www.samajalive.in
Monday, December 8, 2025
27.1 C
Bhubaneswar

ଜିଲାପାଳ ସମ୍ମିଳନୀ: ପ୍ରତି ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଏବଂ ସଂଖ୍ୟାଲଘୁ ଓ ପଛୁଆ ବର୍ଗଙ୍କ ନିକଟରେ ପହଞ୍ଚିବ ରାଜ୍ୟ ସରକାରଙ୍କ ପ୍ରମୁଖ ଯୋଜନା

ଭୁବନେଶ୍ୱର: ଆଜି ଜିଲାପାଳ ସମ୍ମିଳନୀର ପ୍ରଥମ ଦିନରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ଉପସ୍ଥିତ ରହି ସମ୍ମିଳନୀର ଶୁଭାରମ୍ଭ କରିଛନ୍ତି । ସମ୍ମିଳନୀରେ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗର ବିଭିନ୍ନ ଲୋକ କଲ୍ୟାଣ ଯୋଜନା ସମ୍ପର୍କରେ ଆଲୋଚନା କରାଯାଇଥିଲା । ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗ ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ, ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ଓ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ମନ୍ତ୍ରୀ ଶ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆଙ୍କ ଉପସ୍ଥିତିରେ ଅନୁସୂଚିତ ଜନଜାତି ନିର୍ଦ୍ଦେଶକ ଶ୍ରୀ ଇନ୍ଦ୍ରମଣି ତ୍ରିପାଠୀ, ଟିଡିସିସିଓଏଲ୍ ର ଏମ୍.ଡି ଡକ୍ଟର ପୋମା ଟୁଡୁ ବିଭାଗର ବିଭିନ୍ନ ଯୋଜନା ସମ୍ପର୍କରେ ଅବଗତ କରିଥିଲେ।

ଏହି ଅବସରରେ ମନ୍ତ୍ରୀ ଶ୍ରୀ ଗଣ୍ଡ ସୂଚନା ଦେଇଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ‘ସବକା ସାଥ୍, ସବକା ବିକାଶ, ସବକା ବିଶ୍ୱାସ, ସବକା ପ୍ରୟାସ’ କୁ ପ୍ରାଧାନ୍ୟ ଦେଇ ଓ କେନ୍ଦ୍ରମନ୍ତ୍ରୀ ଶ୍ରୀ ଜୁଏଲ ଓରାମଙ୍କ ଦିଗଦର୍ଶନରେ ଜନଜାତିମାନଙ୍କୁ ମୁଖ୍ୟସ୍ରୋତରେ ସାମିଲ୍ କରିବା ଆମ ସରକାରଙ୍କ ପ୍ରାଥମିକତା ରହିଛି । ଜନଜାତିଙ୍କ ସମସ୍ୟାକୁ ହୃଦୟଙ୍ଗମ କରି ମାନ୍ୟବର ପ୍ରଧାନମନ୍ତ୍ରୀ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରୁଛନ୍ତି ‌ । ସମାଜର ଅନ୍ତିମ ଧାଡ଼ିରେ ଥିବା ବ୍ୟକ୍ତି ନିକଟରେ ସମସ୍ତ ସୁବିଧା ପହଁଚାଇବା ପାଇଁ ଏସବୁ ଯୋଜନାର ତଦାରଖ କରାଯିବାର ଆବଶ୍ୟକତା ରହିଛି ଓ ଶିକ୍ଷାର ବିକାଶ ହେଲେ ଜନଜାତିଙ୍କ ବିକାଶ ହୋଇପାରିବ ବୋଲି ମନ୍ତ୍ରୀ ମତପ୍ରକାଶ କରିଛନ୍ତି ।

- Advertisement -

ପରେ ପରେ ମନ୍ତ୍ରୀ ଶ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ଜନଜାତିଙ୍କ ବିକାଶ ପାଇଁ ନୂତନ ସରକାର ସମସ୍ତ ପ୍ରକାର ସହାୟତା ଯୋଗାଇ ଦେବା ପାଇଁ ପ୍ରତିବଦ୍ଧ ବୋଲି କହିଥିଲେ । ଜନଜାତିମାନଙ୍କ ନିମନ୍ତେ ପ୍ରଣୀତ ବିଭିନ୍ନ ଯୋଜନାଗୁଡ଼ିକର ସଫଳତା ପାଇଁ ଜିଲ୍ଲା ପ୍ରଶାସନର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିବାରୁ ଏ ଦିଗରେ ନିଷ୍ଠାର ସହିତ କାର୍ଯ୍ୟକରିବା ପାଇଁ ମନ୍ତ୍ରୀ ସିଂ ଖୁଣ୍ଟିଆ ଜିଲ୍ଲାପାଳମାନଙ୍କୁ ପରାମର୍ଶ ଦେଇଥିଲେ । ଜନଜାତିଙ୍କ ସୁରକ୍ଷାରେ ଜଳ, ଜମି, ଜଙ୍ଗଲ ଓ ଜୀବଜନ୍ତୁଙ୍କ ସୁରକ୍ଷା ହୋଇପାରିବ ବୋଲି ମନ୍ତ୍ରୀ ମତବ୍ୟକ୍ତ କରିଥିଲେ ।

ସର୍ବପ୍ରଥମେ ‘ପ୍ରଧାନମନ୍ତ୍ରୀ ଜନଜାତୀୟ ଉନ୍ନତ ଗ୍ରାମ ଅଭିଯାନ’ (PM-JUGA) ସମ୍ପର୍କରେ ଆଲୋଚନା କରାଯାଇଥିଲା । ଜନଜାତି ସମ୍ପ୍ରଦାୟର ସାମାଜିକ-ଅର୍ଥନୈତିକ ସ୍ଥିତିକୁ ସୁଦୃଢ଼ କରିବା ପାଇଁ ୭୯,୧୫୬ କୋଟି ବ୍ୟୟ ବରାଦରେ ଏହି ଅଭିଯାନକୁ ଅନୁମୋଦନ କରାଯାଇଛି । ଗ୍ରାମାଞ୍ଚଳ ଏବଂ ଆକାଂକ୍ଷୀ ଜିଲ୍ଲାଗୁଡ଼ିକରେ ଜନଜାତି ପରିବାରମାନଙ୍କ ପାଇଁ ଏହି ଯୋଜନା କାର୍ଯ୍ୟକାରୀ ହେବ । ଜନଜାତି ସମ୍ପ୍ରଦାୟର ଜୀବନଜୀବିକା ତଥା ସାମଗ୍ରିକ ଉନ୍ନତି ପାଇଁ ଏହା ଏକ ପରିବର୍ତ୍ତନଶୀଳ ପଦକ୍ଷେପ ।

ଏହା ପକ୍କା ଘର, ଉନ୍ନତ ଗ୍ରାମ୍ୟ ସଂଯୋଗୀକରଣ ଏବଂ ଅତ୍ୟାବଶ୍ୟକ ସେବା ଯଥା- ବିଦ୍ୟୁତ୍, ଜଳ ଏବଂ ମୋବାଇଲ୍ ସଂଯୋଗ ସୁବିଧା ସହିତ ଭିତ୍ତିଭୂମି ବିକାଶ ଉପରେ ଧ୍ୟାନ ଦିଆଯିବ । ଦକ୍ଷତା ବିକାଶ ଏବଂ ଉଦ୍ୟୋଗୀକରଣକୁ ପ୍ରୋତ୍ସାହିତ କରିବା, ଗୁଣାତ୍ମକ ଶିକ୍ଷାର ବିକାଶ ଏବଂ ବ୍ୟାପକ ସ୍ୱାସ୍ଥ୍ୟ ସେବା ସୁନିଶ୍ଚିତ କରିବା ପାଇଁ ପ୍ରମୁଖ ରଣନୀତି ଅନ୍ତର୍ଭୁକ୍ତ । ଜନଜାତି ହୋମ୍ ଷ୍ଟେ ଭଳି ଅଭିନବ କାର୍ଯ୍ୟକ୍ରମ ପର୍ଯ୍ୟଟନ ସମ୍ଭାବନାକୁ ବୃଦ୍ଧି କରିବ । ଅଭିଯାନରେ ନିରନ୍ତର ଜୀବନଜୀବିକା ପାଇଁ ଜଙ୍ଗଲ ଅଧିକାର ଅଧିନିୟମ ଅନ୍ତର୍ଗତ ଜମି ପଟ୍ଟା ପାଇଥିବା ହିତାଧିକାରୀଙ୍କ ପାଇଁ ସ୍ଵତନ୍ତ୍ର ବ୍ୟବସ୍ଥା ରହିଛି । ଏହି ଯୋଜନା ଅଧିନରେ ମଧ୍ୟ ସରକାରୀ ଆବାସିକ ବିଦ୍ୟାଳୟଗୁଡ଼ିକର ନବୀକରଣ ଏବଂ ରକ୍ତହୀନତା ରୋଗର ଚିକିତ୍ସା ପାଇଁ ଅତ୍ୟାଧୁନିକ ନିଦାନ ସୁବିଧାକୁ ପ୍ରାଧାନ୍ୟ ଦିଆଯିବ ।

ଦ୍ୱିତୀୟତଃ ଅନୁସୂଚିତ ଜନଜାତି (ଏସଟି) ଛାତ୍ରଛାତ୍ରୀମାନଙ୍କ ପାଇଁ ଶିକ୍ଷା ଓ ବିଦ୍ୟାଳୟ ପ୍ରତି ଆଗ୍ରହ ବୃଦ୍ଧି କରିବା ନିମନ୍ତେ ଓଡ଼ିଶା ସରକାର ଏକ ଅଭିବନ ପଦକ୍ଷେପ ସ୍ୱରୂପ‘ମାଧୋ ସିଂ ହାତ ଖର୍ଚ୍ଚ ଯୋଜନା’ ପ୍ରଣୟନ କରିଛନ୍ତି । ଯେଉଁଥିରେ ଯୋଗ୍ୟ ଛାତ୍ରଛାତ୍ରୀମାନଙ୍କୁ ୫୦୦୦ ଟଙ୍କା ଆର୍ଥିକ ପ୍ରୋତ୍ସାହନ ଯୋଗାଇ ଦିଆଯିବ, ଫଳରେ ରାଜ୍ୟରେ ଡ୍ରପ୍ ଆଉଟ୍ ହାର ହ୍ରାସ ପାଇବ । ୧୫୬ କୋଟି ବଜେଟ୍ ଆବଣ୍ଟନ ସହିତ ଏହି ଯୋଜନା ପ୍ରାୟ ୩ ଲକ୍ଷ ଅନୁସୂଚିତ ଜନଜାତି ଛାତ୍ରଛାତ୍ରୀଙ୍କୁ ଉପକୃତ କରିବ । ଏହା ପ୍ରାଥମିକରୁ ମାଧ୍ୟମିକ ଶିକ୍ଷା (ଅଷ୍ଟମ ଶ୍ରେଣୀରୁ ନବମ ଶ୍ରେଣୀ) ଏବଂ ମାଧ୍ୟମିକରୁ ଉଚ୍ଚ ମାଧ୍ୟମିକ ଶିକ୍ଷା (ଦଶମ ଶ୍ରେଣୀରୁ ଏକାଦଶ ଶ୍ରେଣୀ) କୁ ଆସୁଥିବା ଜନଜାତି ଛାତ୍ରଛାତ୍ରୀଙ୍କ ପାଇଁ ଉଦ୍ଧିଷ୍ଟ । ବାର୍ଷିକ ପାରିବାରିକ ଆୟ ଅଢ଼େଇ ଲକ୍ଷରୁ ଅଧିକ ହୋଇନଥିବ ଏବଂ ନିଜ ନିଜ ଗ୍ରେଡ୍ ରେ ପାସ୍ କରିଥିବା ଛାତ୍ରଛାତ୍ରୀଙ୍କୁ ଅନ୍ୟାନ୍ୟ ଛାତ୍ରବୃତ୍ତି ସହିତ ଏହି ପ୍ରୋତ୍ସାହନ ରାଶି ପ୍ରଦାନ କରାଯିବ ।

ଓଡିଶାର ୧୪ ଟି ଜିଲ୍ଲାରେ କାର୍ଯ୍ୟକାରୀ ହେଉଛି ପିଏମ୍-ଜନମନ ଯୋଜନା । ଏହି ଯୋଜନାରେ ବିଶେଷ ଭାବେ ଅନୁନ୍ନତ ଜନଜାତି (ପିଭିଟିଜି ) ଅଂଚଳରେ ମୌଳିକ ଭିତ୍ତିଭୂମିରେ ଉନ୍ନତି ଆଣିବା ସହିତ ସ୍ୱାସ୍ଥ୍ୟ, ଶିକ୍ଷା ଏବଂ ଜୀବିକା ନିର୍ବାହରେ ସୃଷ୍ଟି ହେଉଥିବା ସମସ୍ୟାକୁ ଦୂର କରିବାକୁ ଲକ୍ଷ୍ୟ ରଖାଯାଇଛି । ବନ ଧନ ବିକାଶ କେନ୍ଦ୍ର ଓ ବହୁମୁଖି କେନ୍ଦ୍ର ପ୍ରତିଷ୍ଠା ସମେତ ୯ ଟି ବିଭାଗର ୧୧ ଟି ପ୍ରମୁଖ କାର୍ଯ୍ୟକ୍ରମ ଉପରେ ଓଡ଼ିଶା ବିଶେଷ ଭାବରେ ଗୁରୁତ୍ୱ ଦେବ । ଶତ ପ୍ରତିଶତ ବିକାଶ ନିମନ୍ତେ ମୋଟ ୬୫ ଟି ଜନଜାତି ବହୁଳ ଗ୍ରାମକୁ ମଡେଲ୍ ପିଭିଟିଜି ଗ୍ରାମ ଭାବେ ବିକଶିତ କରିବା ପାଇଁ ଚୟନ କରାଯାଇଛି ।

ଏହି ଯୋଜନା ଅନ୍ତର୍ଗତ କେନ୍ଦ୍ର ଜନଜାତି ମନ୍ତ୍ରାଳୟ ଦ୍ୱାରା ୪୩ ଟି ବନ ଧନ ବିକାଶ କେନ୍ଦ୍ର ପ୍ରତିଷ୍ଠା ନିମନ୍ତେ ଅନୁମତି ମିଳିଥିବା ବେଳେ ୧୩ ଟି ଜିଲ୍ଲାରେ ୨୨ ଟି ବ୍ୟବସାୟିକ ଯୋଜନାକୁ ଅନୁମୋଦନ ମିଳିଛି । ଏଥିସହ ୬୧ ଟି ବହୁମୁଖି କେନ୍ଦ୍ର ପାଇଁ ଅନୁମତି ମିଳିଥିବା ବେଳେ ପିଏମ୍-ଜନମନର ପ୍ରତିଷ୍ଠା ଦିବସ ପାଳନ ଅବସରରେ ଅକ୍ଟୋବର ୨ ତାରିଖରେ ୫୬ ଟି ବହୁମୁଖି କେନ୍ଦ୍ରର ଶିଳାନ୍ୟାସ କରାଯିବ । ଜଙ୍ଗଲ ଅଧିକାର ଅଧିନିୟମ (ଏଫଆରଏ) ଅନ୍ତର୍ଗତ ୬୦ ହଜାର ଅଧିକାର ପତ୍ର ଆବଣ୍ଟନ କରାଯାଇଛି । ପିଏମ-କିଶାନ ଓ ସିଏମ୍-କିଶାନ ଅଧିନରେ ମଧ୍ୟ ଏଫଆରଏ ପଞ୍ଜୀକୃତ କରାଯାଇଛି । ଆଧାର ସଂଯୋଗରୁ ବଞ୍ଚିତ ପିଭିଟିଜି ହିତାଧିକାରୀଙ୍କୁ ଆଧାରରେ ସଂଯୁକ୍ତ କରାଯାଉଛି ।

