www.samajalive.in
Wednesday, December 10, 2025
18.1 C
Bhubaneswar

ଦେଶମୁଖଙ୍କ ବିରୋଧରେ ତଦନ୍ତ ହେଉ – ପୱାର

ନୂଆଦିଲ୍ଲୀ: ମହାରାଷ୍ଟ୍ର ଗୃହମନ୍ତ୍ରୀ ତଥା ଏନସିପିର ବରିଷ୍ଠ ନେତା ଅନିଲ ଦେଶମୁଖଙ୍କ ବିରୋଧରେ ମୁମ୍ବଇ ପୁଲିସର ପୂର୍ବତନ କମସିନର ପରମବୀର ସିଂହ ଆଣିଥିବା ଅଭିଯୋଗ ଗୁରୁତ୍ବପୂର୍ଣ୍ଣ ଓ ଏହାର ଉପଯୁକ୍ତ ତଦନ୍ତ ହେବା ଆବଶ୍ୟକ ବୋଲି ଏନସିପି ମୁଖ୍ୟ ଶରଦ ପୱାର କହିଛନ୍ତି। ରବିବାର ପୱାର କହିଛନ୍ତି ଯେ ମୁମ୍ବଇରୁ ମାସିକ ୧୦୦ କୋଟି ଟଙ୍କା ଚାନ୍ଦା ଆଦାୟ ପାଇଁ ନିଲମ୍ବିତ ପୁଲିସ ଅଧିକାରୀ ସଚିନ ବାଜେଙ୍କୁ ଅନିଲ ନିର୍ଦେଶ ଦେଇଥିବା ଅଭିଯୋଗ ଗୁରୁତ୍ବପୂର୍ଣ୍ଣ।

ଏହି ଅଭିଯୋଗ ଉପରେ ତଦନ୍ତ ନିର୍ଦେଶ ଦେବାର ଅଧିକାର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ପାଖରେ ରହିଛି। ତେବେ ରାଜ୍ୟ ବିରୋଧୀ ଦଳ ନେତା ଦେବେନ୍ଦ୍ର ଫଡନବିସ କହିଛନ୍ତି ଯେ ପୱାର ଅଧା ସତ କହୁଛନ୍ତି। ପୁଲିସ ଅଧିକାରୀଙ୍କ ବିରୋଧରେ ପୂର୍ବରୁ ଦୁର୍ନୀତି ଅଭିଯୋଗ ଆସିଥିବାବେଳେ ରାଜ୍ୟ ସରକାର ଏହାକୁ ଉପେକ୍ଷା କରିଆସିଥିଲେ। ଫଡନବିସ କହିଛନ୍ତି ଯେ ପରମବୀର ସିଂହ ଆଣିଥିବା ଅଭିଯୋଗ ଉପରେ ଉଚ୍ଚସ୍ତରୀୟ ତଦନ୍ତ କରାଯିବା ସହ ଗୃହମନ୍ତ୍ରୀ ପକ୍ଷରୁ ଦେଶମୁଖ ଇସ୍ତଫା ଦିଅନ୍ତୁ। ସେ କହିଛନ୍ତି ମହାରାଷ୍ଟ୍ର ଆତଙ୍କବାଦୀ ନିରୋଧ ସ୍କ୍ବାଡରେ ଥିବା ସଚିନ ବାଜେଙ୍କୁ ଗତବର୍ଷ ରାଜ୍ୟ ପୁଲିସକୁ ଅଣାଯାଇଥିଲା। କମିସନର ପରମବୀର ସିଂହ ତାଙ୍କୁ ପୁଲିସକୁ ଆଣିବା ଲାଗି ସୁପାରିସ କରିଥିଲେ।

