ମୁଲାୟମ ସିଂହ ଯାଦବ : କୁସ୍ତି ଯୋଦ୍ଧାରୁ ନେତାଜୀ

ନୂଆଦିଲ୍ଲୀ : ସମାଜବାଦୀ ପାର୍ଟି ପ୍ରତିଷ୍ଠାତା ମୁଲାୟମ ସିଂହ ଯାଦବଙ୍କର ପରଲୋକ ଭାରତୀୟ ରାଜନୀତିରେ ଶୋକର ଛାୟା ଖେଳାଇଦେଇଛି। ଏକ ସାଧାରଣ ପରିବାରରେ ଜନ୍ମ ହୋଇଥିବା ମୁଲାୟମ ଭାରତୀୟ ରାଜନୀତିରେ ନିଜକୁ ପ୍ରତିଷ୍ଠିତ କରାଇବାରେ ସଫଳ ହୋଇଥିଲେ। ଉତ୍ତରପ୍ରଦେଶ ଭଳି ଦେଶର ସବୁଠାରୁ ବଡ ରାଜ୍ୟରେ ସେ ତିନିଥର ମୁଖ୍ୟମନ୍ତ୍ରୀ ହୋଇଥିଲେ। ଏହା ସହିତ ଦେଶର ପ୍ରତିରକ୍ଷା ମନ୍ତ୍ରୀ ହୋଇପାରିଥିଲେ। ରାଜନୀତିରେ ଏତେ ସଫଳ ହୋଇଥିବା ଏହି ବ୍ୟକ୍ତି ଜଣଙ୍କ ବାସ୍ତବରେ ଜଣେ କୁସ୍ତି ଯୋଦ୍ଧା ଥିଲେ। ଏପରିକି ରାଜନୀତିକୁ ଆସିବା ପୂର୍ବରୁ ମୁଲାୟମ ଶିକ୍ଷକତା କରୁଥିଲେ। ମୈନପୁରୀ ଜିଲାର କାରହରସ୍ଥିତ ଜୈନ ଇଣ୍ଟର କଲେଜରେ ସେ ଶିକ୍ଷକତା କରିଥିଲେ। ଯୁବକ ସମୟରେ ମୁଲାୟମ ସାମୟିକ ଭାବେ କୁସ୍ତି ଯୁଦ୍ଧ ପ୍ରତି ଆଗ୍ରହ ବଳାଇଥିଲେ। ଏକ କୁସ୍ତି ପ୍ରତିଯୋଗିତାରେ ମୁଲାୟମଙ୍କ ସହିତ ସୋସାଲିଷ୍ଟ ପାର୍ଟି ବିଧାୟକ ନାଥୁ ସିଂହଙ୍କର ସାକ୍ଷାତ ହୋଇଥିଲା। କୁସ୍ତି ଯୁଦ୍ଧରେ ମୁଲାୟମ ତାଙ୍କର ଶକ୍ତିଶାଳୀ ପକ୍ଷଙ୍କୁ ହରାଇବାର ଆଗ୍ରହ ରଖୁଥିଲେ। ସେତେବେଳେ ମୁଲାୟମଙ୍କୁ ୨୦ବର୍ଷ ହୋଇଥିଲା। ମୁଲାୟମଙ୍କ କୁସ୍ତି ଦକ୍ଷତାକୁ ଦେଖି ତାଙ୍କୁ ରାଜନୀତିରେ ଯୋଗ ଦେବା ଲାଗି ନାଥୁ ସିଂହ କହିଥିଲେ। କାରଣ ନାଥୁ ସିଂହ ଜଣେ କୁସ୍ତି ଯୋଦ୍ଧା ଥିଲେ। ମୁଲାୟମଙ୍କୁ ରାଜନୀତିରେ ସୁଯୋଗ ଦେବା ଲାଗି ନାଥୁ ସିଂହ ତାଙ୍କ ବିଧାନସଭା ନିର୍ବାଚନମଣ୍ଡଳୀ ଛାଡି ଦେଇଥିଲେ। ମୁଲାୟମ ପ୍ରଥମ ନିର୍ବାଚନ ନାଥୁ ସିଂହଙ୍କ ବିଧାନସଭା କ୍ଷେତ୍ର ଯଶୱନ୍ତ ନଗରରୁ ଲଢିଥିଲେ। ପରେ ମୁଲାୟମଙ୍କର ରାଜନୈତିକ ଗୁରୁ ଭାବେ ନାଥୁ ସିଂହ ପରିଚିତ ହୋଇଥିଲେ।
