www.samajalive.in
Thursday, December 11, 2025
23.1 C
Bhubaneswar

ସମଲେଶ୍ବରୀ ମନ୍ଦିର: ୧୫୦ ବର୍ଷ ପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ, ବସ୍ତି ହଟିବ ବାଲିବନ୍ଧାରୁ ବଡ଼ବଜାର

ସମ୍ବଲପୁର: ପୁରୀ ଶ୍ରୀମନ୍ଦିର ଭଳି ପଶ୍ଚିମ ଓଡ଼ିଶାର ଆରାଧ୍ୟ ଦେବୀ ସମଲେଶ୍ବରୀଙ୍କ ସମ୍ବଲପୁର ପୀଠକୁ ବିଶ୍ବସ୍ତରୀୟ ବିକଶିତ କରି ବିଶ୍ବ ପର୍ଯ୍ୟଟନ ମାନଚିତ୍ରରେ ଏହାକୁ ଏକ ମର୍ଯ୍ୟାଦାଜନକ ସ୍ଥାନ ଦେବା ପାଇଁ ରାଜ୍ୟ ସରକାର ଦୃଢ଼ ନିଷ୍ପତ୍ତି ନେଇଛନ୍ତି। ଏଥି ପାଇଁ ଆଗାମୀ ୧୫୦ ବର୍ଷକୁ ଦୃଷ୍ଟିରେ ରଖି ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରାଯାଇଛି। ବିକାଶ ନକ୍ସାକୁ କାର୍ଯ୍ୟକାରୀ କରିବା ସମୟରେ ଉଚ୍ଛେଦ ଓ ବିସ୍ଥାପନକୁ ନେଇ ଯେ କୌଣସି ପ୍ରକାର ବିରୋଧ ପ୍ରତିରୋଧର ପ୍ରଭାବୀ ମୁକାବିଲା ଏବଂ ଉତ୍ପନ୍ନ ସମସ୍ୟାର ଆପୋଷ ସମାଧାନ କରିବାକୁ ସରକାର ମନ ସ୍ଥିର କରି ସାରିଛନ୍ତି ବୋଲି ଜଣାପଡ଼ିଛି।

