www.samajalive.in
Tuesday, December 9, 2025
16.1 C
Bhubaneswar

କଳିଙ୍ଗ​ରେ‌ ଆଜିଠାରୁ ୧୭ ବର୍ଷରୁ କମ୍ ମହିଳା ଫୁଟ୍‌ବଲ ବିଶ୍ବକପ୍‌

ଭୁବନେଶ୍ବର : ଦେଶର ଶ୍ରେଷ୍ଠ କ୍ରୀଡ଼ା ଆୟୋଜକ ରାଜ୍ୟର ମାନ୍ୟତା ପାଇଥିବା ଓଡ଼ିଶାର କ୍ରୀଡ଼ା ଇତିହାସରେ ଆଉ ଏକ ଫର୍ଦ୍ଦ ଯୋଡ଼ିହେବାକୁ ଯାଉଛି। ପ୍ରଥମଥର ଭାରତରେ ଫିଫା ୧୭ ବର୍ଷରୁ କମ୍ ମହିଳା ଫୁଟ୍‌ବଲ ବିଶ୍ବକପ୍‌ ଆୟୋଜନ ହେବାକୁ ଯାଉଛି। ମଙ୍ଗଳବାର ଏହା ଆରମ୍ଭ ହେଉଛି। ଏହି ଟୁର୍ଣ୍ଣାମେଣ୍ଟ ଦେଶର ୩ଟି ସହର- ନବି ମୁମ୍ବଇ, ଗୋଆର ଫାଟୋର୍ଡା ଓ ଭୁବନେଶ୍ବରରେ ଖେଳାଯିବ। ମଙ୍ଗଳବାର ସନ୍ଧ୍ୟାରେ ଏହି ବିଶ୍ବକପ୍‌ର ଉଦ୍‌ଘାଟନୀ ଉତ୍ସବ କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ହେବ। ବିଶ୍ବକପ୍‌ରେ ବିଶ୍ବର ଶ୍ରେଷ୍ଠ ୧୬ଟି ଦଳ ଭାଗ ନେଇଥିବା ବେଳେ ସେମାନଙ୍କୁ ୪ଟି ଗ୍ରୁପ୍‌ରେ ରଖାଯାଇଛି। ଗ୍ରୁପ୍‌ ‘ଏ’ର ସମସ୍ତ ଲିଗ୍‌ ମ୍ୟାଚ୍‌ ଭୁବନେଶ୍ବରର କଳିଙ୍ଗ ଷ୍ଟାଡିୟମରେ ଖେଳାଯିବ। ମଙ୍ଗଳବାର ଅପରାହ୍‌ଣ ୪.୩୦ରେ ମରକ୍କୋ ଓ ବ୍ରାଜିଲ ମଧ୍ୟରେ ଉଦ୍‌ଘାଟନୀ ମ୍ୟାଚ୍‌ ଖେଳାଯିବ। ରାତି ୮ଟାରେ ଆୟୋଜକ ଭାରତ-ଆମେରିକା ମୁକାବିଲା ହେବ।
ଉଉୟ ମ୍ୟାଚ୍‌ ମଧ୍ୟରେ ଅଧଘଣ୍ଟା ପାଇଁ ନିରାଡ଼ମ୍ବର ଉଦ୍‌ଘାଟନୀ ଉତ୍ସବ ଅନୁଷ୍ଠିତ ହେବ। ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ବିଶ୍ବକପ୍‌ର ଉଦ୍‌ଘାଟନ କରିବେ। ଉତ୍ସବରେ ଫିଫାର ମହାସଚିବ ସେନିଗାଲ୍‌ର ଫାତ୍‌ମା ସାମ୍ବା ଡିଓଫ୍‌ ସାମୌରା ଯୋଗଦେବେ। ପୁଣି କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ ଅନୁରାଗ ଠାକୁର, କେନ୍ଦ୍ର ଆଇନ୍ ଓ ନ୍ୟାୟ ମନ୍ତ୍ରୀ କିରେନ୍‌ ରିଜିଜୁ ଯୋଗଦେବେ। ସର୍ବଭାରତୀୟ ଫୁଟବଲ ମହାସଂଘ ସଭାପତି କଲ୍ୟାଣ ଚୌବେ, ସାଧାରଣ ସମ୍ପାଦକ ସାଜି ପ୍ରଭାକରନ, ଓଡ଼ିଶାର କ୍ରୀଡ଼ା ମନ୍ତ୍ରୀ ତୁଷାରକାନ୍ତି ବେହେରା, କ୍ରୀଡ଼ା ସଚିବ ଆର. ଭିନିଲ କ୍ରିଷ୍ଣା, ଫୁଟବଲ ଆସୋସିଏସନ ଅଫ ଓଡ଼ିଶା (ଫାଓ)ର ସଭାପତି ଦେବାଶିଷ ସାମନ୍ତରାୟ, ସମ୍ପାଦକ ଆଶୀର୍ବାଦ ବେହେରା, ଅଭିଜିତ ପାଲ ପ୍ରଭୃତି ଯୋଗଦେବେ। ୨୦୧୭ରେ ପ୍ରଥମଥର ପାଇଁ ଭାରତରେ ପୁରୁଷ ୧୭ ବର୍ଷରୁ କମ୍ ଫୁଟ୍‌ବଲ ବିଶ୍ବକପ୍‌ ଆୟୋଜିତ ହୋଇଥିବା ବେଳେ ଏହା ଭାରତରେ ଆୟୋଜନ ହେବାକୁ ଥିବା ୨ୟ ବଡ଼ ଫିଫା ପ୍ରତିଯୋଗିତା। ପ୍ରତି ଗ୍ରୁପ୍‌ରୁ ୨ଟି ଲେଖାଏଁ ଦଳ କ୍ବାର୍ଟରଫାଇନାଲ ଖେଳିବାର ଥିବାରୁ ଗ୍ରୁପ୍‌ ‘ଏ’ରେ ପ୍ରଥମ ୨ଟି ଦଳଙ୍କ ମଧ୍ୟରେ ସ୍ଥାନପାଇବା ଭାରତ ପାଇଁ ସହଜ ହେବନାହିଁ। ତେବେ ଘରୋଇ ଦର୍ଶକଙ୍କ ସମର୍ଥନରେ ଭାରତ କିଛି ଚମତ୍କାର କରିବା ଆଶାରେ ରହିଛି। ୬ଷ୍ଠ ଥର ୧୭ ବର୍ଷରୁ କମ୍ ମହିଳା ଫୁଟ୍‌ବଲ ବିଶ୍ବକପ୍‌ ଖେଳୁଥିବା ବ୍ରାଜିଲର ରେକର୍ଡ ସେତେ ଭଲ ନାହିଁ। ଏହା ୧୭ଟି ମ୍ୟାଚ୍‌ରୁ ମାତ୍ର ୬ଟି ଜିତିପାରିଛି। ପୁଣି ବ୍ରାଜିଲ କଦାପି ଏହି ବିଶ୍ବକପ୍‌ର ସେମିଫାଇନାଲ ଖେଳିନାହିଁ। ଆମେରିକା ୫ମ ଥର ଏହି ବିଶ୍ବକପ୍‌ ଖେଳୁଥିବା ବେଳେ ଏହାର ରେକର୍ଡ ମଧ୍ୟ ଭଲ ନୁହେଁ। ଏହି ବିଶ୍ବକପ୍‌ରେ ଆମେରିକା ୧୫ଟି ମ୍ୟାଚ୍‌ରୁ ମାତ୍ର ୬ଟି ଜିତିଛି। ୨୦୦୮ରେ ଆମେରିକା ରନର୍ସଅପ ହୋଇଥିଲେ ହେଁ ଏହା ପରଠାରୁ ଆମେରିକା ଗ୍ରୁପ୍‌ ପର୍ଯ୍ୟାୟ ପାର କରି ପାରିନାହିଁ। ଭାରତ ପରି ଆଫ୍ରିକୀୟ ଦେଶ ମରକ୍କୋ ବିଶ୍ବକପ୍‌ରେ ପଦାର୍ପଣ କରୁଛି।
୧୭ ବର୍ଷରୁ କମ୍ ମହିଳା ଫୁଟ୍‌ବଲ ବିଶ୍ବକପ୍‌ର ଗତ ସଂସ୍କରଣ ଭାରତକୁ ମିଳିଥିବା ବେଳେ କରୋନା ସଂକ୍ରମଣ ଯୋଗୁଁ ଏହା ବାତିଲ ହେବାରୁ ପରବର୍ତ୍ତୀ ସଂସ୍କରଣ ମଧ୍ୟ ଭାରତକୁ ମିଳିଛି। ଓଡ଼ିଶାକୁ ଭାରତର ସମସ୍ତ ଲିଗ୍‌ ମ୍ୟାଚ୍‌ ଆୟୋଜନର ଅଧିକାର ମିଳିବା ପରେ ଓଡ଼ିଶା ସରକାର ଏହାକୁ ସଫଳ କରିବା ଲାଗି ଦିନରାତି ଏକ କରି ଦେଇଛନ୍ତି। ୪ଟିଯାକ ଦଳକୁ ଆତିଥ୍ୟ ଦେବା ସହ ସେମାନଙ୍କ ପାଇଁ ଚମତ୍କାର ଅଭ୍ୟାସ ବ୍ୟବସ୍ଥା କରାଯାଇଛି। ବିଶ୍ବକପ୍‌ ପାଇଁ ଭୁବନେଶ୍ବର ସହରର ସୌନ୍ଦର୍ଯ୍ୟକରଣ କରାଯାଇଛି। ପ୍ରାୟ ସମସ୍ତ ମ୍ୟାଚ୍‌ର ଟିକଟ ବିକ୍ରି ହୋଇଯାଇଛି। ରାଜ୍ୟରେ ପ୍ରଥମଥର ଫୁଟ୍‌ବଲ ବିଶ୍ବକପ୍‌ ଆୟୋଜନ ହେଉଥିବା ବେଳେ ରାଜଧାନୀବାସୀଙ୍କ ମଧ୍ୟରେ ଏହାକୁ ନେଇ ଆଗ୍ରହ ରହିଛି। ଭାରତକୁ ଅପେକ୍ଷାକୃତ ଭଲ ଗ୍ରୁପ୍‌ ମିଳିଛି। ଏହି ଗ୍ରୁପ୍‌ରୁ ଭାରତ କ୍ବାର୍ଟରଫାଇନାଲ ଖେଳିଲେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ। ଲିଣ୍ଡା କମ୍ ସର୍ତୋ ଭାରତୀୟ ଆକ୍ରମଣର ନେତୃତ୍ବ ନେବେ। ଅନିତା କୁମାରୀ, ନିତୁ ଲିଣ୍ଡା ଓ ସିଲ୍‌କୀ ଦେବୀ ଦଳର ଭଳ ଖେଳାଳି। ଆସ୍ତାମ୍ ଓରାଓଁ ଭାରତୀୟ ଦଳର ନେତୃତ୍ବ ନେବେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories