବା ପାଇଁ ମନ୍ତ୍ରୀ ଶ୍ରୀ ସ୍ୱାଇଁ ନିବେଦନ କରିଛନ୍ତି।

Hot this week

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

Related Articles

Popular Categories