ଭୁବନେଶ୍ବର: ଓଡ଼ିଶାରୁ ପ୍ରଥମଥର ଜବତ ହୋଇଛି ସିନ୍ଥେଟିକ୍ ନିଶା (ଏଲ୍ଏସ୍ଡି)। ଅନ୍ଲାଇନ୍ରେ ବିଦେଶରୁ ଏହି ନିଶାଦ୍ରବ୍ୟ ଭୁବନେଶ୍ବରର ଜଣେ ଇଞ୍ଜିନିୟରିଂ ଛାତ୍ର ନିକଟକୁ ଆସୁଥିଲା। ବୁଧବାର ସମ୍ପୃକ୍ତ ଛାତ୍ରକୁ ଗିରଫ କରିଛି ନାର୍କୋଟିକ କଣ୍ଟେ୍ରାଲ ବ୍ୟୁରୋ(ଏନ୍ସିବି)। ଗିରଫ ଛାତ୍ର ହେଲେ ମୈତ୍ରୀବିହାର ଏଲ୍ଆଇସି କଲୋନୀର ଆର୍ଯ୍ୟମାନ ପଟ୍ଟନାୟକ(୨୩)। ତାଙ୍କର ଜାମିନ ନାମଞ୍ଜୁର ହେବାରୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଏନ୍ସିବିର ଅଧିକାରୀ କହିଛନ୍ତି, ଉକ୍ତ ନିଶାକୁ ଆର୍ଯ୍ୟମାନ ୟୁରୋପରୁ ଅନ୍ଲାଇନରେ ମଗାଇଥିଲା। ଡାର୍କେୱବ ଜରିଆରେ ଅନ୍ଲାଇନ୍ ପାର୍ସଲରେ ୧୫ରୁ ୧୬ଟି ଏଲ୍ଏସ୍ଡି ଆସିଥିଲା। ଉକ୍ତ ନିଶାଦ୍ରବ୍ୟ ଓଡ଼ିଶା ଆସୁଥିବା ଓ ଭୁବନେଶ୍ବରର ଜଣେ ଯୁବକ ମଗାଇଥିବା ଏନ୍ସିବି ଅଧିକାରୀ ଜାଣିବାକୁ ପାଇ ତାଙ୍କ ପିଛା କରିଥିଲେ। ଆର୍ଯ୍ୟମାନ ରହୁଥିବା ମୈତ୍ରୀବିହାରରେ ଏହି ନିଶାଦ୍ରବ୍ୟ ପହଞ୍ଚିବା ପରେ ଏନ୍ସିବିର ଅଧିକାରୀ କାବୁ କରିଥିଲେ। ତାଙ୍କ ଠାରୁ ଜବତ ନିଶାଦ୍ରବ୍ୟର ମୂଲ୍ୟ ୧୫୦୦ରୁ ୧୬୦୦ ଡଲାର ହେବ ଯାହା ଭାରତୀୟ ମୁଦ୍ରାରେ ଦେଢ଼ ଲକ୍ଷ ଟଙ୍କାରୁ ଅଧିକ।
ଭୁବନେଶ୍ବର ବାସିନ୍ଦା ଆର୍ଯ୍ୟମାନ ନୋଏଡାରେ ଏକ ଶିକ୍ଷାନୁଷ୍ଠାନରେ କମ୍ପ୍ୟୁଟର ସାଇନ୍ସ ପାଠ ପଢ଼ିଛନ୍ତି। ତାଙ୍କର ଇଞ୍ଜିନିୟରିଂ ସରିବା ପରେ ସେ ଭୁବନେଶ୍ବରରେ ରହୁଥିଲେ। ଅନ୍ଲାଇନ୍ରେ ୟୁରୋପରୁ ଡାର୍କେୱବ ଜରିଆରେ ନିଶାଦ୍ରବ୍ୟ ମଗାଇଥଲେ। ଏକ ସିକ୍ରେଟ ୱେବ୍ ଜରିଆରେ କାରବାର ହେଉଥିଲା। ଭୁବନେଶ୍ବରରୁ ଆର୍ଯ୍ୟମାନ ଏହାକୁ କିପରି ପରିଚାଳନା କରୁଥିଲା ସେ ଦିଗରେ ତନାଘନା କରୁଛି ଏନ୍ସିବି। ଏହି ନିଶାଦ୍ରବ୍ୟ ସୁଇଜରଲ୍ୟାଣ୍ଡ, ଆମେରିକା, ଇଂଲଣ୍ଡ, ନ୍ୟୁଜିଲ୍ୟାଣ୍ଡ, ଅଷ୍ଟ୍ରେଲିଆ, ପୋଲାଣ୍ଡ, ନେଦରଲ୍ୟାଣ୍ଡ ଭଳି ୟୁରୋପୀୟ ଦେଶଗୁଡ଼ିକରେ ଉପଲବ୍ଧ।



