www.samajalive.in
Sunday, November 16, 2025
15.1 C
Bhubaneswar

ମାର୍ଚ୍ଚ ସୁଦ୍ଧା ୪୧୨ ନୂଆ ଡାକଘର

ଭୁବ‌େ‌ନଶ୍ବର : ଡିଜିଟାଲ ଯୁଗରେ ଡାକସେବାକୁ ଅଧିକ ବ୍ୟବସ୍ଥିତ ଓ ସକ୍ରିୟ କରିବା ପାଇଁ ବ୍ୟାପକ ପଦକ୍ଷେପ ନିଆଯାଉଛି। ଜନସାଧାରଣଙ୍କୁ ଉତ୍ତମ ଡାକସେବା ଯୋଗାଇବାକୁ ରାଜ୍ୟରେ ଖୋଲିବ ଆଉ ୪୧୨ଟି ନୂଆ ଡାକଘର। ଆସନ୍ତା ମାର୍ଚ୍ଚ ୨୦୨୩ ସୁଦ୍ଧା ଏଗୁଡ଼ିକ କାର୍ଯ୍ୟକ୍ଷମ ହେବ। ସେହିପରି ଆସନ୍ତା ୧୨ ତାରିଖରୁ ଅନ୍‌ଲାଇନ ବୁକିଂ ବ୍ୟବସ୍ଥା ଆରମ୍ଭ ହେବ। ଏହାଦ୍ବାରା ଜଣେ ଘରେ ବସି ଯେକୌଣସି ସ୍ଥାନକୁ ଚିଠି ପଠାଇ ପାରିବ। ଭାରତୀୟ ଡାକ ୱେବସାଇଟ୍ ମାଧ୍ୟମରେ ବୁକ୍ ହେବା ପରେ ଘରୁ ଆସି ଚିଠି ନେଇଯିବେ ଡାକ କର୍ମଚାରୀ। ଅନ୍ୟପକ୍ଷରେ ଓଡ଼ିଶାର ବରପୁତ୍ରଙ୍କ ନାମରେ ସ୍ବତନ୍ତ୍ର ଡାକ ଟିକଟ ପ୍ରଚଳନ କରାଯିବ। ଅକ୍ଟୋବର ୯ରୁ ୧୩ ତାରିଖ ପର୍ଯ୍ୟନ୍ତ ଜାତୀୟ ଡାକ ସପ୍ତାହ ପାଳନ କରାଯାଉଥିବାବେଳେ ଆଗାମୀ ଯୋଜନା ସମ୍ପର୍କରେ ସୂଚନା ଦେଇ ଡାକସେବା ନିର୍ଦେଶକ (ମୁଖ୍ୟାଳୟ) ସୁବାସ ଚନ୍ଦ୍ର ବାରିକ ଏହା କହିଛନ୍ତି।
ସିପିଏମ୍‌ଜି କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ବାରିକ କହିଛନ୍ତି ଯେ ମୋବାଇଲ ଫୋନ୍ ବ୍ୟବହାର ଯୋଗୁଁ ହାତଲେଖା ଚିଠି ସଂଖ୍ୟା
କମିଛି। କିନ୍ତୁ କମର୍ସିଆଲ ଚିଠି ବଢ଼ିଛି। ଦୈନିକ ୨ ଲକ୍ଷ ସ୍ପିଡ୍ ପୋଷ୍ଟ୍ ହେଉଥିବା‌େ‌ବଳେ ୧୦ ଲକ୍ଷ ସାଧାରଣ ପୋଷ୍ଟ୍ ହେଉଛି। ଆଗାମୀ ଦିନରେ ଡାକସେବାକୁ ଆହୁରି ତ୍ବରାନ୍ବିତ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି। ଯେଉଁ ଅଞ୍ଚଳରେ ଡାକଘର ନାହିଁ ସେଠାରେ ଡାକଘର ଖୋଲାଯିବ। ପ୍ରତି ୫ କିମି ବ୍ୟବଧାନରେ ଡାକଘର ରହିବ। ୨୦୨୩ ମାର୍ଚ୍ଚ ସୁଦ୍ଧା ୪୧୨ଟି ନୂଆ ଡାକଘର ଖୋଲିବ। ପ୍ରତି ଡାକଘରେ କୋର୍ ବ୍ୟାଙ୍କିଂ ସୁବିଧା ଉପରେ ଗୁରୁତ୍ବ ଦିଆଯାଉଛି। ୪୭୩ଟି ଆଧାର କେନ୍ଦ୍ର ଡାକଘର ସହ ଲିଙ୍କ୍ ହୋଇଛି। ଜନ୍ମରୁ ୫ ବର୍ଷର ଶିଶୁଙ୍କ ନୂଆ ଆଧାର କାର୍ଡ ପାଇଁ ସ୍ବତନ୍ତ୍ର କେନ୍ଦ୍ର ଖୋଲାଯାଉଛି। ସ୍ବୟଂ ସହାୟିକା ଗୋଷ୍ଠୀ (ଏସଏଚଜି) ଦ୍ବାରା ଉତ୍ପାଦିତ ସାମଗ୍ରୀ ଡାକଘର ଜରିଆରେ ବିକ୍ରି ପାଇଁ ପଦକ୍ଷେପ ନିଆଯାଉଛି। ସେହିପରି ଓଡ଼ିଶାର ବରପୁତ୍ର ପଣ୍ଡିତ ନୀଳକଣ୍ଠ ଦାସ, ଅକ୍ଷୟ ମହାନ୍ତି, ପାର୍ବତୀ ଘୋଷ, କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର, ଗୁରୁ କେଳୁଚରଣ ମହାପାତ୍ରଙ୍କ ନାମରେ ସ୍ବତନ୍ତ୍ର ଡାକ ଟିକଟ ପ୍ରଚଳନ ହେବ। ଏହାଛଡ଼ା ସମ୍ବଲପୁରୀ ବାନ୍ଧ, ଗୀତ, ଶୀତଳଷଷ୍ଠୀ, ଧନୁଯାତ୍ରା, ନୂଆଁଖାଇ ଉପରେ ଡାକଟିକଟ ପ୍ରଚଳନ ଲାଗି ନିଷ୍ପତ୍ତି ନିଆଯାଇଛି।
ଓଡ଼ିଶା ସର୍କଲରେ କାର୍ଯ୍ୟ କରୁଥିବା ମୋଟ୍ ୮୪୯୦ ପୋଷ୍ଟ ଅଫିସରେ ୩୫ଟି ପ୍ରଧାନ ଡାକଘର, ୩୫ଟି ମୁଖ୍ୟ ଡାକଘର, ୧୧୪୨ଟି ଉପ ଡାକଘର ଏବଂ ୭୨୭୮ଟି ଶାଖା ଡାକଘର ରହିଛି। ୧୫ ନକ୍ସଲ ପ୍ରଭାବିତ ଜିଲାରେ ୧୨ଟି ପ୍ରଧାନ ଡାକଘର, ୩୭୩ଟି ମୁଖ୍ୟ ଡାକଘର, ୨୮୧୫ଟି ଶାଖା ଡାକଘର କାର୍ଯ୍ୟ କରୁଛି। ଫ୍ଲାଗସିପ୍ କାର୍ଯ୍ୟକ୍ରମ ଅଧୀନ‌ରେ ନକ୍ସଲ ଉପଦ୍ରବ ଜିଲାରେ ୩୧୨ ଶାଖା ଡାକଘର ଖୋଲାଯାଇଛି। ବର୍ତ୍ତମାନ ଓଡ଼ିଶା ସର୍କଲରେ ୨୬ ହଜାର ପଦବୀ ରହିଥିବାବେଳେ ଏଥିରୁ ୪ ହଜାର ପଦବୀ ଖାଲିପଡ଼ିଛି। ୨୦୨୩ ସୁଦ୍ଧା ଖାଲି ପଦବୀ ପୂରଣ କରାଯିବ। ଏଥିସହ ନୂଆ ବ୍ୟବସ୍ଥାରେ ସେବା ଯୋଗାଇବା ପାଇଁ ଡାକ କର୍ମଚାରୀଙ୍କୁ ଦକ୍ଷତା ବିକାଶ ତାଲିମ ଦିଆଯିବ। ଆସନ୍ତା ୩୧ରେ ପିଲାଙ୍କ ମଧ୍ୟରେ ପୋଷ୍ଟାଲ ଷ୍ଟାମ୍ପ୍ ଡିଜାଇନ ପ୍ରତିଯୋଗିତା ଅନୁଷ୍ଠିତ ହେବ। ସେହିପରି ଭିଜନ ଫର ଇଣ୍ଡିଆ-୨୦୪୭ ବିଷୟବସ୍ତୁକୁ ନେଇ ଅଷ୍ଟମରୁ ଦ୍ବାଦଶ ଶ୍ରେଣୀ ପିଲାଙ୍କ ମଧ୍ୟରେ ପ୍ରତିଯୋଗିତା ହେବ। ସର୍ବଭାରତୀୟସ୍ତରରେ ପ୍ରଥମ ବିଜେତାଙ୍କୁ ୫୦ ହଜାର ଟଙ୍କାର ପୁରସ୍କାର ରାଶି ପ୍ରଦାନ କରାଯିବ ବୋଲି କୁହାଯାଇଛି। ଏହି ସାମ୍ବାଦିକ ସମ୍ମିଳନୀରେ ଓଡ଼ିଶା ସର୍କଲର ସହକାରୀ ପୋଷ୍ଟ ମାଷ୍ଟର ଜେନେରାଲ (ଭିଜିଲାନ୍ସ) ସୁଚିସ୍ମିତା ସ୍ବାଇଁ ଉପସ୍ଥିତ ଥିଲେ।

Hot this week

ପୁଲିସର ଯାଞ୍ଚ କଡ଼ାକଡ଼ି

ସମାଜ ଲାଇଭ୍‌: କମିସନରେଟ ପୁଲିସ ପକ୍ଷରୁ ଶନିବାର ବିଳମ୍ବିତ ରାତିରେ ଗାଡ଼ିମୋଟର...

ହ୍ୟୁମାନ ସାଗର ସଙ୍କଟାପନ୍ନ, ଏମ୍ସ ଯାଇ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ହ୍ୟୁମାନ ସାଗର ଙ୍କ ସ୍ବାସ୍ଥ୍ୟ ଅବସ୍ଥା ଚିନ୍ତା...

ସ୍ଥାୟୀ ଜମି ପଟ୍ଟା ପ୍ରଦାନ ପାଇଁ ମାହେଶ୍ୱରୀ ସେନାର ଦାବି

ରେଙ୍ଗାଲିକ୍ୟାମ୍ପ ୧୫/୧୧: ଦୀର୍ଘ ୪୦ବର୍ଷ ଧରି ଗୋଡ଼ଭଗା ଛକ ନିକଟ ରାସ୍ତା...

କିଲାକିଆ ସେବାଶ୍ରମରେ ପିତାମାତା ସହଭାଗିତା କାର୍ଯ୍ୟକ୍ରମ

ଜି.ଉଦୟଗିରି,୧୫/୧୧: ଅନୁସୂଚିତ ଜାତି ଓ ଜନଜାତି ଏବଂ ପଛୁଆ ବର୍ଗ କଲ୍ୟାଣ...

ପୀତବାସ ପଣ୍ଡା ହତ୍ୟା ମାମଲା: ବ୍ରହ୍ମପୁର କାରାମଣ୍ଡଳରେ ସରିଲା ଅଭିଯୁକ୍ତଙ୍କ ଟିଆଇ ପରେଡ୍

ସମାଜ ନ୍ୟୁଜ ଡେସ୍କ- ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ଶନିବାର...

Related Articles

Popular Categories