ଆବାସ ଯୋଜନାରୁ ବଞ୍ଚିତ ଫୁଲମତି

ଲଡୁଗାଁ: ଗରିବ ବାସହୀନ ଲୋକଙ୍କ ଥଇଥାନ ପାଇଁ ସରକାର ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା କରୁଛନ୍ତି । ଏସବୁ ସତ୍ତ୍ୱେ ସାଧାରଣ ପରିବାର ଆବାସ ଯୋଜନାରୁ ବଞ୍ଚିତ ହେଉଛନ୍ତି । କଳାହାଣ୍ଡି ଜିଲା କୋକସରା ବ୍ଲକ ମହିମା ପଞ୍ଚାୟତ ମହିମା ଗାଁରେ ରୁହନ୍ତି ଫୁଲମତି ନାଏକ(୭୦) । ପରିବାର କହିଲେ ସେ, ତାଙ୍କ ପୁଅ ନିଳାମ୍ବର ଓ ଦୁଇ ନାତି ନାତୁଣୀ ହେମାଙ୍ଗିନି ଓ ମୁକେଶ। ଏହିଭଳି ଚାରି ପ୍ରାଣୀ କୁଟୁମ୍ବ ଏକ ଭଙ୍ଗା ଦଦରା ଘରେ ରୁହନ୍ତି। ସରକାରୀ ଯୋଜନା କେତେ ଦୂର କାର୍ଯ୍ୟକାରୀ ହେଉଛି ତାହା ଫୁଲମତିଙ୍କ ଘର ଦୃଶ୍ୟ ହିଁ ବୟାନ କରୁଛି । ଛିଣ୍ଡା ପଲିଥିନ ଓ ଭଙ୍ଗା ମାଟି କାନ୍ଥ ତଳେ ବିତୁଛି ଏହି ବୃଦ୍ଧାଙ୍କ ଜୀବନ ।

