ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ତାରକା ବିରାଟ କୋହଲି ଦେଶର ସବୁଠାରୁ ମୂଲ୍ୟବାନ ସେଲିବ୍ରିଟି ଓ ପ୍ରସିଦ୍ଧ ବ୍ୟକ୍ତି ହୋଇ ପାରିଛନ୍ତି। ଏହି କ୍ରମରେ ବଲିଉଡର ଦୁଇ ସୁପରଷ୍ଟାର ଶାହରୁଖ ଖାଁ ଓ ରଣବୀର ସିଂହଙ୍କୁ ପଛରେ ପକାଇ ଦେଇଛନ୍ତି। ୨୦୨୩ ବର୍ଷ ପାଇଁ କ୍ରୋଲ୍ଙ୍କ ବ୍ରାଣ୍ଡ୍ ମୂଲ୍ୟାୟନ ରିପୋର୍ଟ ଅନୁସାରେ କୋହଲିଙ୍କ ବ୍ରାଣ୍ଡ୍ ମୂଲ୍ୟରେ ୨୯ ପ୍ରତିଶତ ବୃଦ୍ଧି ଘଟିଛି। ଉକ୍ତ ରିପୋର୍ଟ ଅନୁସାରେ କୋହଲିଙ୍କ ବ୍ରାଣ୍ଡ୍ ମୂଲ୍ୟ ୨୨୭.୯ ନିୟୁତ ଆମେରିକୀୟ ଡଲାର (ଭାରତୀୟ ମୁଦ୍ରାରେ ୧୯୦୬ କୋଟି ଟଙ୍କା)। ଫଳରେ କୋହଲି ଦେଶର ସବୁଠାରୁ ମୂଲ୍ୟବାନ ସେଲିବ୍ରିଟି ମାନ୍ୟତା ହାସଲ କରିଛନ୍ତି। ତେବେ ୨୦୨୦ରେ କୋହଲିଙ୍କ ବ୍ରାଣ୍ଡ୍ ମୂଲ୍ୟ ୨୩୭.୭ ନିୟୁତ ଡଲାର (୧୯୮୮ କୋଟି ଟଙ୍କା) ଥିଲା। ବିଭିନ୍ନ ସାମଗ୍ରୀ ବା ବ୍ରାଣ୍ଡ୍ର ପ୍ରଚାର ଓ ବିଜ୍ଞାପନ କରିବା ଅନୁସାରେ ଏହି ବିଶିଷ୍ଟ ବ୍ୟକ୍ତିଙ୍କ ବ୍ରାଣ୍ଡ୍ ମୂଲ୍ୟ ହିସାବକୁ ନିଆ ଯାଇଥାଏ।
ଏହା ଅନୁସାରେ, ଦେଶର ଶୀର୍ଷ ୨୦ ସେଲିବ୍ରିଟିଙ୍କ ବ୍ରାଣ୍ଡ୍ ମୂଲ୍ୟରେ ୧୪.୨% ବୃଦ୍ଧିଘଟିଛି। ଏବେ ବିଜ୍ଞାପନ ଦୁନିଆରେ କୋହଲିଙ୍କର ସର୍ବାଧିକ ଚାହିଦା ରହିଛି। କୋହଲିଙ୍କ ବ୍ରାଣ୍ଡମୂଲ୍ୟରେ ବୃଦ୍ଧିହେବା ଯୋଗୁଁ ବଲିଉଡ୍ ତାରକା ରଣବୀର ସିଂହଙ୍କ ବ୍ରାଣ୍ଡ୍ ମୂଲ୍ୟ ୨ୟ ସ୍ଥାନକୁ ଖସିଆସିଛି। ତଥାପି ରଣବୀରଙ୍କ ବ୍ରାଣ୍ଡ୍ ମୂଲ୍ୟରେ ବୃଦ୍ଧିହୋଇଛି। କ୍ରୋଲ୍ ରିପୋର୍ଟରେ ରଣବୀରଙ୍କ ବ୍ରାଣ୍ଡ୍ ମୂଲ୍ୟ ୨୦୩.୧ ନିୟୁତ ଡଲାର (୧୬୯୮ କୋଟି ଟଙ୍କା) ରହିଛି। ବଲିଉଡ୍ର କିଙ୍ଗ୍ ଖାନ୍ ଭାବେ ପରିଚିତ ଶାହ୍ରୁଖ୍ ଖାଁଙ୍କ ବ୍ରାଣ୍ଡ୍ ମୂଲ୍ୟରେ ମଧ୍ୟ ବୃଦ୍ଧି ଘଟିଛି। ‘ପଠାନ୍’ ଓ ‘ଜୱାନ’ ପରି ଚଳଚ୍ଚିତ୍ରର ସଫଳତା ପରେ ଶାହ୍ରୁଖଙ୍କ ବ୍ରାଣ୍ଡ୍ ମୂଲ୍ୟରେ ବୃଦ୍ଧି ଘଟିଛି। ଦେଶରେ ୩ୟ ସ୍ଥାନରେ ଥିବା ସତ୍ତ୍ବେ ଶାହ୍ରୁଖଙ୍କ ବ୍ରାଣ୍ଡ୍ ମୂଲ୍ୟ ୧୨୦.୭ ନିୟୁତ ଡଲାର (୧୦୬୨ କୋଟି ଟଙ୍କା) ରହିଛି। ୪ର୍ଥ ସ୍ଥାନରେ ଅଛନ୍ତି ଭେଟେରାନ୍ ବଲିଉଡ୍ ତାରକା ଅକ୍ଷୟ କୁମାର। ବର୍ଷକୁ ୪/୫ଟି ଫିଲ୍କ କରୁଥିବା ଅକ୍ଷୟଙ୍କ ବ୍ରାଣ୍ଡ୍ ମୂଲ୍ୟ ୧୧୧.୭ ନିୟୁତ ଡଲାର (୯୩୪ କୋଟି ଟଙ୍କା)। ବଲିଉଡ୍ର ଆଗଧାଡ଼ିର ନାୟିକା ଆଲିୟା ଭଟ୍ଟଙ୍କ ବ୍ରାଣ୍ଡ୍ ମୂଲ୍ୟ ତାଙ୍କ ପତି ରଣବୀର କପୁରଙ୍କଠାରୁ ମଧ୍ୟ ଅଧିକ। ୫ମ ସ୍ଥାନରେ ଥିବା ଆଲିୟାଙ୍କ ବ୍ରାଣ୍ଡ୍ ମୂଲ୍ୟ ୧୦୧.୧ ନିୟୁତ ଡଲାର (୮୪୫ କୋଟି ଟଙ୍କା)। ପୂର୍ବବର୍ଷ ଆଲିୟା ୪ର୍ଥ ସ୍ଥାନରେ ଥିବା ବେଳେ ୨୦୨୩ରେ ସେ ୫ମ ସ୍ଥାନକୁ ଖସି ଆସିଛନ୍ତି।
ଗାଡ଼ିରେ ଫାଷ୍ଟଟ୍ୟାଗ୍ ଲାଗିନଥିଲେ ଦୁଇଗୁଣା ଟୋଲ୍ ଆଦାୟ କରିବ ଜାତୀୟ ରାଜପଥ କର୍ତ୍ତୃପକ୍ଷ



