ପୁରୀ : କାର୍ତ୍ତିକ ବ୍ରତ ଆରମ୍ଭରୁ ଶ୍ରୀଜଗନ୍ନାଥ ମନ୍ଦିରରେ ଦେଖା ଦେଇଛି ବିଭ୍ରାଟ। ସୋମବାର ୪ଘଣ୍ଟା ବିଳମ୍ବରେ ଭୋଗମଣ୍ଡପ ନୀତି ଶେଷ ହୋଇଛି। ଏଥିଯାଗୁଁ ହଜାର ହଜାର ଭକ୍ତ ବାସି ଅବଢ଼ା ଖାଇ ଫେରିଛନ୍ତି। ନିର୍ଦ୍ଧାରିତ ସମୟଠାରୁ ଚାରିରୁ ପାଞ୍ଚଘଣ୍ଟା ବିଳମ୍ବରେ ମହାପ୍ରଭୁଙ୍କ ନୀତିକାନ୍ତି ସମ୍ପନ୍ନ ହୋଇଛି। ବିଳମ୍ବରେ ବରାଦି ମହାପ୍ରସାଦ ମିଳିବାରୁ ଦିନ ତମାମ ଉପବାସ ରହି ହବିଷ ବ୍ରତ ପାଳନ କରିଥିବା ଶ୍ରଦ୍ଧାଳୁ କଲବଲ ହୋଇଛନ୍ତି। ଶ୍ରୀମନ୍ଦିର ନୀତି ସବ୍କମିଟି ଏବଂ ପରିଚାଳନା କମିଟି ବୈଠକରେ ଗୃହୀତ ନିଷ୍ପତ୍ତି କାର୍ଯ୍ୟକାରୀ ହୋଇପାରି ନାହିଁ। ଏଥିଯୋଗୁଁ ଶ୍ରୀଜଗନ୍ନାଥପ୍ରେମୀ ଭକ୍ତଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖିବାକୁ ମିଳିଛି।
ସୋମବାରଠାରୁ କାର୍ତ୍ତିକ ବ୍ରତ ଆରମ୍ଭ କରିଛନ୍ତି ହଜାର ହଜାର ବୃଦ୍ଧା। ଏଥିପାଇଁ ଶ୍ରୀକ୍ଷେତ୍ରରେ ପ୍ରାୟ ୧୦ହଜାର ହବିଷ୍ୟାଳିଙ୍କ ସମାଗମ ହୋଇଛି। ସେଥିରୁ ୩ହଜାର ଲୋକଙ୍କୁ ରାଜ୍ୟ ସରକାର ମାଗଣାରେ କୋଠରି ଏବଂ ମହାପ୍ରସାଦ ଯୋଗାଇ ଦେଉଛନ୍ତି। ଅନ୍ୟ ହବିଷ୍ୟାଳିମାନେ ବିଭିନ୍ନ ଲଜିଂ, ଧର୍ମଶାଳା, ମଠ ଏବଂ ସମ୍ପର୍କୀୟଙ୍କ ଘରେ ରହି କାର୍ତ୍ତିକ ବ୍ରତ ପାଳନ କରୁଛନ୍ତି। ହବିଷ୍ୟାଳିମାନେ ସନ୍ଧ୍ୟା ପୂର୍ବରୁ ଦିନକୁ ଗୋଟିଏ ଥର ମହାପ୍ରସାଦ ଭୋଜନ କରି କାର୍ତ୍ତିକ ବ୍ରତ ପାଳନ କରନ୍ତି। ତାକୁ ଦୃଷ୍ଟିରେ ରଖି ଦିନ ୧୨ଟା ସୁଦ୍ଧା ଭୋଗମଣ୍ଡପ ନୀତି ଶେଷ କରାଯିବାକୁ ଗତ ୨୭ତାରିଖରେ ଅନୁଷ୍ଠିତ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ସ୍ଥିର କରାଯାଇଥିଲା। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଶ୍ରୀଜୀଉଙ୍କ କାର୍ତ୍ତିକ ମାସ ନୀତିନିର୍ଘଣ୍ଟ ପ୍ରସ୍ତୁତ କରାଯାଇଛି। ଶ୍ରୀକ୍ଷେତ୍ରରେ ଅଧିକାଂଶ ହବିଷ୍ୟାଳି ମହାପ୍ରସାଦ ଉପରେ ନିର୍ଭର କରୁଥିବାରୁ ଦିନ ୧୨ଟା ସୁଦ୍ଧା ଭୋଗମଣ୍ଡପ ଶେଷକରି ବରାଦି ମହାପ୍ରସାଦ ଯୋଗାଇବାକୁ ମନ୍ଦିର ପ୍ରଶାସନ ନିଷ୍ପତ୍ତି ଗ୍ରହଣ କରିଛି। ତେବେ କାର୍ତ୍ତିକ ଆରମ୍ଭରୁ ଏହି ନିଷ୍ପତ୍ତି କାର୍ଯ୍ୟକାରୀ ହୋଇପାରି ନାହିଁ। ସୋମବାର
ସକାଳ ୫ଟା ପରିବର୍ତ୍ତେ ୨ଘଣ୍ଟା ବିଳମ୍ବରେ ୭ଟାରେ ଶ୍ରୀଜୀଉଙ୍କ ମଙ୍ଗଳ ଆଳତି ଅନୁଷ୍ଠିତ ହୋଇଛି। ନିର୍ଦ୍ଧାରିତ ସମୟଠାରୁ ୩ଘଣ୍ଟା ବିଳମ୍ବରେ ଦିନ ୯ଟା ୩୦ରେ ମହାପ୍ରଭୁଙ୍କୁ ରାଧାଦାମୋଦର ବେଶ କରାଯାଇଛି। ଦିନ ୨ଟାରେ ବାଳଧୂପ ଶେଷ ହୋଇଥିବା ବେଳେ ଅପରାହ୍ଣ ୪ଟା ୫ରୁ ୪ଟା ୧୫ ମଧ୍ୟରେ ଭୋଗମଣ୍ଡପ ଅନୁଷ୍ଠିତ ହୋଇଛି। ଅତ୍ୟଧିକ ବରାଦୀ ମହାପ୍ରସାଦ ପ୍ରସ୍ତୁତି ଏବଂ ଭୋଗ ଯୋଗୁଁ ଅପରାହ୍ଣ ପ୍ରାୟ ୫ଟାରେ ଭକ୍ତଙ୍କୁ ମହାପ୍ରସାଦ ମିଳିଛି।
ସେହିପରି ଶ୍ରୀଜୀଉଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିର ନାଟ ମଣ୍ଡପ ଏବଂ ଜଗମୋହନରେ ଭକ୍ତଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି। ସେସବୁ ସ୍ଥାନରେ ଦଳାଚକଟା ପରିସ୍ଥିତି ସୃଷ୍ଟି ହୋଇଛି। ସୋମବାର ଅପରାହ୍ଣ ୪ଟା ପର୍ଯ୍ୟନ୍ତ ଆନନ୍ଦ ବଜାରରେ ବାସି ମହାପ୍ରସାଦ ବିକ୍ରି ହୋଇଛି। ଦୂରଦୂରାନ୍ତରୁ ଆସିଥିବା ବହୁ ଭକ୍ତ ବାସି ମହାପ୍ରସାଦ କିଣୁଥିବା ଦେଖିବାକୁ ମିଳିଛି। ନିର୍ଦ୍ଧାରିତ ସମୟରେ ମହାପ୍ରଭୁଙ୍କ କାର୍ତ୍ତିକ ନୀତିକାନ୍ତି କରାଯିବା ସହ ଦିନ ୧୨ଟା ସୁଦ୍ଧା ଭୋଗମଣ୍ଡପ ନୀତି ଶେଷ କରାଯାଇ ଭକ୍ତଙ୍କୁ ବରାଦି ମହାପ୍ରସାଦ ଯୋଗାଇ ଦିଆଯିବାକୁ ଦାବି ହେଉଛି।
କାର୍ତ୍ତିକବ୍ରତ ଆରମ୍ଭରୁ ବିଭ୍ରାଟ
Popular Categories



