କୁର୍କୁରେ ତଣ୍ଟିରେ ଲାଗି କଲେଜ ଛାତ୍ରୀଙ୍କ ମୃତ୍ୟୁ
ଝାରସୁଗୁଡ଼ା : ଏକ ଅଭାବନୀୟ ଘଟଣା କ୍ରମରେ ଝାରସୁଗୁଡ଼ା ଜିଲା ବେଲପାହାଡ଼ ସହରରେ ଜଣେ କଲେଜ ଛାତ୍ରୀ କୁର୍କୁରେ ଖାଉଥିବା ବେଳେ ତଣ୍ଟିରେ ଲାଗିବାରୁ ମୃତ୍ୟୁ ଘଟିଛି । ବେଲପାହାଡ଼ ଫାଟକରେ ରହୁଥିବା ସରୋଜ କୁମାର ରାୟଙ୍କ ୧୬ ବର୍ଷର ଝିଅ ସୁଚିତ୍ରା ରାୟଙ୍କର କୁର୍କୁରେ ଖାଉଥିବା ବେଳେ ମୃତ୍ୟୁ ଘଟିଛି । ବ୍ରଜରାଜନଗର କଲେଜରେ ଯୁକ୍ତ ଦୁଇରେ ପାଠ ପଢ଼ୁଥିବା ସୁଚିତ୍ରା ଶନିବାର ଅପରାହ୍ନରେ ଘରେ ଖଟରେ ଶୋଇ ମୋବାଇଲରେ ଭିଡ଼ିଓ ଦେଖି ଦେଖି କୁର୍କୁରେ ଖାଉଥିବା ସମୟରେ ହଠାତ ତାଙ୍କ ତଣ୍ଡିରେ ଲାଗିଯାଇଥିଲା । କାଶି କାଶି ଅଚେତ ଅବସ୍ଥାରେ ପରିବାର ଲୋକେ ବେଲପାହାଡ଼ସ୍ଥ ଟିଆରଏଲ ହସପିଟାଲକୁ ନେଇ ଯାଇଥିବାବେଳେ ଡ଼ାକ୍ତର ସେଠାରେ ସୁଚିତ୍ରାଙ୍କୁ ମୃତ ଘୋଷଣା କରିଥିଲେ । ଏହି ଘଟଣା ସମସ୍ତଙ୍କୁ ବିସ୍ମିତ କରିଥିବା ବେଳେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି।