www.samajalive.in
Wednesday, December 10, 2025
26.1 C
Bhubaneswar

ଅସ୍ତିତ୍ୱ ହରାଇଲାଣି ଅଟ୍ରି ଉଷ୍ମ ପ୍ରସ୍ରବଣ ପ୍ରକଳ୍ପ

  • ଭୁଶୁଡ଼ିବା ଅବସ୍ଥାରେ ଉଷ୍ମ ପ୍ରସ୍ରବଣ କୁଣ୍ଡ
  •  କାମରେ ଆସୁନି ଶୌଚାଳୟ
  • ପାନୀୟ କିମ୍ବା ଶୌଚ ହେବାକୁ ପାଣି ନାହିଁ
  • ଭାଙ୍ଗି ଭୁଙ୍ଗି ଗଲାଣି ଗୁମ୍ଫା ଚେୟାର 

ଖୋର୍ଦ୍ଧା: ରାଜ୍ୟର ଏକ ପ୍ରମୁଖ ପର୍ଯ୍ୟଟନ କ୍ଷେତ୍ର ଭାବେ ଜଣାଶୁଣା ଅଟ୍ରି ଉଷ୍ମପ୍ରସ୍ରବଣ। ନିକଟରେ ଅଛନ୍ତି ଏକାଦଶ ରୁଦ୍ର ବାବା ହଟକେଶ୍ୱରଙ୍କ ମନ୍ଦିର। ଦୈନିକ ଶହଶହ ପର୍ଯ୍ୟଟକ ଅଟ୍ରି ପରିଦର୍ଶନରେ ଆସନ୍ତି। ସରକାର ପର୍ଯ୍ୟଟକଙ୍କ ଠାରୁ ଶୁଳ୍କ ଆକାରରେ ଲକ୍ଷ ଲକ୍ଷ ଟଙ୍କାର ରାଜସ୍ୱ ପାଉଛନ୍ତି; କିନ୍ତୁ ଏହି ପର୍ଯ୍ୟଟନ କ୍ଷେତ୍ରର ବିକାଶ ପାଇଁ ପର୍ଯ୍ୟଟନ ବିଭାଗ ଯତ୍ନବାନ ନ ଥିବା ଜଳଜଳ ଦିଶୁଛି। ନାନା ଅସୁବିଧା ଯୋଗୁଁ ପର୍ଯ୍ୟଟକ ନିରାଶ ହୋଇ ହୋଇଫେରୁଛନ୍ତି। ଯେଉଁ ଉଷ୍ମପ୍ରସ୍ରବଣ କୂଅରୁ ଅହୋରାତ୍ର ଗରମ ପାଣି ଫୁଟିକି ବାହାରେ ତାହା ଭୁଶୁଡିବା ଅବସ୍ଥାରେ। ନାହିଁ ସୁରକ୍ଷା ବ୍ୟବସ୍ଥା। ସମ୍ମୁଖ ପଟେ ପାଚେରି ବା ତାରବାଡ ନ ଥିବାରୁ ଯିଏ ଯେତେବେଳ ଭିତରକୁ ଯାଇପାରୁଛି। ସେହିପରି ସେଠାରେ ଜଗୁଆଳି ନିଯୁକ୍ତି କରାଯାଇନି। ପର୍ଯ୍ୟଟକଙ୍କ ପାଇଁ ୫ ଟଙ୍କା ପ୍ରବେଶ ଶୁଳ୍କ ଥିବା ବେଳେ ଆଖପାଖ ଅଞ୍ଚଳ ଲୋକ ମନଇଛା ଯାତାୟତ କରୁଛନ୍ତି। ମୁଖ୍ୟକୁଣ୍ଡରୁ ବାହାରିଥିବା ଶାଖା ଉଷ୍ମକୂପରେ ପର୍ଯ୍ୟଟକଙ୍କ ସ୍ନାନ କରିବା ପାଇଁ ବ୍ୟବସ୍ଥା ଅଛି। ମାତ୍ର ସେଠାରେ କେତେକ ଲୋକ ଲୁଗାପଟା ସଫା କରୁଥିବା ଦେଖାଯାଉଛି। ୧୦ ଏକର ପରିମିତ ଜମିରେ ଥିବା ପ୍ରକଳ୍ପ ପାଇଁ ଜଣେ ଜଗୁଆଳି, ଜଣେ ମାଳି, ଜଣେ ରୁମ ଆଟେଣ୍ଡାଣ୍ଟ ଓ ଜଣେ ସଫେଇ କର୍ମଚାରୀ ନିଯୁକ୍ତି ହୋଇଛନ୍ତି। ଏହି ୪ ଜଣ ପାଳି କରି କାର୍ଯ୍ୟ ନିର୍ବାହ କରୁଛନ୍ତି। ଜଣେ ଲୋକ ଦାୟିତ୍ୱରେ ରହୁଥିବା ବେଳେ ସ୍ଥାନୀୟ ଲୋକ ଧମକେଇ ଭିତରେ ପଶୁଛନ୍ତି। ପାଣି ନଥିବାରୁ ସେଠାରେ ଥିବା ଶୌଚାଳୟଗୁଡିକ ପର୍ଯ୍ୟଟକଙ୍କ କାମରେ ଆସୁନି। କେତେକ ଶୌଚାଳୟ ଭିତରେ ମଳ ପଡ଼ିଥିଲେ ବି ସଫା ହେଉନି। ଭିତରେ ଥିବା ଓଭର ହେଡ ପାଣିଟାଙ୍କି ଭାଙ୍ଗି ଯାଇଛି। ଆଉ ଦୁଇଟା ସିନ୍‌ଟେକ୍ସ ଟାଙ୍କି ଏକ ଘର ଉପରେ ଥୁଆ ହୋଇଛି। ଟ୍ୟାପ ବ୍ୟବସ୍ଥା ଥିଲେ ମଧ୍ୟ ପିଇବା ପାଣି ବ୍ୟବସ୍ଥା ନାହିଁ। ବର୍ଷକୁ କେବଳ ମକର ମେଳା ସମୟରେ ୧୦ ଦିନ ପାଇଁ ପାଇପରେ ପାଣି ଆସୁଛି। ଅବଶିଷ୍ଟ ସମୟ ପାଣି ଆସେନି। ଜଣେ ଲୋକ ନିଜର ଚାକିରି ଦାବି କରି ପାଣି ଛାଡୁ ନ ଥିବା ଅଭିଯୋଗ ହେଉଛି।