ଏଥିସହିତ ୧୭୩୬ ଟି ବିଦ୍ୟାଳୟ ଓ ୫୮୪୧ ଟି ହଷ୍ଟେଲରେ ରହୁଥିବା ୫.୪ ଲକ୍ଷ ଅନ୍ତେବାସୀଙ୍କ ସୁରକ୍ଷା ଏବଂ ସ୍ୱଚ୍ଛତା ପାଇଁ ରାଜ୍ୟ ସରକାରଙ୍କ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ପ୍ରତିଶ୍ରୁତିବଦ୍ଧ । ବିଦ୍ୟାଳୟ ଓ ହଷ୍ଟେଲ ମନିଟରିଂ ସେଲ୍ ମାଧ୍ୟମରେ ୨୦୧୬-୧୭ ରୁ ମେସ୍ ପରିଚାଳନା, ସ୍ୱାସ୍ଥ୍ୟ, ପରିମଳ ଓ ଭିତ୍ତିଭୂମି ଉପରେ ବିଭାଗ ଗୁରୁତ୍ୱ ଦେଉଛି । ସମସ୍ତ ହଷ୍ଟେଲରେ ସିସିଟିଭିର ବ୍ୟବସ୍ଥା ଥିବା ବେଳେ ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା ମଧ୍ୟ କରାଯାଉଛି । ଅଭିଯୋଗ ପାଇଁ ପୋକ୍ସୋ ବକ୍ସ ଓ ଅଭିଯୋଗ ବକ୍ସ ରଖାଯିବ । ଏହି ପଦକ୍ଷେପ ଛାତ୍ରଛାତ୍ରୀମାନଙ୍କ ପାଇଁ ଏକ ନିରାପଦ ତଥା ସହାୟକ ପରିବେଶ ସୃଷ୍ଟି କରିବ ।

ଆଲୋଚନାରେ କେନ୍ଦୁଝର ଜିଲ୍ଲାପାଳ ବିଶାଲ୍ ସିଂ ଓ ମାଲକାନଗିରି ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲ୍ ଉପସ୍ଥିତ ରହି ଜିଲ୍ଲାରେ ଜନଜାତିଙ୍କ ବିକାଶ ପାଇଁ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନା ସମ୍ପର୍କରେ ନିଜ ନିଜ ଅନୁଭୂତି ବାଣ୍ଟିବା ସହ ଯୋଜନାର ସଫଳ କାର୍ଯ୍ୟକାରିତା ପାଇଁ ବିଭିନ୍ନ ପ୍ରସ୍ତାବ ଦେଇଥିଲେ ।

Hot this week

ହୋଟେଲ ବୁକିଂ ନାଁରେ ଠକେଇ: ସାବଧାନ, ଠକମାନେ ଏମିତି ଫଶାଉଛନ୍ତି

ସମାଜ ଡିଜିଟାଲ ଡେସ୍କ: ନିକଟରେ, ପ୍ରୟାଗରାଜର କ୍ୟାଣ୍ଟ ପୁଲିସ ଷ୍ଟେସନ ଅଞ୍ଚଳରେ...

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

Related Articles

Popular Categories