www.samajalive.in
Wednesday, December 10, 2025
18.1 C
Bhubaneswar

ମରୁଡ଼ି ପ୍ରସଙ୍ଗରେ କମ୍ପିଲା ଗୃହ

କେନ୍ଦ୍ର ଓ ଇନ୍ଦ୍ର ଉପରେ କେତେଦିନ ଦୋଷ ଲଦିବ: ମୋହନ
ମନ୍ତ୍ରୀଙ୍କ ଉତ୍ତର ଅବାନ୍ତର: ନରସିଂହ, କଂଗ୍ରେସର କକ୍ଷତ୍ୟାଗ
ମରୁଡ଼ି ପରିସ୍ଥିତିର ମୁକାବିଲା ପାଇଁ ସରକାର ସକ୍ଷମ: କୃଷିମନ୍ତ୍ରୀ

ଭୁବନେଶ୍ୱର  : ଷୋଡ଼ଶ ବିଧାନସଭାର ସପ୍ତମ ଅଧିବେଶନ ଆରମ୍ଭ ଦିନରୁ ରାଜ୍ୟର ଚାଷ ଓ ଚାଷୀ ତଥା ମରୁଡ଼ି ପ୍ରସଙ୍ଗକୁ ନେଇ ଗୃହରେ କମ୍ପନ ଆରମ୍ଭ ହୋଇଛି। ବିରୋଧୀ ବିଜେପି ଓ କଂଗ୍ରେସ ଅଭିଯୋଗ କରିଛନ୍ତି ଯେ, ରାଜ୍ୟର ୨୭ଟି ଜିଲାରେ ସ୍ବଳ୍ପ ବୃଷ୍ଟିପାତ ଯୋଗୁଁ ଉତ୍କଟ ମରୁଡ଼ି ପରିସ୍ଥିତି ସୃଷ୍ଟି ହୋଇଛି, ସରକାର ତୁରନ୍ତ ଚାଷୀକୁଳକୁ ଭରସା ଦେବା ପାଇଁ ମରୁଡ଼ି ଘୋଷଣା କରନ୍ତୁ। କୃଷି ଋଣ ଛାଡ କରନ୍ତୁ, ଏହାସହିତ ବେରୋଜଗାରୀ ଭତ୍ତା ପ୍ରଦାନ କରନ୍ତୁ। ‘ମରୁଡ଼ି କବଳରେ ସାରା ଓଡ଼ିଶା’ ମୁଲତବି ଆଲୋଚନା ବେଳେ ୭ଦଫା ଦାବି ନେଇ ବିରୋଧୀ ସରକାରଙ୍କୁ ଶାଣିତ ଆକ୍ରମଣ କରିଥିଲେ। ରାଜ୍ୟ ସରକାର ଦୀର୍ଘ ୨୧ ବର୍ଷ ଶାସନରେ ରହିବା ପରେ ମଧ୍ୟ ୩୫ ପ୍ରତିଶତ ଚାଷ ଜମି ଜଳସେଚିତ ହୋଇପାରିଲାନାହିଁ। ରାଜ୍ୟ ସରକାର ସବୁବେଳେ କେନ୍ଦ୍ର ଓ ଇନ୍ଦ୍ର ମୁଣ୍ଡରେ ଦୋଷ ଲଦୁଛନ୍ତି। ଯଦି ଆଉ ୨୦ବର୍ଷ ଏ ସରକାର ଗାଦିରେ ବି ରୁହନ୍ତି ତଥାପି ଚାଷୀକୁ ତା’ର ନ୍ୟାଯ୍ୟ ହକ୍ ମିଳିବ ନାହିଁ।
କୃଷିମନ୍ତ୍ରୀ ଅରୁଣ ସାହୁ ବିରୋଧୀଙ୍କୁ ଜବାବ ଦେଇ କହିଥିଲେ ଯେ, ପ୍ରକୃତି ଉପରେ କାହାର ହାତ ନାହିଁ। ଓଡ଼ିଶା ବିପର୍ଯ୍ୟୟ ମୁକାବିଲାରେ ଏକ ନମୁନା ରାଜ୍ୟ ଭାବେ ଅନ୍ତର୍ଜାତୀୟସ୍ତରରେ ପ୍ରଶଂସିତ ହୋଇଛି। ରାଜ୍ୟରେ ଏବେ ସମ୍ଭାବ୍ୟ ମରୁଡ଼ି ପରିସ୍ଥିତି ଦେଖାଦେଇଛି। ଏହାକୁ ନେଇ ରାଜ୍ୟ ସରକାର ସ୍ଥିତି ସମୀକ୍ଷା କରି ସବୁ ଜଳ ଉତ୍ସକୁ ସୁବିନିଯୋଗ କରିବା ପାଇଁ ପଦକ୍ଷେପ ଗ୍ରହଣ କରୁଛନ୍ତି। ସରକାର