ଏହି ପ୍ରକଳ୍ପ ପାଇଁ ୧୯୭୭-୭୮ମସିହାରେ ୮ ଏକର ଜମି କିଣାଯାଇଥିଲା ତାହା ଅଦ୍ୟାବଧି ରେକର୍ଡ ସଂଶୋଧନ ହୋଇପାରିନି। ନିଜ ନାମରେ ପଟ୍ଟା କରାଯାଇନି। ପର୍ଯ୍ୟଟକଙ୍କ ରହଣି ପାଇଁ ଥିବା ପାନ୍ଥନିବାସରେ ୪ଟା ଡବଲ ବେଡରୁମ ଓ ଦୁଇଟି ଡ଼ରମେଟୋରୀ ରହିଛି। ପାଣି ନ ଥିବାରୁ କେହି ରହୁନାହାନ୍ତି। କେତେକ ଝରକା ଭାଙ୍ଗିରୁଜି ଗଲାଣି। ସେହିପରି କାନ୍ଥଗୁଡିକରୁ ପଲସ୍ତରା ଛାଡିଗଲାଣି। ପରିସର ଭିତର ଅପରିଚ୍ଛନ୍ନ ହୋଇପଡ଼ିଛି। ଜଳ ନିଷ୍କାସନ ହେଉଥିବା ବନ୍ଧରୁ ପଥର ଭୁଶୁଡିବା ଅବସ୍ଥାରେ ରହିଛି। ବନ୍ଧରେ ଗୁମ୍ଫା କରାଯାଇ ପର୍ଯ୍ୟଟକ ବସିବା ପାଇଁ ପଥର ଚେୟାର ପକାଯାଇଥିଲା। ଗୁମ୍ଫାଗୁଡିକ ଭାଙ୍ଗି ଗଲାଣି। ଛୋଟପିଲା ଖେଳିବା ପାଇଁ ଥିବା ଦୋଳି ଗୁଡିକରୁ ଅଧା ଛିଣ୍ଡିଗଲାଣି। ପୂଜକମାନେ ବସିବା ପାଇଁ ଘର ନାହିଁ। ଏକ ଝାଟିମାଟି ଛାମୁଣ୍ଡିଆରେ ପୂଜକମାନେ ବିଶ୍ରାମ ନେଉଛନ୍ତି। ଏନେଇ ଖୋର୍ଦ୍ଧା ଜିଲା ପର୍ଯ୍ୟଟନ ଅଧିକାରୀ ମୀରାବାଇ ବେହେରାଙ୍କୁ ପଚାରିବାରୁ ଅଭାବ ଅସୁବିଧା ସମ୍ପର୍କରେ ଆମେ ବିଭାଗକୁ ଲେଖିଛୁ। ଏବେ ଉନ୍ନୟନ କାମ ପାଇଁ ୨୦ଲକ୍ଷ ଟଙ୍କା ମଞ୍ଜୁର ହୋଇଛି। ଉକ୍ତ କାର୍ଯ୍ୟ ଗ୍ରାମ୍ୟ ଉନ୍ନୟନ ସଂସ୍ଥା ଦ୍ୱାରା ପାଚେରି ନିର୍ମାଣ ପ୍ରସ୍ତାବ ରହିଛି।

Hot this week

ଭକ୍ତଙ୍କ ନେତୃତ୍ୱକୁ ମୋକିମଙ୍କ ଖୋଲା ଚ୍ୟାଲେଞ୍ଜ: ସୋନିଆଙ୍କୁ ଲେଖିଲେ ଚିଠି

ସମାଜ ଡିଜିଟାଲ ଡେସ୍କ: ପିସିସି ସଭାପତି ଭକ୍ତ ଦାସଙ୍କ ନେତୃତ୍ୱକୁ ନେଇ...

ଭଏସ୍‌ ମେସେଜ ନୁହେଁ , ଡାଇରେକ୍ଟ ଭିଡିଓ କଲ : ଗିରଫ ହେଲେ ରସିକିଆ କଲେଜ ଅଧ୍ୟକ୍ଷ

ବୋଲଗଡ: ଅଧ୍ୟାପିକାଙ୍କୁ ପ୍ରେମ ନିବେଦନ କରି ଫସିଲେ କଲେଜ ଅଧ୍ୟକ୍ଷ ।...

ଟ୍ରିବ୍ୟୁନାଲ ଯିବା ଭୁଲ ଥିଲା, ରାଜନୈତିକ ସମାଧାନ ହେଲେ ମହାନଦୀ ଜଳ ବିବାଦ ତୁଟିବ କହିଲେ ଜୟନାରାୟଣ

ସମାଜ ଡିଜିଟାଲ ଡେସ୍କ: ମହାନଦୀ ଜଳ ବିବାଦ ପ୍ରସଙ୍ଗରେ କମିଟି ସଦସ୍ୟ...

ଏସଆଇ ଜାଲିଆତି ମାମଲା: ସିବିଆଇର ରିମାଣ୍ଡ ଆବେଦନ

ସମାଜ ଡିଜିଟାଲ ଡେସ୍କ: ବହୁ ଚର୍ଚ୍ଚିତ ପୁଲିସ ଏସଆଇ ଜାଲିଆତି ମାମଲାରେ...

ୟୁନେସ୍କୋ ତାଲିକାରେ ଦୀପାବଳି

ନୂଆଦିଲ୍ଲୀ : ଭାରତର ସର୍ବବୃହତ ସାଂସ୍କୃତିକ ଉତ୍ସବ, ଦୀପାବଳିକୁ ୟୁନେସ୍କୋରେ ସାମିଲ...

Related Articles

Popular Categories