- Advertisement -

ତେବେ ଏହି ସୁପାରିସ ପଛରେ ଗୃହମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ରହିଛି। ଏହା ପୂର୍ବରୁ ଆଇପିଏସ୍ ସୁବୋଧ ଜୟସ୍ବାଲ ମଧ୍ୟ ମୁମ୍ବଇ ପୁଲିସରେ ଦୁର୍ନୀତି ଓ ଟଙ୍କା ବଦଳରେ ବଦଳି ଭଳି ଅଭିଯୋଗ ଆଣିଥିଲେ। ମାତ୍ର ଏହି ଅଭିଯୋଗ ବିରୋଧରେ କୌଣସି କାର୍ୟ୍ୟାନୁଷ୍ଠାନ ନିଆଯାଇ ନାହିଁ। ଦେଶମୁଖଙ୍କ ଇସ୍ତଫା ଦାବିରେ ଶିବସେନା ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଶିବସେନା ନେତା ସଞ୍ଜୟ ରାଉତ କହିଛନ୍ତି ସଚିନ ବାଜେଙ୍କ ଘଟଣା ରାଜ୍ୟର ଶିବସେନା-କଂଗ୍ରେସ-ଏନସିପି ମେଣ୍ଟ ସରକାରର ଭାବମୂର୍ତ୍ତିକୁ କ୍ଷୁଣ୍ଣ କରିଛି। ତେଣୁ ମେଣ୍ଟ ସରକାର ଏହା ଉପରେ ଆତ୍ମସମୀକ୍ଷା କରିବା ଦରକାର। ଦେଶମୁଖଙ୍କ ବିରୋଧରେ ତଦନ୍ତ ନିମନ୍ତେ ପୱାର ଦାବି କରିଥିବାବେଳେ ଏହା ଉପରେ କଂଗ୍ରେସ କିଛି କହିବାକୁ ମନା କରିଛି। କଂଗ୍ରେସ ମୁଖପାତ୍ର ଅଭିଷେକ ସିଙ୍ଘଭୀ କହିଛନ୍ତି ଯେ ଏହି ପ୍ରସଙ୍ଗକୁ ଏନସିପି ଓ ମୁଖ୍ୟମନ୍ତ୍ରୀଙ୍କ ଅନୁଧ୍ୟାନ କରୁଛନ୍ତି। ଦେଶମୁଖଙ୍କ ବିରୋଧରେ ଆସିଥିବା ଅଭିଯୋଗ ଉପରେ କାର୍ୟ୍ୟାନୁଷ୍ଠାନ ସମ୍ପର୍କରେ ବିଚାର ପାଇଁ ମହାବିକାଶ ଅଘାଡି ସରକାରର ବୈଠକ ବସିଛି। ସମ୍ଭବତଃ ଦେଶମୁଖଙ୍କୁ ସରକାରରୁ ଇସ୍ତଫା ଦେବାକୁ କୁହାଯାଇପାରେ।

ଫେବୃଆରୀ ୨୫ ତାରିଖରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ମାଲିକ ମୁକେଶ ଅମ୍ବାନୀଙ୍କ ଘର ନିକଟରୁ ବିସ୍ଫୋରକ ଭର୍ତ୍ତି କାର୍ ଜବତ ହୋଇଥିଲା। ବିସ୍ଫୋରକ ଭର୍ତ୍ତି କାର୍‌ର ମାଲିକ ମନସୁଖ ହିରନଙ୍କର ପରବର୍ତ୍ତୀ ସମୟରେ ଅସ୍ବାଭାବିକ ମୃତ୍ୟୁ ହୋଇଥିଲା। ଏହି ମୃତ୍ୟୁ ଘଟଣାରେ ମୁମ୍ବଇ ପୁଲିସର ସବ୍‌ ଇନ୍ସପେକ୍ଟର ସଚିନ ବାଜେ ଗିରଫ ହୋଇଛନ୍ତି। ମନସୁଖଙ୍କ ମୃତ୍ୟୁ ଏବଂ ଅମ୍ବାନୀଙ୍କ ଘର ନିକଟରେ ବିସ୍ଫୋରକ କାର୍‌ ରଖାଯିବା ଘଟଣାରେ ବାଜେଙ୍କ ସମ୍ପୃକ୍ତି ରହିଥିବା ଅଭିଯୋଗ ହୋଇଛି। ମନସୁଖ ହିରେନଙ୍କ ମୃତ୍ୟୁ ଘଟଣାରେ ପୁଲିସ ରବିବାର ବିନାୟକ ସିନ୍ଦେ ନାମକ ନିଲମ୍ବିତ ପୁଲିସ କନଷ୍ଟେବଳଙ୍କୁ ଗିରଫ କରିଛି। ତାଙ୍କୁ ମାର୍ଚ୍ଚ ୩୦ ପର୍ୟ୍ୟନ୍ତ ପୁଲିସ ହାଜତକୁ ପଠାଯାଇଛି। ତେବେ ଡିଆଇଜି (ଏଟିଏସ୍‌) ଶିବଦୀପ ଲାନ୍ଦେ କହିଛନ୍ତି ଯେ ମୁନସୁଖ ହିରେନଙ୍କ ମୃତ୍ୟୁ ଘଟଣାର ତଦନ୍ତ ଶେଷ ହୋଇଛି। ମନସୁଖଙ୍କ ମୃତ୍ୟୁର ତଦନ୍ତ ଭାର ଏନ୍‌ଆଇଏ ନେବାର ଗୋଟିଏ ଦିନ ପରେ ଲାନ୍ଦେ ତାଙ୍କ ଫେସବୁକ ପୋଷ୍ଟରେ ତଦନ୍ତ ଶେଷ ହୋଇଥିବା ଲେଖିଛନ୍ତି। ତେବେ ଏ ସମ୍ପର୍କରେ ସେ ସବିଶେଷ ରିପୋର୍ଟ ଦାଖଲ କରିନାହାନ୍ତି।

Hot this week

ଭୁବନେଶ୍ୱର ସମେତ, କଟକ, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର ପୁରୀରେ ହେବ ଟାଉନ୍‌ ପ୍ଲାନିଂ

ଭୁବନେଶ୍ୱର: ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ଭୁବନେଶ୍ୱର ଉନ୍ନୟନ...

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

Related Articles

Popular Categories