www.samajalive.in
Saturday, December 6, 2025
26.1 C
Bhubaneswar

କରୋନା ସଂକ୍ରମଣ ଆଶଙ୍କା: ବିନା ଭକ୍ତରେ ହେଲା ପ୍ରସିଦ୍ଧ ମା’ ମାଣିକେଶ୍ୱରୀଙ୍କ ଛତରଯାତ୍ରା

  • କରୋନା ସଂକ୍ରମଣ ଆଶଙ୍କା: ବିନା ଭକ୍ତରେ ହେଲା ପ୍ରସିଦ୍ଧ ମା’ ମାଣିକେଶ୍ୱରୀଙ୍କ ଛତରଯାତ୍ରା
  • ସାରା ସହର ପୁଲିସ ଛାଉଣି, ମୁଖ୍ୟରାସ୍ତା ସମେତ ୪୫ଟି ସ୍ଥାନରେ ରାସ୍ତା ସିଲ୍,
    ସହରର ଗଳିକନ୍ଦି ଓ ଘର ସମ୍ମୁଖରେ ପଶୁପକ୍ଷୀ ବଳିଦେଲେ ଶ୍ରଦ୍ଧାଳୁ
    ଭବାନୀପାଟଣା: କଳାହାଣ୍ଡିର ଇଷ୍ଟଦେବୀ ମା’ ମାଣିକେଶ୍ୱରୀଙ୍କ ପ୍ରସିଦ୍ଧ ତଥା ବିରଳ ଛତର ବିଜୟ ଯାତ୍ରା କରୋନା ସଂକ୍ରମଣ ଆଶଙ୍କାରେ ରଖି ଇତିହାସରେ ପ୍ରଥମ କରି ବିନା ଭକ୍ତରେ ଶନିବାର ଦିନ ଶାନ୍ତି ଶୃଙ୍ଖଳା ସହିତ ଅନୁଷ୍ଠିତ ହୋଇଯାଇଛି। ସାରା ସହର ପୁଲିସ ଛାଉଁଣି ହୋଇଥିବାବେଳେ ମୁଖ୍ୟରାସ୍ତା ସମେତ ୪୫ ସ୍ଥାନରେ ରାସ୍ତାଗୁଡ଼ିକ ପ୍ରଶାସନ ପକ୍ଷରୁ ସିଲ୍‌ କରାଯାଇଥିଲା। ତେବେ ସହରର ଗଳିକନ୍ଦି ଓ ଘର ସମ୍ମୁଖରେ ଶ୍ରଦ୍ଧାଳୁମାନେ ବିଭିନ୍ନ ପଶୁପକ୍ଷୀ ବଳି ଦେଇଥିବା ଦେଖିବାକୁ ମିଳିଥିଲା।


ଚଳିତ ବର୍ଷ ପଶୁପକ୍ଷୀଙ୍କ ବିନା ବଳିରେ ଭବାନୀପାଟଣା ସହରର ୪ କିଲୋମିଟର ମୁଖ୍ୟ ରାଜରାସ୍ତା ଉପରେ ମା’ ମାଣିକେଶ୍ୱରୀଙ୍କ ଛତରଯାତ୍ରା ବିନା ଭକ୍ତଙ୍କ ଗହଣରେ କଡା ସୁରକ୍ଷା ବଳୟ ଭିତରେ ଅନୁଷ୍ଠିତ ହୋଇଥିଲା। ମା’ ମାଣିକେଶ୍ବରୀ ଛତରଯାତ୍ରାରେ ଆସି ମୁଖ୍ୟ ମନ୍ଦିରକୁ ଶନିବାର ଭୋର୍ ୫.୩୦ରେ ପ୍ରବେଶ କରିଥିଲେ। ଛତରଯାତ୍ରାରେ ବଳି ପ୍ରଥା ବନ୍ଦ କରିବା ପାଇଁ ଓଡିଶା ହାଇକୋର୍ଟ ନିର୍ଦେଶନାମା ଜାରି କରିଥିବାବେ​‌େ​‌ଳ ସେଥିରେ ସୁପ୍ରିମକୋର୍ଟ ରହିତାଦେଶ ଲଗାଇଥିଲେ। ଯାହାକୁ ନେଇ ଜିଲ୍ଲାବାସୀଙ୍କ ମନରେ ଖୁସିର ଲହରି ଖେଳିଯାଇଥିଲା।