ସମଲେଶ୍ବରୀ ମନ୍ଦିର ବିକାଶ ଯୋଜନା କାର୍ଯ୍ୟକାରୀ କଲା ବେଳେ ଉଚ୍ଛେଦ ଅଭିଯାନ କେବଳ କେବଳ ପୂର୍ବ ଦିଗରେ ଥିବା ପୂଜକଙ୍କ ଆବାସ ଓ ଘୁନଘୁଟିପଡ଼ାରେ ସୀମିତ ରହିବ ନାହିଁ। ସମଲେଶ୍ବରୀ ମନ୍ଦିର ସାମ୍ନାରୁ ଆରମ୍ଭ କରି ବାଲିବନ୍ଧା ପର୍ଯ୍ୟନ୍ତ ପର୍ଯ୍ୟାୟ କ୍ରମେ ଉଚ୍ଛେଦ କରାଯିବ। ରିଂ ରୋଡ଼ ଓ ସମଲେଇ ମନ୍ଦିର ରାସ୍ତା ମଝିରେ ସମଲେଶ୍ବରୀ ମନ୍ଦିରରୁ ବାଲିବନ୍ଧା ପର୍ଯ୍ୟନ୍ତ ଥିବା ତ୍ରିଭୂଜାକାର ଅଞ୍ଚଳ ପୂରା ଖାଲି କରାଯିବ। କେବଳ ମନ୍ଦିର ଓ ଅନ୍ୟ ଧର୍ମପୀଠକୁ ଛାଡ଼ି ଅନ୍ୟ ସବୁ ଭଙ୍ଗାଯିବ। ଶୀତଳଭଣ୍ଡାର, ରାଜଘାଟ, କମଳିବଜାର ମ୍ୟୁନିସିପାଲିଟି କ୍ବାର୍ଟର୍ସ, ମତ୍ସ୍ୟ କାର୍ଯ୍ୟାଳୟ, ସବୁ ସରକାରୀ ଓ ବେସରକାରୀ କୋଠା ଏବଂ ବସ୍ତି ଉଚ୍ଛେଦ କରାଯାଇ ଏହି ତିନି କୋଣିଆ ଅଞ୍ଚଳକୁ ବିକଶିତ କରାଯିବ। କମଳିବଜାର ଛକରେ ମନ୍ଦିରର ମୁଖ୍ୟ ପ୍ରବେଶ ପଥ ରହିବ। ଭକ୍ତମାନେ କମଳିବଜାର ଛକ ବା ସ୍ବର୍ଗଦ୍ବାର ଗଳିରେ ନିର୍ମିତ ହେବାକୁ ଥିବା ମୁଖ୍ୟ ତୋରଣ ଦେଇ ମନ୍ଦିର ପରିସରକୁ ପ୍ରବେଶ କରିବେ। ତେଣୁ କମଳିବଜାର ଛକରୁ ଫିସେରି ବନ୍ଧ ହୋଇ ଫାର୍ମ ରୋଡ଼କୁ ସଂଯୋଗ କରୁଥିବା ରାସ୍ତାକୁ ମଧ୍ୟ ଦୁଇ ଟିକିଆ କରାଯିବ। କମଳିବଜାର ଛକରୁ ବାଲିବନ୍ଧା ପର୍ଯ୍ୟନ୍ତ ପ୍ରାୟ ୧ କିଲୋମିଟର ଦୀର୍ଘ ଅଞ୍ଚଳକୁ ଏକ ଆକର୍ଷଣୀୟ ଦର୍ଶନୀୟ ସ୍ଥାନ ଓ ପର୍ଯ୍ୟଟନ ସ୍ଥଳୀ ଭାବେ ବିକଶିତ କରାଯିବ। ଏଥି ପାଇଁ ସମଲେଶ୍ବରୀ ମନ୍ଦିରରୁ ଆରମ୍ଭ କରି ବାଲିବନ୍ଧା ପର୍ଯ୍ୟନ୍ତ ରାସ୍ତାକୁ ଅଧିକ ଓସାର କରାଯିବା ଯୋଜନା ରହିଛି। ଏହା ଦ୍ବାରା ରାସ୍ତା ଆର ପଟେ ଥିବା ଘର ଓ ଦୋକାନଗୁଡ଼ିକ ମଧ୍ୟ ଆଂଶିକ ପ୍ରଭାବିତ ହେବେ ବୋଲି ଜଣାପଡ଼ିଛି। ସମ୍ବଲପୁର ମହାନଗର ନିଗମର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ଯେହେତୁ ରାଜ୍ୟ ସରକାର ସମଲେଶ୍ବରୀ ପୀଠକୁ ଏକ ଜାତୀୟ ସ୍ତରର ପୂଜା ଓ ପର୍ଯ୍ୟଟନ ସ୍ଥଳୀ ଭାବେ ବିକଶିତ କରିବାକୁ ମନ ସ୍ଥିର କରି ସାରିଛନ୍ତି ଓ ଏଥି ପାଇଁ ଶହ ଶହ କୋଟି ଟଙ୍କା ଖର୍ଚ୍ଚ କରିବାକୁ ଅଣ୍ଟା ଭିଡ଼ିଛନ୍ତି, ​ତେଣୁ ଆଉ ଦଶ କି ପନ୍ଦର ବର୍ଷ ନୁହେଁ; ଆଗାମୀ ଦେଢ଼ ଶହ ବର୍ଷକୁ ଦୃଷ୍ଟିରେ ରଖି ନକ୍ସା ପ୍ରସ୍ତୁତ କରାଯାଉଛି। ଆବଶ୍ୟକ ହେଲେ ୭୦ /୮୦ ଏକରରୁ ଅଧିକ ଜମି ଅଧିଗ୍ରହଣ କରାଯିବ ବୋଲି ଏହି ଅଧିକାରୀ କହିଛନ୍ତି।

- Advertisement -

ଏହି ସୂତ୍ର ଅନୁସାରେ ମନ୍ଦିର ପୂଜକ ପରିବାରମାନେ ଦେବୀ ସମଲେଶ୍ବରୀଙ୍କ ପୂଜାର୍ଚ୍ଚନା ଓ ଅନ୍ୟ ଦୈନନ୍ଦିନ ବ୍ୟାପାର ସହ ଓତଃପ୍ରୋତ ଭାବେ ଜଡ଼ିତ ଥିବାରୁ ସେମାନଙ୍କୁ ଆକର୍ଷଣୀୟ କ୍ଷତିପୂରଣ ଦେଇ ମନ୍ଦିର ପାଖାପାଖି ଅଞ୍ଚଳରେ ଥଇଥାନ କରାଯିବ। ସେମାନଙ୍କ ସପକ୍ଷରେ ଆଉ ଏକ ବଡ଼ କାରଣ ହେଲା ସେମାନେ ରହୁଥିବା ଜାଗାର ପଟ୍ଟା ସେମାନଙ୍କ ପାଖରେ ଅଛି। ଅପର ପକ୍ଷରେ ଉଚ୍ଛେଦକୁ ବିରୋଧ କରୁଥିବା ଘୁନଘୁଟିପଡ଼ାବାସୀଙ୍କ ମଧ୍ୟରୁ ପ୍ରାୟତଃ କାହାରି ପଟ୍ଟାନାହିଁ। ବର୍ତ୍ତମାନ ପ୍ରଚଳିତ ପ୍ରଥା ଓ ବ୍ୟବସ୍ଥା ଅନୁସାରେ ଦେବୀଙ୍କ ନୀତିକାନ୍ତି ସହ ସେମାନଙ୍କ ପ୍ରତ୍ୟକ୍ଷ ସଂପର୍କ କି ସଂପୃକ୍ତି ନାହିଁ। ଅଥଚ ସେମାନେ ମଧ୍ୟ ମନ୍ଦିର ପାଖରେ ଥଇଥାନ ହେବାକୁ ଦାବି କରୁଥିବାରୁ ସରକାର ସେମାନଙ୍କ ଦାବିକୁ କୌଣସି ଦୃଷ୍ଟିରୁ ଯୁକ୍ତିସଙ୍ଗତ ବିବେଚନା କରୁନାହାନ୍ତି। ତଥାପି ସେମାନଙ୍କ ଭାବାବେଗ ଓ ଉ​‌େ​‌ଚ୍ଛଦ ପରବର୍ତ୍ତୀ ସମସ୍ୟାକୁ ଦୃଷ୍ଟିରେ ରଖି ସେମାନଙ୍କ ଉପଯୁକ୍ତ ଥଇଥାନ ଓ ପର୍ଯ୍ୟାପ୍ତ କ୍ଷତିପୂରଣ ଦେବାକୁ ରାଜ୍ୟ ସରକାର ପ୍ରସ୍ତୁତ ଅଛନ୍ତି। ତେଣୁ ଇଷ୍ଟଦେବୀଙ୍କ ମନ୍ଦିର ବିକାଶ ଭଳି ଏକ ଅତ୍ୟନ୍ତ ମହତ୍ତ୍ବପୂର୍ଣ୍ଣ ଯୋଜନାକୁ ସାକାର କରିବା ଦିଗରେ ସହଯୋଗ କରିବାକୁ ସମ୍ବଲପୁରର ଜନସାଧାରଣଙ୍କୁ ରାଜ୍ୟ ସରକାର ଅନୁରୋଧ କରିଥିବା ଏହି ଅଧିକାରୀ ସୂଚନା ଦେଇଛନ୍ତି।

Hot this week

ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା: ସ୍ଥିତି ସମୀକ୍ଷା କଲେ ଉପମୁଖ୍ୟମନ୍ତ୍ରୀ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା।...

ଦ୍ବିତୀୟ ଟି୨୦ ଆଜି; ୨-୦ ଲକ୍ଷ୍ୟରେ ଭାରତ

ନ୍ୟୁ ଚଣ୍ଡିଗଡ଼ : ନ୍ୟୁ ଚଣ୍ଡିଗଡ଼ ବା ମୁଲାନ୍‌ପୁର ଷ୍ଟାଡିୟମ୍‌ରେ କୌଣସି...

ରେଳ ଚଳାଚଳ ମାର୍ଗରେ ପୁନଃସଂଶୋଧନ

ଭୁବନେଶ୍ୱର : ଖୋର୍ଦ୍ଧା ରୋଡ ଡିଭିଜନ ଅନ୍ତର୍ଗତ ରାଜ ଆଠଗଡ଼ ଏବଂ...

ଗୃହରୁ ମିଳିଥିବା ୧୬,୫୦୦ ଟଙ୍କା ନେବାକୁ ହାତ ଟେକିଲେ ୧୨ ସଦସ୍ୟ

ପାକିସ୍ତାନ ନ୍ୟାସନାଲ ଆସେମ୍ବ୍ଲିରେ ଲଜ୍ଜାକର ଘଟଣା ଇସଲାମାବାଦ : ପାକିସ୍ତାନ ନ୍ୟାସନାଲ ଆସେମ୍ବ୍ଲିରେ...

ଦିଲ୍ଲୀ ବିସ୍ଫୋରଣ : ଆଉ ଜଣେ ଡାକ୍ତର ଗିରଫ

ନୂଆଦିଲ୍ଲୀ : ଦିଲ୍ଲୀ ଲାଲକିଲା ବିସ୍ଫୋରଣ ଘଟଣାରେ ଏନଆଇଏ ଜାମ୍ମୁ-କାଶ୍ମୀରର ବାରମୂଲାରୁ...

Related Articles

Popular Categories