ଭୁବନେଶ୍ବର : ରାଜ୍ୟର ସମସ୍ତ ୧୧୪ଟି ପୌର ସଂସ୍ଥାରେ କାର୍ଯ୍ୟରତ କର୍ମଚାରୀ ମାନେ ସପ୍ତମ ବେତନ କମିଶନ ସୁପାରିସ ଆଧାରରେ ଦରମା ପାଇବେ। ସପ୍ତମ ବେତନ କମିଶନ ସୁପାରିସ ଅନୁଯାୟୀ ବର୍ଦ୍ଧିତ ହାରରେ ଦରମାରୁ ବଞ୍ଚିତ ସମସ୍ତ ମହାନଗର ନିଗମ, ପୌରପାଳିକା ଓ ବିଜ୍ଞାପିତ ଅଞ୍ଚଳ ପରିଷଦର କର୍ମଚାରୀଙ୍କ ପାଇଁ ଏହା କାର୍ଯ୍ୟକାରୀ କରିବାକୁ ରବିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି। ବର୍ଦ୍ଧିତ ଦରମା ସେମାନେ ପିଛିଲା ଭାବେ ୨୦୧୬ ଏପ୍ରିଲ
ପହିଲାରୁ ପାଇବେ। ଏ ବାବଦ ଅତିରିକ୍ତ ବ୍ୟୟ ସଂପୃକ୍ତ ପୌରସଂସ୍ଥାଗୁଡ଼ିକ ବହନ କରିବେ। ଏହାଦ୍ବାରା ରାଜ୍ୟର ପୌର ସଂସ୍ଥାରେ କାର୍ଯ୍ୟରତ ପ୍ରାୟ ୬ହଜାର କର୍ମଚାରୀ ଉପକୃତ ହେବେ। ସପ୍ତମ ବେତନ କମିଶନ ଲାଗୁ ହେବା ଫଳରେ ଏହି କର୍ମଚାରୀମାନେ ୧୭ରୁ ୨୩% ପର୍ଯ୍ୟନ୍ତ ଅଧିକ ବେତନ ପାଇବେ।
ପୌର କର୍ମଚାରୀଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଉପରେ ପୌର ପ୍ରଶାସକ ସଂଗ୍ରାମଜିତ ନାୟକ କହିଛନ୍ତି, ସରକାରୀ କର୍ମଚାରୀ ଓ ବିଭିନ୍ନ ନିଗମର କର୍ମଚାରୀ ସପ୍ତମ ବେତନ କମିଶନ ହାରରେ ଦରମା ପାଉଥିବାବେଳେ ସେମାନଙ୍କ କ୍ଷେତ୍ରରେ ଏହା ଲାଗୁ କରିବାକୁ ପୌର କର୍ମଚାରୀ ବହୁ ଦିନରୁ ଦାବି କରି ଆସୁଥିଲେ। ମୁଖ୍ୟମନ୍ତ୍ରୀଙ୍କ ଏହି ଘୋଷଣା ଫଳରେ ସେମାନେ ଆନନ୍ଦ ପ୍ରକାଶ କରିଛନ୍ତି। ପୌରାଞ୍ଚଳରେ ଜନସାଧାରଣଙ୍କୁ ନିୟମିତ ସେବା ଯୋଗାଉଥିବା ଚତୁର୍ଥଶ୍ରେଣୀ କର୍ମଚାରୀଟିଏ ଅଧିକ ବେତନ ପାଇଲେ କାର୍ଯ୍ୟ ପ୍ରତି ସେମାନଙ୍କର ଅଧିକ ଆଗ୍ରହ ପ୍ରକାଶ ପାଇବ।
ପୌର କର୍ମଚାରୀ ପାଇବେ ସପ୍ତମ ବେତନ କମିଶନ ଦରମା;୨୦୧୬ ଏପ୍ରିଲରୁ ପିଛିଲା ଭାବେ ଲାଗୁ
Popular Categories



