ଭୁବନେଶ୍ବର: ଖାଦ୍ୟ ସୁରକ୍ଷା ଯୋଜନାରେ ରେସନ କାର୍ଡ ହିତାଧିକାରୀଙ୍କୁ ରାଜ୍ୟ ସରକାର ମୁଣ୍ଡପିଛା ଅତିରିକ୍ତ ୫କେଜି ଚାଉଳ ପ୍ରଦାନ କରିବାକୁ ଚିନ୍ତା କରୁଛନ୍ତି। ଏ ସଂକ୍ରାନ୍ତରେ ବୁଧବାର ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି। ମନ୍ତ୍ରୀଙ୍କ ଏହି ପ୍ରତିକ୍ରିୟାକୁ ନେଇ ରାଜନୀତି ଆରମ୍ଭ ହୋଇଛି। ରାଜ୍ୟରେ ଡବଲ ଇଞ୍ଜିନ ସରକାର ଥିବାବେଳେ ରାଜ୍ୟ କଥା କେନ୍ଦ୍ର ଶୁଣୁ ନାହିଁ ବୋଲି କହି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛି ବିଜେଡି। ଅନ୍ୟପଟେ କଂଗ୍ରେସ କହିଛି, ମନ୍ତ୍ରୀଙ୍କ ଘୋଷଣା ଏବଂ କାର୍ଯ୍ୟରେ ତାଳମେଳ ରହୁନାହିଁ।
ମନ୍ତ୍ରୀ ଶ୍ରୀ ପାତ୍ର ଗଣମାଧ୍ୟମକୁ କହିଥିଲେ, ରେସନ କାର୍ଡ ହିତାଧିକାରୀଙ୍କୁ ମିଳୁଥିବା ୫କେଜି ଚାଉଳ ଯଥେଷ୍ଟ ହେଉନାହିଁ। ଅନେକ ସମୟରେ ଚାଉଳ ପରିମାଣ ବୃଦ୍ଧି କରିବାକୁ ହିତାଧିକାରୀ ମାନେ ଦାବି କରୁଛନ୍ତି। ତେଣୁ ଗରିବ ଲୋକଙ୍କ ହିତ ଦୃଷ୍ଟିରୁ ରାଜ୍ୟ ସରକାର ଅତିରିକ୍ତ ୫କେଜି ଚାଉଳ ପ୍ରଦାନ କରିବାକୁ ଚିନ୍ତା କରୁଛନ୍ତି। ଏ ସମ୍ବନ୍ଧୀୟ ଫାଇଲ ବିଭାଗ ପକ୍ଷରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ କାର୍ଯ୍ୟାଳୟକୁ ଦିଆଯିବ। ମୁଖ୍ୟମନ୍ତ୍ରୀ ଅନୁମୋଦନ କଲେ ଆଗକୁ ରେସନ କାର୍ଡ ହିତାଧିକାରୀଙ୍କୁ ୧୦ କେଜି ଚାଉଳ ମିଳିବ। ରେସନ କାର୍ଡ ଥିବା ପ୍ରାୟ ୩ କୋଟି ୨୫ଲକ୍ଷ ହିତାଧିକାରୀଙ୍କୁ ଏହାଦ୍ବାରା ଉପକୃତ ହେବେ।
ଗତ ବିଧାନସଭା ମୌସୁମି ଅଧିବେଶନରେ ବଳକା ଚାଉଳ କୁଆଡ଼େ ଗଲା ବୋଲି ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟ ଏବଂ ଉପମୁଖ୍ୟ ସଚେତକ ପ୍ରତାପ କେଶରୀ ଦେବ ପ୍ରଶ୍ନ କରିଥିଲେ। ଗୃହରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଶ୍ରୀ ପାତ୍ର କହିଥିଲେ, ସରକାର ରବି ଋତୁରେ ୯୩ଲକ୍ଷ ଟନ୍ ଧାନ କିଣିଥିଲେ। ଏହି ଧାନରୁ ୬୩ ଲକ୍ଷ ଟନ୍ ଚାଉଳ ଉତ୍ପାଦନ ହୋଇଥିବା ବେଳେ ଏଫସିଆଇ ନେବା ଏବଂ ପିଡିଏସ ବଣ୍ଟନରେ ୫୦ଲକ୍ଷ ଟନ୍ ଚାଉଳ ଖର୍ଚ୍ଚ ହେଉଛି। ବଳକା ୧୩ଲକ୍ଷ ଟନ୍ ଚାଉଳ ରାଜ୍ୟ ସରକାରଙ୍କ ପାଖରେ ରହିଛି। ଯଦି ଏଫସିଆଇ ଚାଉଳ ନେବ ନାହିଁ ତେବେ ରାଜ୍ୟ ସରକାର ଟେଣ୍ଡର କରି ଚାଉଳ ବିକ୍ରି କରିବାକୁ ଯୋଜନା କରୁଛନ୍ତି ବୋଲି ମନ୍ତ୍ରୀ କହିଥିଲେ। କିନ୍ତୁ ସରକାର ବଳକା ଚାଉଳକୁ ବିକ୍ରି ନକରି ରାଜ୍ୟ ସରକାର ନିଜସ୍ବ ବଳରେ ପ୍ରତି ରେସନ କାର୍ଡ ହିତାଧିକାରୀଙ୍କୁ ଦେବାକୁ ନିଷ୍ପତ୍ତି ନେଉଥିବା କୁହାଯାଉଛି।
ଯଦି ସମସ୍ତ ହିତାଧିକାରୀଙ୍କୁ ମୁଣ୍ଡପିଛା ଅତିରିକ୍ତ ୫କେଜି ଲେଖାଏଁ ଚାଉଳ ଦିଆଯାଏ ତେବେ ଏବାବଦରେ ୧୬.୨୫ଲକ୍ଷ କୁଇଣ୍ଟାଲ ଚାଉଳ ଆବଶ୍ୟକତା ପଡ଼ିବ। ରାଜ୍ୟ ସରକାରଙ୍କ ପାଖରେ ୧୩ଲକ୍ଷ ଟନ୍ ବଳକା ଚାଉଳ ରହିଛି। ଅବଶିଷ୍ଟ ୩ଲକ୍ଷ ଟନ୍ ଚାଉଳ କେଉଁଠୁ ଆସିବ ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ପ୍ରତି ହିତାଧିକାରୀଙ୍କୁ ଅତିରିକ୍ତ ୫କେଜି ଲେଖାଏଁ ଚାଉଳ ଦିଆଯିବାକୁ ନେଇ ରାଜନୀତି ଆରମ୍ଭ ହୋଇଛି। ବିଜେଡି ନେତା ଅତନୁ ସବ୍ୟସାଚୀ ନାୟକ କହିଛନ୍ତି, ଡବଲ ଇଞ୍ଜିନ ସରକାରରେ ଲୋକେ ହଇରାଣ ହେଉଛନ୍ତି। ରାଜ୍ୟ କଥା କେନ୍ଦ୍ର ଶୁଣୁ ନାହିଁ କି ଏଫସିଆଇ ଚାଉଳ ଉଠାଉ ନାହିଁ। ଗରିବ ଲୋକଙ୍କୁ ଚାଉଳ ନଦେବା ପାଇଁ ସରକାର ଭୟର ବାତାବରଣ ସୃଷ୍ଟି କରୁଛନ୍ତି। ରେସନ କାର୍ଡ କାଟିବାକୁ ସରକାର ପାଲା ଲଗାଇଛନ୍ତି। କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ କହିଛନ୍ତି, ଖାଦ୍ୟ ଯୋଗାଣ ଓ ଖାଉଟି ସୁରକ୍ଷା ମନ୍ତ୍ରୀ କହୁଥିବା କଥା କେବେ ହେଲେ କାର୍ଯ୍ୟକାରୀ ହେଉନାହିଁ। ଉତ୍ତର ପ୍ରଦେଶରୁ ରେଳରେ ଆଳୁ ଆସୁଛି ବୋଲି କହିଥିଲେ। ସେ ଆଳୁ ବୋଝେଇ ରେଳ ଏପର୍ଯ୍ୟନ୍ତ ଓଡ଼ିଶାରେ ପହଞ୍ଚିଲା ନାହିଁ। ହିତାଧିକାରୀଙ୍କୁ ମୁଣ୍ଡପିଛା ଅତିରିକ୍ତ ୫କେଜି ଚାଉଳ ଦିଆଯିବା କଥା କେବଳ ଧୂଆଁବାଣ। କେନ୍ଦ୍ର ପାଖରେ ୮ ହଜାର କୋଟି ଟଙ୍କା ବାକି ପଡ଼ିଛି ସେ ଟଙ୍କା ରାଜ୍ୟ ସରକାର ଆଗ ମାଗି ଆଣନ୍ତୁ।