ଚଳିତ ବର୍ଷ କରୋନା ସଂକ୍ରମଣ ଆଶଙ୍କାରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର କୋଭିଡ୍-୧୯ ନିର୍ଦେଶନାମା ଅନୁଯାୟୀ ମାଣୀକେଶ୍ୱରୀଙ୍କ ଛତରଯାତ୍ରା କରିବାକୁ ନିର୍ଦେଶ ଜାରି କରାଯାଇଥିଲା। ଏହା ସହିତ କେବଳ ମା’ଙ୍କ ଜେନା ବାଜା ଓ ପ୍ୟାଲେସ କାର୍ଯ୍ୟାଳୟ ନିମନ୍ତ୍ରିତ ମହାବୀର ସାଂସ୍କୃତିକ ଅନୁଷ୍ଠାନ ଘୁମୁରା ଦଳ ସହିତ ମୁଖ୍ୟ ମନ୍ଦିରକୁ ପ୍ରବେଶ କରିଥିଲେ। ତେବେ ଚଳିତ ବର୍ଷ ଅନ୍ୟ କୌଣସି ସାଂସ୍କୃତିକ ଦଳଗୁଡ଼ିକୁ ପୂର୍ବ ବର୍ଷପରି ଛତରଯାତ୍ରା ମା’ ମାଣିକେଶ୍ୱରୀଙ୍କ ସହିତ ଆସିବା ପାଇଁ ପ୍ରଶାସନ ପକ୍ଷରୁ ବାରଣ କରାଯାଇଥିଲା। ଫଳରେ କୌଣସି ସାଂସ୍କୃତିକ ଦଳ ମା’ଙ୍କ ଆଗରେ ନିଜର ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିପାରିନଥିଲେ। ଶହ ଶହ କଳାକାର ଏବଂ ଲକ୍ଷ ଲକ୍ଷ ଭକ୍ତ ମା’ ଙ୍କୁ ଦର୍ଶନ କରିପାରିନଥିବାରୁ ସେମାନଙ୍କ ମନ ଭିତରେ ଥିବା ବେଦନା ଓ ଦୁଃଖକୁ ଚାପି ରଖି ଘର ଭିତରେ ରହି ମା’ ମାଣିକେଶ୍ୱରୀଙ୍କୁ କେବଳ ଗୁହାରୀ କରିବା ଛଡା ଅନ୍ୟ ଉପାୟ ନଥିଲା।
ପ୍ରଶାସନ ତରଫରୁ ଅକ୍ଟୋବର ୨୩ରୁ ୨୪ ପର୍ଯ୍ୟନ୍ତ ଭବାନୀପାଟଣା ସହରକୁ ୧୪୪ ଧାରା କରାଯାଇଛି। ଅକ୍ଟୋବର ୨୩ରୁ ୨୪ ପର୍ଯ୍ୟନ୍ତ ଭବାନୀପାଟଣା ସହରର ସମସ୍ତ ପ୍ରବେଶ ପଥକୁ ସିଲ କରାଯାଇ ଭବାନୀପାଟଣା ବାହାରୁ କୌଣସି ଗାଡି ମୋଟର ଓ ଜନସାଧାରଣକୁ ପ୍ରବେଶ କରିବାକୁ ଅନୁମତି ଦିଆଯାଇନଥିଲା। ସେହିପରି ଭବାନୀପାଟଣା ସହରର ସମସ୍ତ ପଡାର ପ୍ରବେଶ ରାସ୍ତା ଓ ଜେନାଖାଲ ପଡା ଠାରୁ ପରଦେଶିପଡା, ନୂଆ ବସଷ୍ଟାଣ୍ଡ୍‌, ଘୋଡାଘାଟ ଛକ, ପ୍ୟାଲେସରୋଡ(ଜଗନ୍ନାଥ ମନ୍ଦିରପଡା), ମାଣିକେଶ୍ୱରୀ ମନ୍ଦିର- ଷ୍ଟେଚ୍ୟୁଛକ ରାସ୍ତାର ସମସ୍ତ ପ୍ରବେଶ ପଥକୁ ସିଲ୍ କରାଯାଇ କୌଣସି ଲୋକଙ୍କୁ ଘରୁ ବାହାରିବାକୁ ଦିଆଯାଇନଥିଲା।
ତେବେ ଭକ୍ତମାନେ ନିଜର ଇଷ୍ଟଦେବୀ ମା’ ମାଣିକେଶ୍ୱରୀଙ୍କୁ ଦର୍ଶନ ପାଇଁ ଘରୁ ବାହାରି ଆସି ବିଭିନ୍ନ ସ୍ଥାନରେ ଏବଂ ଘର ଉପରେ ଓ ଘରଦ୍ୱାର ମୁହଁରେ ରହି ମା’ଙ୍କୁ ପୂଜାର୍ଚ୍ଚନା କରିବା ସହିତ ଦର୍ଶନ କରିଥିଲେ। ମାନସିକ କରିଥିବା ଭକ୍ତମାନେ ଜେନାଖାଲରୁ ମାଣିକେଶ୍ୱରୀ ମନ୍ଦିର ମୁଖ୍ୟରାସ୍ତାକୁ ଛାଡିଦେଲେ ଅନ୍ୟାନ୍ୟ ରାସ୍ତାଗଳି ଏବଂ ସହର ବାହାରେ ବହୁ ପରିମାଣରେ ବୋଦା, ମେଣ୍ଢା, ପାରା, କୁକୁଡା ବଳି ଦେଇଥିଲେ। ମା’ ତାହାର ଭକ୍ତକୁ ଦର୍ଶନ ଦେଇ ନିଜେ ହସିଖୁସିରେ ମନ୍ଦିରକୁ ଯାଇଥିବାବେଳେ ଭକ୍ତମାନେ ମଧ୍ୟ ପ୍ରଶାସନର ନିର୍ଦ୍ଦେଶନାମା ଏବଂ କୋଭିଡ୍ ନିୟମ ଓ ୧୪୪ ଧାରା ଆଇନ ମାନି କୌଣସି ସ୍ଥାନରେ ଗହଳି କରିନଥିବା ଦେଖିବାକୁ ମିଳିଥିଲା। କୌଣସି ପ୍ରକାର ଅପ୍ରିତିକର ପରିସ୍ଥିତି ସୃଷ୍ଟିହେବାର ଆଶଙ୍କାରେ ଜିଲା ପ୍ରଶାସନ ପ୍ରଥମ କରି ତରବରିଆଭାବେ ମା’ଙ୍କ ଛତରକୁ ନେଇ ମନ୍ଦିର ଭିତରକୁ ପ୍ରବେଶ କରାଇବା ଅଭିଯୋଗ ହୋଇଥିଲା, ଯାହାକୁ ନେଇ ବହୁ ବୁଦ୍ଧିଜିବୀ ଓ ଭକ୍ତଙ୍କ ମନରେ ଗଭୀର ଆଘାତ ଲାଗିଥିବା ଦେଖିବାକୁ ମିଳିଛି।
ଅକ୍ଟୋବର ୨୩ ମହାଷ୍ଟମୀ ମଧ୍ୟ ରାତ୍ରିରେ ପାରମ୍ପରିକ ଓ ରୀତି ନୀତି ଅନୁଯାୟୀ ମହାବଳୀ ପରେ ମାଣିକେଶ୍ୱରୀ ମନ୍ଦିର ଉତ୍ତର ଦ୍ୱାର ନିକଟରେ ଅବସ୍ଥିତ ବୁଢାରଜା (ଭୈରବ)ଙ୍କ ସମ୍ମୁଖରେ ପୁଣି ପୋଢବଳୀ ଦିଆଯିବା ପରେ ମାଣିକେଶ୍ୱରୀଙ୍କ ଚଳନ୍ତି ପ୍ରତିମା ଛତର ଅକ୍ଟୋବର ୨୩ ଭୋର ୪.୧୫ରେ ଭବାନୀପାଟଣାର ପଶ୍ଚିମ ଦିଗରେ ଥିବା ଜେନାଖାଲ ପର୍ଯ୍ୟନ୍ତ ଯାଇଥିଲା। ଅକ୍ଟୋବର ୨୪ ଶନିବାର ପ୍ରାତଃକାଳରେ ଜେନାଖାଲରେ ରୀତିନୀତି ଅନୁଯାୟୀ ବୋଦା ବଳି ଓ ଗୁପ୍ତ ପୂଜା ପାଠ ପରେ ମାଣିକେଶ୍ୱରୀଙ୍କ ଛତର ବିଜୟ ଯାତ୍ରା ଅନୁଷ୍ଠିତ ହୋଇଥିଲା। ଛିଟକନା, ମନ୍ଦାରଫୁଲ, ବେଲପତ୍ର ମାଳରେ ବସ୍ତ୍ରାବୃତ୍ତ ‘ଛତର’ ବିନା ଭକ୍ତରେ ମୁଖ୍ୟ ୨୬ ନମ୍ବର ଜାତୀୟ ରାଜପଥର ୪ କିଲୋମିଟର ଦେଇ ମୁଖ୍ୟ ମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିଥିଲେ। ପ୍ରଥମ ଥର ପାଇଁ ମା’ ଙ୍କୁ କୌଣସି ଭକ୍ତ ନିଜର ମାନସିକ କରିଥିବା ଛିଟକନା, ବେଲପତ୍ର, ମନ୍ଦାରଫୁଲ ମାଳ ଚଢାଇ ପାରିନଥିବା ବେଳେ ଜେନାଖାଲରୁ ମାଣିକେଶ୍ୱରୀ ମନ୍ଦିର ପର୍ଯ୍ୟନ୍ତ ରାସ୍ତା କେବଳ ପୋଲିସ କର୍ମଚାରୀଙ୍କୁ ଛାଡିଦେଲେ କୌଣସି ଭକ୍ତଙ୍କୁ ଦେଖିବାକୁ ମିଳିନଥିଲା। ଯେଉଁ ରାସ୍ତାର ଦୁଇପାର୍ଶ୍ବରେ ମା’ଙ୍କୁ ଦର୍ଶନ କରିବା ପାଇଁ ହଜାର ହଜାର ଭକ୍ତ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରି ରହୁଥିଲେ। ଆଜି ସେହି ରାସ୍ତା ବିନା ଭକ୍ତରେ ଖାଁ ଖାଁ ଲାଗୁଥିଲା। ଯେଉଁ ରାସ୍ତାର ଦୁଇ ପାର୍ଶ୍ବରେ ଏବଂ ତାଙ୍କୁ ସଂଯୋଗ କରୁଥିବା ବିଭିନ୍ନ ରାସ୍ତାରେ ମାଁ ଙ୍କୁ ମାନସିକ କରିଥିବା ଭକ୍ତ ମାନଙ୍କ ଦ୍ୱାରା ଦିଆଯାଉଥିବା ପଶୁପକ୍ଷୀ ବଳିର ରକ୍ତ ରଞ୍ଜିତ ହେଉଥିଲା, ଆଜି ବୁନ୍ଦାଏ ରକ୍ତ ବି ସେସବୁ ସ୍ଥାନରେ ପଡ଼ି ନଥିବା ଦେଖିବାକୁ ମିଳିଥିଲା। ଯେଉଁ ରକ୍ତ ଉପରେ ମାଁ ଝୁମି ଝୁମି ମନଖୁସିରେ ନିଜର ଭକ୍ତଙ୍କୁ ଦର୍ଶନ ଦେବା ସହିତ ତାଙ୍କର ଗୁହାରୀ ଶୁଣି ନିଜ ମୁଖ୍ୟ ମନ୍ଦିରକୁ ପ୍ରବେଶ କରୁଥିଲେ ଆଜି ସେହି ରାସ୍ତା କେବଳ ଶୁଖା ପଡିଥିଲା। ସେ ଶୁଖା ରାସ୍ତାରେ ମା’ ନିଜର ଭକ୍ତଙ୍କୁ ଦର୍ଶନ ଦେଇନପାରି ମନଉଣା କରି ନିଜ ମୁଖ୍ୟ ମନ୍ଦିରକୁ ପ୍ରବେଶ କରିଥିଲେ।