ମରୁଡ଼ି ପରିସ୍ଥିତିର ସଫଳ ମୁକାବିଲା କରିବାରେ ସକ୍ଷମ ହୋଇଛନ୍ତି। ମନ୍ତ୍ରୀଙ୍କ ଉତ୍ତରରେ ଅସନ୍ତୋଷ ବ୍ୟକ୍ତ କରି କଂଗ୍ରେସ ସଦସ୍ୟମାନେ କକ୍ଷତ୍ୟାଗ କରିଥିଲେ। ଅପରାହ୍ଣରେ ଅଧିବେଶନ କାଳରେ ପୁନର୍ବାର ଏହି ପ୍ରସଙ୍ଗକୁ ନେଇ କଂଗ୍ରେସ ସଦସ୍ୟମାନେ ବାଚସ୍ପତିଙ୍କ ଆସନ ନିକଟକୁ ଯାଇ ପୋଡିୟମକୁ ବାଡେଇବା ସହିତ ବିଜେପି ସଦସ୍ୟମାନେ ବାଚସ୍ପତିଙ୍କ ମନମୁଖୀ ଶାସନ ଚାଲିବନାହିଁ ବୋଲି ନାରାବାଜି ଦେଇଥିଲେ।
ମୁଲତବୀ ଆଲୋଚନା ଆରମ୍ଭ କରି ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝି କହିଥିଲେ ଯେ, ମରୁଡ଼ି ମୁକାବିଲା ପ୍ରସଙ୍ଗରେ କୃଷିମନ୍ତ୍ରୀ ତାଙ୍କର ଚିରାଚରିତ ଢଙ୍ଗରେ ଉତ୍ତର ରଖିଛନ୍ତି। ରାଜ୍ୟରେ କିନ୍ତୁ ବାସ୍ତବ ଚିତ୍ର ଅଲଗା। ୨୧୩ ବ୍ଲକରେ ମରୁଡ଼ି ସ୍ଥିତି ସାଂଘାତିକ ରୂପ ଧାରଣ କରିଛି। ମନ୍ତ୍ରୀ ଜଳବାୟୁ ପରିବର୍ତ୍ତନର
କଥା କହୁଛନ୍ତି, ହେଲେ ତାକୁ ଦୃଷ୍ଟିରେ ରଖି ସରକାର ୨୧ ବର୍ଷ ଭିତରେ ଜଳସେଚନ ଦିଗରେ କ’ଣ ସବୁ ପଦକ୍ଷେପ ନେଇଛନ୍ତି ? ସବୁବେଳେ ଖାଲି କେନ୍ଦ୍ର ଓ ଇନ୍ଦ୍ର ଉପରେ ଦୋଷ ଦେଲେ ଚଳିବ ନାହିଁ। ସରକାର ୨୦୦୯ରୁ ରାଜ୍ୟର ସବୁ ବ୍ଲକରେ ୩୫ ପ୍ରତିଶତ ଜଳସେଚନ ହେବ ବୋଲି କହିଥିଲେ ହେଁ ଏପର୍ଯ୍ୟନ୍ତ ୮୬ଟି ବ୍ଲକରେ ୩୫ ପ୍ରତିଶତ ଜଳସେଚନ ହୋଇପାରିନାହିଁ। ପରବର୍ତ୍ତୀ ପର୍ଯ୍ୟାୟରେ ସରକାର କହିଥିଲେ ଯେ ଆଉ ୧୦ ଲକ୍ଷ ହେକ୍ଟର ଜମିରେ ୩୫ରୁ ୫୩ ପ୍ରତିଶତ ପର୍ଯ୍ୟନ୍ତ ଜଳସେଚନ କରାଯିବ। ମୁଖ୍ୟମନ୍ତ୍ରୀଙ୍କ ପ୍ରତିଶ୍ରୁତି କୁଆଡେ ଗଲା ? ୩ହଜାର ୮୨୨ କ୍ଷୁଦ୍ର ଜଳସେଚନ ପଏଣ୍ଟରୁ ୩୯୩ଟି ଆଂଶିକ ଚାଲୁଥିବାବେଳେ ୧୪୨ଟି ସମ୍ପୂର୍ଣ୍ଣ ଅଚଳ ହୋଇ ପଡିଛି। ଗତବର୍ଷ ଆଜିର ଦିନରେ ହୀରାକୁଦକୁ ୭ଲକ୍ଷ କ୍ୟୁସେକ୍ ଜଳ ପ୍ରବାହିତ ହେଉଥିବାବେଳେ ଏବେ ୩୮ହଜାର କ୍ୟୁସେକକୁ ହ୍ରାସ ପାଇଛି। ସେହିପରି ୪୬ଟି ଫାଟକ ଆଜିର ଦିନରେ ହୀରାକୁଦରୁ ଖୋଲା