କୁସ୍ତି ଯୁଦ୍ଧ ଭଳି ରାଜନୀତିରେ ମଧ୍ୟ ବଡ ବଡ ନେତାଙ୍କୁ ପରାସ୍ତ କରିବାରେ ସଫଳ ହୋଇଥିଲେ। ଅଜିତ ସିଂହ, ସୋନିଆ ଗାନ୍ଧୀ, ମମତା ବାନାର୍ଜୀ, ଅମର ସିଂହଙ୍କ ଭଳି ନେତାଙ୍କୁ ସେ ରାଜନୀତିର ଦୌଡରେ ପଛରେ ପକାଇବାରେ ସଫଳ ହୋଇଥିଲେ। ୧୯୬୭ରେ ସେ ରାମ ମନୋହର ଲୋହିଆଙ୍କ ଦଳ ସଂଯୁକ୍ତ ସୋସାଲିଷ୍ଟ ପାର୍ଟିରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ୧୯୬୮ରେ ସେ ଚୌଧୁରୀ ଚରଣ ସିଂହଙ୍କ ଭାରତୀୟ କ୍ରାନ୍ତି ଦଳରେ ଯୋଗ ଦେଇଥିଲେ। ପରେ ଏହି ଦଳ ସଂଯୁକ୍ତ ସୋସାଲିଷ୍ଟ ପାର୍ଟିରେ ବିଲୀନ ହୋଇଥିଲା ଓ ଭାରତୀୟ ଲୋକ ଦଳ ସୃଷ୍ଟି ହୋଇଥିଲେ। ୧୯୭୭ରେ ଭାରତୀୟ ଲୋକ ଦଳ ଜନତା ଦଳରେ ବିଲୀନ ହୋଇଥିଲା। ୧୯୭୭ରେ ମୁଲାୟମ ଉତ୍ତରପ୍ରଦେଶ ସରକାରରେ ପ୍ରଥମ କରି ମନ୍ତ୍ରୀ ହୋଇଥିଲେ। ୧୯୮୨ରୁ ୧୯୮୭ ପର୍ଯ୍ୟନ୍ତ ସେ ବିଧାନ ପରିଷଦର ସଦସ୍ୟ ହୋଇଥିଲେ। ୧୯୯୬ରେ ସେ ମୈନପୁରୀ ଆସନରୁ ଲୋକସଭା ନିର୍ବାଚନ ଲଢି ବିଜୟୀ ହୋଇଥିଲେ ଓ କେନ୍ଦ୍ର ସରକାରରେ ପ୍ରତିରକ୍ଷା ମନ୍ତ୍ରୀ ହୋଇଥିଲେ। ୧୯୯୮ ଓ ୧୯୯୯ରେ ସେ ସାମ୍ବାଲରୁ ପୁନର୍ବାର ଲୋକସଭାକୁ ନିର୍ବାଚିତ ହୋଇଥିଲେ। ୧୯୮୦ରେ ସେ ଲୋକଦଳର ରାଜ୍ୟ ଅଧ୍ୟକ୍ଷ ହୋଇଥିଲେ। ୧୯୮୫ରୁ ୮୭ ପର୍ଯ୍ୟନ୍ତ ଜନତା ଦଳର ରାଜ୍ୟ ସଭାପତି ହୋଇଥିଲେ। ୧୯୮୯ରୁ ୧୯୯୧ ପର୍ଯ୍ୟନ୍ତ ସେ ପ୍ରଥମ କରି ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ହୋଇଥିଲେ। ୧୯୯୨ରେ ସେ ସମାଜବାଦୀ ପାର୍ଟି ଗଠନ କରିଥିଲେ। ୧୯୯୩ରୁ ୧୯୯୫ ପର୍ଯ୍ୟନ୍ତ ଦ୍ବିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ହୋଇଥିଲେ। ୨୦୦୩ରେ ସେ ତୃତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ହୋଇଥିଲେ। ୨୦୦୪ରେ ସେ ମୈନପୁରୀ ଆସନରୁ ଲୋକସଭାକୁ ନିର୍ବାଚିତ ହୋଇଥିଲେ। ୨୦୦୭ରେ ସେ ଉତ୍ତରପ୍ରଦେଶ ବିଧାନସଭାର ବିରୋଧୀ ଦଳ ନେତା ହୋଇଥିଲେ। ୨୦୦୯ରେ ମୈନପୁରୀ ଆସନରୁ ପୁନର୍ବାର​‌ ଲୋକସଭାକୁ ନିର୍ବାଚିତ ହୋଇଥିଲେ। ୨୦୧୪ରେ ସେ ମୈନପୁରୀ ଓ ଆଜମଗଡ ଆସନରୁ ଲୋକସଭାକୁ ନିର୍ବାଚିତ ହୋଇଥିଲେ। ମାତ୍ର ପରେ ମୈନପୁରୀ ଆସନରୁ ଇସ୍ତଫା ଦେଇଥିଲେ। ୨୦୧୯ରେ ସପ୍ତମ ଥର ପାଇଁ ମୈନପୁରୀରୁ ଲୋକସଭାକୁ ନିର୍ବାଚିତ ହୋଇଥିଲେ।

kalyan agarbati

Comments are closed.