ମା’ଙ୍କ ଛତର ମୁଖ୍ୟ ମନ୍ଦିରରେ ପହଞ୍ଚିବା କ୍ଷଣି ମହାରାଜ ଅନନ୍ତ ପ୍ରତାପ ଦେଓ ସମେତ ତାଙ୍କ ସପରିବାର ସଦସ୍ୟମାନେ ବନ୍ଦାପନା କରି ସ୍ୱାଗତ ଜଣାଇ ମନ୍ଦିର ଭିତରକୁ ପାଛୋଟି ନେଇଥିଲେ। ପୂର୍ବବର୍ଷ ପରି ଚଳନ୍ତି ବର୍ଷ ମା’ଙ୍କ ଛତରକୁ ପୂଜକ ମଧୁସୁଦନ ବେହେରା ବହନ କରିଥିବା ବେଳେ ଧବଳେଶ୍ୱର ବାହୁ ପାଟ୍ଟଖଣ୍ଡା ବହନ କରିଥିଲେ। ଜିଲାପାଳ ଗାଭିଲ ପରାଗ ହର୍ଷଦ, ଏସ୍‌ପି ବାତୁଲା ଗଙ୍ଗାଧର, ଭବାନୀପାଟଣା ଉପଜିଲାପାଳ ସୁଶାନ୍ତ ସିଂ ଏବଂ ଅତିରିକ୍ତ ଏସ୍‌ପି, ଏସଡିପିଓ ଭବାନୀପାଟଣା, ଟାଉନ୍ ଥାନା ଆଇଆଇସି. ସତ୍ୟ ନାରାୟଣ ନନ୍ଦ, ଲୋକ ସମ୍ପର୍କ ବିଭାଗ ଭାରପ୍ରାପ୍ତ ଅଧିକାରୀ ତଥା ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ବିଭାଗର ଏପିଡି ବିମ୍ବାଧର ସାହୁଙ୍କ ସମେତ ମାଜିଷ୍ଟ୍ରେଟ ଓ ଅନ୍ୟାନ୍ୟ ଅଧିକାରୀ ଏହି ଛତରଯାତ୍ରାରେ ଉପସ୍ଥିତ ରହି ଶାନ୍ତି ଶୃଙ୍ଖଳା ସହିତ କିପରି ଛତର ଯାତ୍ରା ଅନୁଷ୍ଠିତ ହେବ ତାହା ତଦାରଖ କରିଥିଲେ।
ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ୧୦ ପ୍ଲାଟୁନ ଫୋର୍ସ ସମେତ ଜଣେ ଅତିରିକ୍ତ ଏସ୍.ପି, ୪ ଜଣ ଡିଏସ୍ପି, ୧୪ ଜଣ ଇନ୍ସପେକ୍ଟର, ୧୯ ଜଣ ସବ୍ ଇନ୍ସପେକ୍ଟର, ୩୨ ଜଣ ଏଏସ୍ଆଇ., ୭୪ ଜଣ କନେଷ୍ଟବଳ, ୭୦ ହୋମଗାର୍ଡ ସମେତ ଏସ୍.ଓ.ଜି., ଡିଭିଏଫ୍ ଏବଂ ସିଆରପିଏଫ୍ ଯବାନଙ୍କୁ ମୁତୟନ କରାଯାଇଥିଲା। ଅକ୍ଟୋବର ୨୫ରେ ମା’ ମାଣିକେଶ୍ୱରୀଙ୍କର ଲାଖମରା ଉତ୍ସବ ପାରମ୍ପରିକ ଅନୁଷ୍ଠିତ ହେବ ବୋଲି ସୂଚନା ଦିଆଯାଇଛି।

Hot this week

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

Related Articles

Popular Categories