prayash

ଲୁହରେ ଆଖି ଦୁଇଟି ଛଳଛଳ ହୋଇଯାଉଛି। ଚର୍ମ ଧୁରୁଡ଼ି ଗଲାଣି । ଅଣ୍ଟା ନଇଁଗଲାଣି। କଥା ମଧ୍ୟ ଠିକ୍‌ରେ କହିପାରୁନାହାନ୍ତି । ତଥାପି ସମସ୍ତଙ୍କ ପେଟ ଭରିବା ପାଇଁ ଚୁଲି ମୁଣ୍ଡ ଛାଡ଼ି ନାହାନ୍ତି। ନିଜ ପୁଅ ଓ ନାତି ନାତୁଣୀ ପାଇଁ ଚିନ୍ତା କରି ଖାଇବା ରାନ୍ଧୁଛନ୍ତି । ଏହି ବୃଦ୍ଧା ଜଣକ ଖରା, ବର୍ଷା, ଶୀତ, କାକରରେ ଏହି ଭଙ୍ଗା ଦଦରା ଘରେ ପଡ଼ି ରହିଛନ୍ତି । ଘରର ମାଟି କାନ୍ଥ ଫାଟି ଆଁ କରିଥିବା ବେଳେ ଏହି ଘର ଭିତରେ ଦିନରେ ଖରା ଓ ରାତିରେ ଜହ୍ନ ଦେଖାଯାଉଛି । ଆଉ ବର୍ଷା ଓ ଖରାଦିନ କଥା ନ କହିଲେ ଭଲ । ସରକାର କରିଥିବା ମାଳମାଳ ଯୋଜନା ତାଙ୍କ ପାଇଁ ଯେମିତି ସାତ ସପନ । ଫୁଲମତି ଓ ତାଙ୍କ ପୁଅ ନୀଳାମ୍ବର ନିଜ ଭାଗ୍ୟକୁ ଆଦରି ଭଙ୍ଗା ଦଦରା ଘରେ ପଡି ରହିଛନ୍ତି । ପୁଅ ନୀଳାମ୍ବର ସ୍ନାତକ ହାସଲ କରି ଏବେ ବେକାର। ସରକାରୀ ଘରଖଣ୍ଡେ ପାଇଁ ଫୁଲମତିଙ୍କ ପୁଅ ନୀଳାମ୍ବର ଦୀର୍ଘଦିନ ହେବ ପଞ୍ଚାୟତରୁ ବ୍ଲକ ଯାଏ ଧାଇଁ ଧାଇଁ ନୟାନ୍ତ ହେଲେ ବି ଫଳ ଶୂନ । ଇତି ମଧ୍ୟରେ ନୀଳାମ୍ବର ନିଜ ପିଲାମାନଙ୍କୁ ପାଠ ପଢ଼ାଇବା ପାଇଁ ମଧ୍ୟ ସକ୍ଷମ ନୁହନ୍ତି, ଘର ତିଆରି କରିବେ ବା କେମିତି ? ତେବେ ଆଜକୁ ପ୍ରାୟ ୨୦ ବର୍ଷ ହେଲା ଏଭଳି ଦୟନୀୟ କୁଡ଼ିଆରେ ବସବାସ କରିଆସୁଥିଲେ ସୁଦ୍ଧା ଫୁଲମତିଙ୍କ ଉପରେ ସରକାର କିମ୍ବା ସ୍ଥାନୀୟ ପ୍ରଶାସନର ଦୃଷ୍ଟି ପଡ଼ିନାହିଁ । ଧର୍ମକୁ ଆଖି ଠାର ମାରିବା ସଦୃଶ ଏହି ପଞ୍ଚାୟତରେ ସରକାରୀ କର୍ମଚାରୀଙ୍କ ତ୍ରୁଟିପୂର୍ଣ୍ଣ କାମ ଯୋଗୁଁ ବହୁ ଯୋଗ୍ୟ ହିତାଧିକାରୀ ଆବାସ ଯୋଜନାରୁ ବଞ୍ଚିତ ହେଉଛନ୍ତି । ଏହା ବ୍ୟତୀତ ଏଠାକାର ପଞ୍ଚାୟତ ପ୍ରତିନିଧିଙ୍କ କଥା ନ କହିବା ଭଲ । ପୁଣି ଜଣେ ଦଲାଲ ତଥା ପଞ୍ଚାୟତରେ ମନରେଗା କାମ କରୁଥିବା ମଦ୍ୟପ ଠିକାଦାର ଓ ଜିଓଟେଗ ଭାବରେ କାର୍ଯ୍ୟରତ କର୍ମଚାରୀ ଏଠି ବିଭିନ୍ନ କାମ କରାଇଦେବା ବାହାନାରେ ଟଙ୍କା ମାଗିବା ଓ ନିମ୍ନ ମାନର କାର୍ଯ୍ୟ କରୁଥିବା ଲୋକେ ଅଭିଯୋଗ କରିଛନ୍ତି । ଏହାସହ ଉକ୍ତ ପଞ୍ଚାୟତ ସ୍ଥିତି ସମ୍ପୂର୍ଣ୍ଣ ବେହଲ ବୋଲି ପଞ୍ଚାୟତ ଜନସାଧାରଣ ଅଭିଯୋଗ କରିଛନ୍ତି । ପୂର୍ବରୁ ଗାଁରେ କିଛି ହାତଗଣତି ପରିବାରକୁ ପ୍ରଧାନମନ୍ତ୍ରୀ ଆବାସ ଖଣ୍ଡିଏ ଲେଖାଁଏ ଦେଇ ସ୍ଥାନୀୟ ପ୍ରଶାସନ ନିଜ ଦାୟିତ୍ୱ ସାରି ଦେଇଛନ୍ତି । ହେଲେ ପ୍ରକୃତ ହିତାଧିକାରୀ ପାଖରେ ଏ ପର୍ଯ୍ୟନ୍ତ ରହିବା ଉପଯୋଗୀ ଘର ଖଣ୍ଡିଏ ନାହିଁ । ଫୁଲମତି ଖରା ବର୍ଷା ଓ ଝଡ ତୋଫାନରେ ଅତ୍ୟନ୍ତ ଦୟନୀୟ ଭାବେ ନିଜ ଦଦରା କୁଡ଼ିଆରେ ଦିନ କାଟି ଆସୁଛନ୍ତି । ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ସଫଳତା ନେଇ ପ୍ରଶାସନିକ ସ୍ତରରେ ଜୋରସୋର ପ୍ରଚାର ଚାଲିଛି । ହେଲେ ଫୁଲମତିଙ୍କ ସ୍ଥିତି ଦେଖିଲେ ଏହା ହିଁ ପଞ୍ଚାୟତରେ କାର୍ଯ୍ୟକାରୀ ହେଉଥିବା ଆବାସ ଯୋଜନାର ଯେ ନିଷ୍ଠୁର ବାସ୍ତବତା, ଏ କଥାକୁ ଅସ୍ବୀକାର କରିହେବ ନାହିଁ । ଉକ୍ତ ପଞ୍ଚାୟତ ସରପଞ୍ଚ ଓ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ କୌଣସି ଉତ୍ତର ମିଳିପାରି ନାହିଁ ।

Comments are closed.