ବାଲେଶ୍ଵର/ସୋର: ବାଣ କିଣି ଘରକୁ ଫେରୁଥିବାବେଳେ ବାଇକ ସହିତ ବ୍ରିଜରୁ ନଦୀକୁ ଖସିପଡ଼ିଲେ ବାପା-ପୁଅ। ସ୍ଥାନୀୟ ଲୋକେ ବାପାକୁ ଉଦ୍ଧାର କରିଥିବାବେଳେ ୫ବର୍ଷର ପୁଅ ନିଖୋଜ ରହିଛି। ତେବେ ଦେଶୀ ମଦ ଦୋକାନରୁ ମଦ ପିଇ ଫେରିବାବେଳେ ଏପରି ଅଘଟଣ ଘଟିଥିବାରୁ ସ୍ଥାନୀୟ ଲୋକେ ଉକ୍ତ ମଦ ଦୋକାନକୁ ଜାଳି ଦେଇଛନ୍ତି।
ସୂଚନା ଅନୁସାରେ, ରବିବାର ଦୀପାବଳି ଅବସରରେ ସୋର ଥାନା ଅନ୍ତର୍ଗତ ମଧୁସୂଦନପୁର ପଞ୍ଚାୟତ ଅଗିରା ଗ୍ରାମର ଅଇରି ମୁଣ୍ଡା ତାଙ୍କ ପୁଅ ବାପୁନ ମୁଣ୍ଡାଙ୍କୁ ବାଇକରେ ନେଇ ବଜାରକୁ ବାଣ କିଣିବାକୁ ଯାଇଥିଲେ। ଫେରିବା ସମୟରେ ବାଟରେ ଏକ ଦେଶୀ ମଦ ଦୋକାନରୁ ଅଇରି ମଦ ପିଇଥିଲେ। କିଛି ବାଟ ଆସିବା ପରେ ବ୍ରିଜ ଉପରେ ଭାରସାମ୍ୟ ହରାଇ ବାଇକ ସହ ନଦୀକୁ ଖସିପଡ଼ିଥିଲେ। ସ୍ଥାନୀୟ ଲୋକେ ଏହା ଦେଖି ନଦୀରୁ ଅଇରିଙ୍କୁ ଉଦ୍ଧାର କରିଥିଲେ। କିନ୍ତୁ ପୁଅ ବାପୁନର କୌଣସି ପତ୍ତା ମିଳିନାହିଁ। ଅଗ୍ନିଶମ କର୍ମଚାରୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଚଳାଇଥିଲେ ହେଁ ବାପୁନର ପତ୍ତା ମିଳିନାହିଁ। ଘଟଣା ପରେ ଉତ୍ତ୍ୟକ୍ତ ଲୋକେ ଉକ୍ତ ବେଆଇନ ଦେଶୀ ମଦ ଦୋକାନକୁ ନିଆ ଲଗାଇ ପୋଡ଼ି ଦେଇଛନ୍ତି।



