କଟକ : ହାଇକୋର୍ଟର ଆଇନଜୀବୀ ଦେବୀପ୍ରସାଦ ପଟ୍ଟନାୟକଙ୍କୁ ପୁଲିସ ମାଡ଼ ମାରି ଆହତ କରିବା ପ୍ରସଙ୍ଗରେ ହାଇକୋର୍ଟ ଜଷ୍ଟିସ ସଞ୍ଜୁ ପଣ୍ଡା ଓ ଜଷ୍ଟିସ ଜେ ପି ଦାସଙ୍କୁ ନେଇ ଗଠିତ ଖଣ୍ଡପୀଠରେ ସୋମବାର ଶୁଣାଣି ହୋଇଥିଲା। ତଦନ୍ତର ଅଗ୍ରଗତି ସଂକ୍ରାନ୍ତ ରିପୋର୍ଟ ଦାଖଲ ପାଇଁ ସରକାର ମହଲତ ନେଇଥିଲେ। ଆସନ୍ତା ବୁଧବାର ପରବର୍ତ୍ତୀ ଶୁଣାଣି ପାଇଁ କୋର୍ଟ ଧାର୍ଯ୍ୟ କରିଛନ୍ତି। ଏହି ମାମଲାରେ ହାଇକୋର୍ଟ ଶୁଣାଣି କରି ୪ରେ କ୍ରାଇମବ୍ରାଞ୍ଚକୁ ତଦନ୍ତ ନିର୍ଦେଶ ଦେଇଥିଲେ। ଡିସିପି ସତ୍ୟପାଠ ମାଧ୍ୟମରେ ଜବାବ ଦାଖଲ କରିସାରିଛନ୍ତି।
ଆବେଦନକାରୀ ନ୍ୟାସନାଲିଷ୍ଟ ଲୟର୍ସ ଫୋରମ ଓ କଟକ ବାର ଆସୋସିଏସନ ପକ୍ଷରୁ ପ୍ରତି ଜବାବ ଦାଖଲ କରାଯାଇଛି। ମାମଲାର ବିବରଣୀରୁ ପ୍ରକାଶ ଯେ ନ୍ୟାସନାଲିଷ୍ଟ ଲୟର୍ସ ଫୋରମର ସବ୍ୟସାଚୀ ମହାପାତ୍ରଙ୍କ ପକ୍ଷରୁ ହାଇକୋର୍ଟରେ ମାମଲା ଦାୟର କରାଯାଇଛି। ଜଣେ ଅବସରପ୍ରାପ୍ତ ବିଚାରପତିଙ୍କ ଦ୍ୱାରା ତଦନ୍ତ ପାଇଁ ପ୍ରାର୍ଥନା କରାଯିବା ସହ ମାଡ଼ ମାରିଥିବା ପୁଲିସ କର୍ମଚାରୀଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଆଦି ପାଇଁ ଆବେଦନପତ୍ରରେ ଦର୍ଶାଯାଇଛି।
ସେହିପରି କଟକ ବାର ଆସୋସିଏସନ ସଭାପତି ଉମାକାନ୍ତ ନନ୍ଦ ଓ ସଂପାଦକ ନରେଶଚନ୍ଦ୍ର ଜେନାଙ୍କ ପକ୍ଷରୁ ମଧ୍ୟ ଆଉ ଏକ ଦାୟର ମାମଲା ଦାୟର କରାଯାଇଛି। ସିବିଆଇ କିମ୍ବା ବିଚାର ବିଭାଗୀୟ ତଦନ୍ତ କରିବାକୁ ପ୍ରାର୍ଥନା କରାଯାଇ ଦୋଷୀ ପୁଲିସ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଦର୍ଶାଯାଇଛି। ଏହି ମାମଲାରେ ଗୃହ ବିଭାଗ ସଚିବ, ଡିଜିପି, ସିବିଆଇ, କମିସନର ଅଫ ପୁଲିସ, ଚାଉଳିଆଗଞ୍ଜ ଥାନା ଅଧିକାରୀଙ୍କୁ ପକ୍ଷଭୁକ୍ତ କରାଯାଇଛି।
ଅନ୍ୟପକ୍ଷରେ ଆଇନଜୀବୀ ଅନ୍ତର୍ଯ୍ୟାମୀ ସ୍ୱାଇଁଙ୍କ ପକ୍ଷରୁ ଆଉ ଏକ ମାମଲା ଦାୟର ହୋଇଛି। ଏହି ମାମଲାକୁ ବରିଷ୍ଠ ଆଇନଜୀବୀ ବିଜନ ରାୟ, ଶ୍ରୀକାନ୍ତ କୁମାର ନାୟକ, ଧରଣୀଧର ନାୟକ, ଦେବୀ ପ୍ରସାଦ ଧଳ, ପ୍ରସନ୍ନ କୁମାର ପାଢୀ ଓ ସରକାରଙ୍କ ପକ୍ଷରୁ ଆଡଭୋକେଟ ଜେନେରାଲ ସୂର୍ଯ୍ୟ ପ୍ରସାଦ ମିଶ୍ର ମାମଲା ପରିଚାଳନା କରୁଛନ୍ତି।
ସମୟ ନେଲେ ସରକାର,୬ରେ ପରବର୍ତ୍ତୀ ଶୁଣାଣି
କଟକ :ରାଜ୍ୟବ୍ୟାପୀ ଆଇନଜୀବୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ତେଜିବାରେ ଲାଗିଛି। ସୋମବାର ହାଇକୋର୍ଟ ବାର ଆସୋସିଏସନ ସାଧାରଣ ପରିଷଦ ବୈଠକ ବସିଥିବାବେଳେ ଗଠିତ କ୍ରିୟାନୁଷ୍ଠାନ କମିଟିର ମତାମତ ଆଧାରରେ ଆନ୍ଦୋଳନ ଜାରି ରଖିବା ପାଇଁ ସର୍ବସମ୍ମତିକ୍ରମେ ନିଷ୍ପତ୍ତି ନିଆଯାଇଛି। ଆସନ୍ତାକାଲି ହାଇକୋର୍ଟ ସନ୍ନିକଟ ସମସ୍ତ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯାଇ ଅଫିସ ଅଚଳ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି। ୨୭ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ‘ନବୀନ ନିବାସ’ ଘେରାଉ କରିବା ପାଇଁ ନିଷ୍ପତ୍ତି ହୋଇଛି। ଏହି ଘେରାଉ କାର୍ଯ୍ୟକ୍ରମରେ ରାଜ୍ୟର ସମସ୍ତ ଆଇନଜୀବୀମାନେ ସାମିଲ ହେବା ପାଇଁ ନିବେଦନ କରାଯାଇଛି ବୋଲି ହାଇକୋର୍ଟ ବାର ଆସୋସିଏସନ ସମ୍ପାଦକ ସତ୍ୟବ୍ରତ ମହାନ୍ତି ସୂଚନା ଦେଇଛନ୍ତି। ଦୋଷୀ ପୁଲିସ କର୍ମଚାରୀଙ୍କୁ ଗିରଫ କରାନଯିବା ପର୍ଯ୍ୟନ୍ତ ଏହି ଆନ୍ଦୋଳନକୁ ଆହୁରି ବ୍ୟାପକ କରାଯିବ ବୋଲି ହାଇକୋର୍ଟ ବାର ଆସୋସିଏସନ ସଭାପତି ଶ୍ରୀକାନ୍ତ କୁମାର ନାୟକ ସୂଚନା ଦେଇଛନ୍ତି।
Popular Categories