ଯାଇଥିବାବେଳେ ଏବେ ଟୋପାଏ ପାଣି ବାହାରୁନାହିଁ। ସରକାରଙ୍କ ସେତୁ ନିର୍ମାଣ କେବଳ କାଗଜକଲମରେ ସୀମିତ ହୋଇ ରହିଯାଇଛି। ତେଣୁ ସରକାର ସବୁ ଦଳକୁ ଭରସାକୁ ନେଇ ଏକ ତଦାରଖ କମିଟି ଗଠନ କରି ତୁରନ୍ତ ମରୁଡ଼ିର ମୁକାବିଲା କରନ୍ତୁ। ସଂପ୍ରତି ଦେଖାଦେଇଥିବା ପରିସ୍ଥିତିକୁ ମରୁଡ଼ି ଘୋଷଣା କରିବା ସହିତ ଚାଷୀମାନଙ୍କୁ ସାର, ବିହନ ଓ ଔଷଧ ତୁରନ୍ତ ଯୋଗାଇ ଦେବାକୁ ସେ ଦାବି କରିଥିଲେ। ଆଲୋଚନାରେ ଭାଗ ନେଇ ବିରୋଧୀଦଳ ଉପନେତା ବିଷ୍ଣୁ ସେଠୀ କହିଥିଲେ ଯେ, କୋଭିଡ଼ ବିପର୍ଯ୍ୟୟକୁ ଯଦି ମାନବ ମୁକାବିଲା କରିପାରୁଛି ତେବେ ମରୁଡ଼ିକୁ କାହିଁକି ମୁକାବିଲା କରାଯାଇ ପାରିବ ନାହିଁ। ଦୀର୍ଘ ୨୨ବର୍ଷ ଶାସନ ଗାଦିରେ ରହିବା ପରେ ମଧ୍ୟ ଆନ୍ତରିକତା ଅଭାବରୁ ସବୁ ଜିଲାରେ ୩୫ପ୍ରତିଶତ ଜମିକୁ ଜଳସେଚିତ ନହେବା ସରକାରଙ୍କ ବିଫଳତାକୁ ସୂଚାଉଛି ବୋଲି ସେ କହିଥିଲେ।
କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଥିଲେ ଯେ, ମରୁଡ଼ି ପ୍ରସଙ୍ଗରେ କୃଷିମନ୍ତ୍ରୀ ଅବାନ୍ତର ଉତ୍ତର ଦେଇଛନ୍ତି। ମରୁଡ଼ି ଏଡାଇବା ପାଇଁ ସରକାରଙ୍କ ପକ୍ଷରୁ ୬ପ୍ରକାର ବ୍ୟବସ୍ଥା ଗ୍ରହଣ କରାଯାଇଛି ବୋଲି ପୂର୍ବରୁ ତାଙ୍କୁ ଏକ ଉତ୍ତରରେ ଦର୍ଶାଇଥିବାବେଳେ ଆଜି ଗୃହରେ ୧୩ ପ୍ରକାର ବ୍ୟବସ୍ଥା ଗ୍ରହଣ କରାଯାଉଛି ବୋଲି ଉତ୍ତର ଦେଇଛନ୍ତି, ଏଥିରୁ କେଉଁଟି ଠିକ୍ ବୋଲି ପ୍ରଶ୍ନ କରିଥିଲେ। ମନ୍ତ୍ରୀ ଯଦି ଭୁଲ ତଥ୍ୟ ଦେଇଥାନ୍ତି ସେଥପାଇଁ ଆଗେ କ୍ଷମା ପ୍ରାର୍ଥନା କରନ୍ତୁ, ନଚେତ୍ ଏ ସମ୍ପର୍କରେ ଗୃହକୁ ଠିକ୍ କ’ଣ ଜଣାନ୍ତୁ। କଂଗ୍ରେସ ପକ୍ଷରୁ ସବୁ ଜିଲା ଗସ୍ତ କରାଯାଇଥିଲା। ବାସ୍ତବ ଚିତ୍ର କହୁଛି ୨୭ ଜିଲାରେ ମରୁଡ଼ି ଉତ୍କଟ ସ୍ଥିତି ଧାରଣ କରିଛି। ହେଲେ ମୁଖ୍ୟମନ୍ତ୍ରୀ କିନ୍ତୁ ଗୃହକୁ ବାରମ୍ବାର ଭୁଲ୍ ତଥ୍ୟ ଦେଇ ଚାଲିଛନ୍ତି। ପୂର୍ବରୁ କଟକ ଓ ପୁରୀରେ ଯେତିକି ଜମି ଅଛି ତା’ଠାରୁ ଅଧିକ ଜମିକୁ ଜଳସେଚିତ କରାଯାଉଛି ବୋଲି ତାଙ୍କ ବିଭାଗ ପକ୍ଷରୁ ଉତ୍ତର ଦିଆଯାଇଥିଲା। ଏବେ କଟକ, ପୁରୀ ସହିତ ସୁବର୍ଣ୍ଣପୁରକୁ ଯୋଡା ଯାଇଛି। ଏହି ତିନି ଜିଲାରେ ଯେତିକି ଜମି ରହିଛି ତା’ଠାରୁ ଅଧିକ ଜମି କିପରି ଜଳସେଚିତ ହେଉଛି ତାହା ବୁଝାପଡୁ ନାହିଁ। ନୂଆପଡା ଓ ବଲାଙ୍ଗୀରରେ ଗଜା ମରୁଡ଼ି ସ୍ଥିତି ଦେଖାଦେଲାଣି। ତେଣୁ ସରକାର ତୁରନ୍ତ ମରୁଡ଼ି ଘୋଷଣା କରିବା ସହିତ କୃଷି ଋଣ ଛାଡ କରନ୍ତୁ। ଏହାସହିତ ଋଣଛାଡ଼ ପାଇଁ ରାଜ୍ୟ ସରକାର କେନ୍ଦ୍ରକୁ ଚିଠି ଲେଖନ୍ତୁ, ବେରୋଜଗାରୀ ଚାଷୀଙ୍କୁ ଭତ୍ତା ପ୍ରଦାନ ସହିତ ସାର, ବିହନ ଓ ଔଷଧ ତୁରନ୍ତ ଚାଷୀଙ୍କୁ ଯୋଗାନ୍ତୁ। ମନରେଗାରେ ଅଧିକ କାର୍ଯ୍ୟଦିବସ ଲାଗି ଭାରତ ସରକାରଙ୍କ ନିକଟରେ ଦାବି ରଖନ୍ତୁ।
ସରକାରୀ ଦଳ ପକ୍ଷରୁ ବିଧାୟକ ଭୂପିନ୍ଦର ସିଂହ, ଅଶ୍ବିନୀ ପାତ୍ର, ଧ୍ରୁବଚରଣ ସାହୁ ଓ କିଶୋର ନାୟକ ପ୍ରମୁଖ ଏହି ପ୍ରାକୃତିକ ବିପର୍ଯ୍ୟୟକୁ ମୁକାବିଲା କରିବା ପାଇଁ ସରକାରଙ୍କ ପକ୍ଷରୁ ନିଆଯାଉଥିବା ପଦକ୍ଷେପକୁ ସ୍ବାଗତ କରିଥିଲେ। ବିରୋଧୀ ଓ ମନ୍ତ୍ରୀଙ୍କ ଉତ୍ତର ଶୁଣିବା ପରେ ବାଚସ୍ପତି ମୁଲତବୀ ପ୍ରସ୍ତାବକୁ ଅଗ୍ରାହ୍ୟ କରିଥିଲେ।
ଅପରାହ୍ଣରେ ମରୁଡ଼ି ପ୍ରସଙ୍ଗ ଉପରେ କାହିଁକି ରାଜସ୍ବ ମନ୍ତ୍ରୀ ଉତ୍ତର ନଦେଇ କୃଷିମନ୍ତ୍ରୀ ଉତ୍ତର ରଖିଲେ ସେ ନେଇ ବିରୋଧୀ ପ୍ରଶ୍ନ ଉଠାଇଥିଲେ। କଂଗ୍ରେସ ବିଧାୟକ ରାଜନ ଏକ୍କା ଏବଂ କଂଗ୍ରେସ ଓ ବିଜେପିର ସଭ୍ୟମାନେ ହଟ୍ଟଗୋଳ କରିବାରୁ ଗୃହ ଦୁଇଥର ମୁଲତବୀ ରହିଥିଲା। ଏହି ହୋ ହଲ୍ଲା ଭିତରେ ଗୃହରେ ୭ଟି ବିଧେୟକ ଆଗତ ହୋଇଥିଲା। ପୂର୍ବାହ୍ନରେ ପ୍ରଶ୍ନକାଳ ବାତିଲ କରି ମରୁଡ଼ି ପ୍ରସଙ୍ଗରେ ଆଲୋଚନା କରିବା ଦାବିକରି କଂଗ୍ରେସ ସଦସ୍ୟ ସୁରେଶ କୁମାର ରାଉତରାୟ , ତାରାପ୍ରସାଦ ବାହିନୀପତି ପ୍ରମୁଖ ଗୃହ ଭିତରେ ହଟ୍ଟଗୋଳ କରିଥିଲେ।

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories